ଆନ୍ଧ୍ର ପୁଲିସ କହି ୨ ଯୁବକଙ୍କୁ ଅପହରଣ, ଥାନାରେ ଅଭିଯୋଗ କଲେ ଅପହୃତଙ୍କ ସ୍ତ୍ରୀ

ପୁରୁଣା ଭୁବନେଶ୍ବର : ଆନ୍ଧ୍ର ପୁଲିସ ପରିଚୟ ଦେଇ ଦୁଇଜଣ ଯୁବକଙ୍କୁ ଅପହରଣ କରାଯାଇଛି। ଏୟାର ଫିଲଡ୍‌ ଥାନା ଅଧୀନ ଓରକଳ ଗ୍ରାମ ନିକଟରୁ ଜଣେ ଓ ନେମାଳରୁ ଅନ୍ୟ ଜଣେ ଯବୁକଙ୍କୁ ଅପହରଣ କରାଯାଇଛି। ଯୁବକଦ୍ବୟ ହେଲେ, ଓରକଳ ମୁନ୍‌‌ଷ୍ଟୋନ୍‌ ଭ୍ୟାଲି ଆପାର୍ଟମେଣ୍ଟ୍‌ରେ ରହୁଥିବା ସନ୍ତୋଷ ବିଶ୍ବାଳ ଓ ଠିକାଦାର ଶୁଭେନ୍ଦୁ ମହାପାତ୍ର।

ସୂଚନା ଅନୁଯାୟୀ, ଗତକାଲି ୩ଜଣ ଯୁବକ ଓ ଜଣେ ମହିଳା ଏକ ଧଳା ସ୍କର୍ପିଓରେ ଓରକଳ ମୁନ୍‌‌ଷ୍ଟୋନ୍‌ ଭ୍ୟାଲି ଆପାର୍ଟମେଣ୍ଟ୍‌ ନିକଟକୁ ଆସିଥିଲେ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ସନ୍ତୋଷଙ୍କୁ ଗେଟ୍‌ ପାଖକୁ ଡାକିଥିଲେ। ସନ୍ତୋଷ ସହ କିଛି ସମୟ କଥା ହେବା ପରେ ସେମାନେ ତାଙ୍କୁ ଜୋରଜବରଦସ୍ତି ସ୍କର୍ପିଓରେ ବସାଇଥିଲେ। ଏହା ଦେଖି ଉପସ୍ଥିତ କିଛି ବ୍ୟକ୍ତି ବିରୋଧ କରିବାରୁ ସେମାନେ ନିଜକୁ ଆନ୍ଧ୍ରପ୍ରଦେଶ ପୁଲିସ କହି ଧମକାଇ ଚାଲି ଯାଇଥିଲେ। ପରେ ସେମାନେ ଭୀମଟାଙ୍ଗି ହାଉସିଂବୋର୍ଡ କଲୋନିରେ ରହୁଥିବା ଠିକାଦାର ଶୁଭେନ୍ଦୁ ଚନ୍ଦ୍ର ମହାପାତ୍ରଙ୍କ ପାଖକୁ ଯାଇଥିଲେ। ସେ ଘରେ ନଥିବାରୁ ସନ୍ତୋଷଙ୍କ ମାଧ୍ୟମରେ ତାଙ୍କର ଠିକଣା ବୁଝିଥିଲେ। ଶୁଭେନ୍ଦୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ନେମାଳ ଅଚ୍ୟୁତାନନ୍ଦ ପୀଠକୁ ଯାଇଥିଲେ। ସେଠାରେ ଉକ୍ତ ଯୁବକ ଯୁବତୀ ପହଞ୍ଚି ନିଜକୁ ଆନ୍ଧ୍ର ପୁଲିସ କହି ଶୁଭେନ୍ଦୁଙ୍କୁ ମଧ୍ୟ ଅପହରଣ କରିନେଇଥିବା ପୁଲିସ କହିଛି।

ପୁଲିସ କହିବା ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଉଭୟେ ରେଲୱେରେ ଚାକିରି କରାଇବା କହି ଆନ୍ଧ୍ର ପ୍ରଦେଶର ବହୁ ଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ରହିଛି। ତେବେ ଆନ୍ଧ୍ର ପୁଲିସ କହି ସେମାନଙ୍କୁ ନେଇଥିବା ଯୁବକ ସ୍ଥାନୀୟ ଥାନାରେ କୌଣସି ସୂଚନା ଦେଇ ନାହାନ୍ତି। ଏହି ଘଟଣାର ତଦନ୍ତ ଚାଲିଛି ବୋଲି ଏୟାର ଫିଲଡ୍‌ ଥାନା ଅଧିକାରୀ ଜ୍ଞାନେନ୍ଦ୍ର ସାହୁ କହିଛନ୍ତି। ଅନ୍ୟପଟେ ଶୁଭେନ୍ଦୁଙ୍କ ସ୍ତ୍ରୀ ଲୋପାମୁଦ୍ରା ମହାପାତ୍ର ନେମାଳ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର