ବର୍ଷା ପାଣିରେ ଏବେ ବି ଉବୁଟୁବୁ: ଜଣ୍ଡିସ୍ ଓ ଝାଡ଼ାବାନ୍ତି ବ୍ୟାପିବା ଆଶଙ୍କା

ପୁରୁଣା ଭୁବନେଶ୍ବର: ଲଘୁଚାପଜନିତ ଲଗାଣ ବର୍ଷା ଛାଡ଼ିଛି। କିନ୍ତୁ ଏବେ କୃତ୍ରିମ ବନ୍ୟାରେ ଉବୁଟୁବୁ ହେଉଥିବା ଅଞ୍ଚଳକୁ ଜଣ୍ଡିସ୍‌ ଓ ଝାଡ଼ାବାନ୍ତି ଭୟ ଘାରିଛି। ଯେଉଁ ସବୁ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ହୋଇନାହିଁ କିମ୍ବା ଯେଉଁ ସବୁ ଅଞ୍ଚଳରେ ପାଇପ୍‌ ଜଳ ଅଭାବ ହେତୁ ଲୋକେ କୂଅ ପୋଖରୀ ଉପରେ ନିର୍ଭର କରୁଛନ୍ତି, ସେସବୁ ଅଞ୍ଚଳର ଲୋକେ ବିଶୁଦ୍ଧ ପାନୀୟ ଜଳ ନପାଇ ଏହି ସବୁ ରୋଗର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ମୁତାବକ ଏବେ ବି କାର୍‌ଗିଲ୍‌ ବସ୍ତି, ସୁନ୍ଦରପଦା ଦଳିତ ସାହି, ଓରକଳ, ବୋତଣ୍ଡା, ନୂଆଗାଁ, ନାଥପୁର, ଇଟିପୁର ଆଦି ଅଞ୍ଚଳରେ ପାଇପ୍‌ ଜଳ ଯୋଗାଣ ଲୋକଙ୍କୁ ଯଥେଷ୍ଟ ହେଉନାହିଁ। ସେହିଭଳି ବିଏମ୍‌ସି ଅନ୍ତର୍ଗତ ବହୁ ବସ୍ତିର ଲୋକେ ପାଇପ୍‌ ଜଳ କମ୍ ମିଳୁଥିବାରୁ ସାଧାରଣ କୂଅ ଓ ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏବେ ଲଗାଣ ବର୍ଷା କାରଣରୁ ସବୁଆଡ଼େ ମଇଳା ପାଣି ସହ ଅଳିଆ ଆବର୍ଜନା ଭରି ହୋଇ ରହିଛି। କୂଅ ଭିତରେ ମଇଳା ପାଣି ପଶିଛି। ତେଣୁ ସେହି ଜଳ ବ୍ୟବହାର କରି ଲୋକେ ବିଭିନ୍ନ ପେଟ ରୋଗର ଶିକାର ହେବେ। ବିଶେଷ କରି ଜଣ୍ଡିସ୍ ବ୍ୟାପିବା ସମ୍ଭାବନା ଅଧିକ। ଗତ କିଛି ବର୍ଷ ହେବ ରାଜଧାନୀର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାରମ୍ବାର ଜଣ୍ଡିସ୍ ବ୍ୟାପିବା ଘଟଣା ନଜରକୁ ଆସିଛି। ପୂର୍ବରୁ ଝରଣାସାହି ଓ ଯଦୁପୁର ଆଦି ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିଥିଲା। ତେଣୁ ଏଥର ଲଗାଣ ବର୍ଷା ସେହି ସ୍ଥିତି ସୃଷ୍ଟି କରିବା ଆଶଙ୍କା ଥିବାରୁ ବିଏମ୍‌ସି ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର