‘ଉଚ୍ଛ୍ବାସର ରଙ୍ଗ’ ଉଦ୍‌ଘାଟିତ: ମନ ମୋହିଲା ପ୍ରତିବିମ୍ବ

ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତିର ନବମ ବାର୍ଷିକ ଉତ୍ସବ ‘ଉଚ୍ଛ୍ବାସର ରଙ୍ଗ’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆଜି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଗୁରୁ ବିଜୟାନନ୍ଦ ନାୟକଙ୍କ ହିନ୍ଦୁସ୍ତାନୀ ବୃନ୍ଦଗାୟନ ମା’ ଦୁର୍ଗା ବନ୍ଦନାରୁ ସାଂସ୍କୃତିକ ସଂଧ୍ୟା ଆରମ୍ଭ ହୋଇଥିଲା। ପରେ ଗୁରୁ ବିନୋଦ ବିହାରୀ ରାଉତଙ୍କ ଦ୍ବାରା ବୃନ୍ଦ ତବଲା ବାଦନ ‘ନାଦ ବିନୋଦ’, ଗୁରୁ ପଙ୍କଜ କୁମାର ପ୍ରଧାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ‘ପ୍ରତିବିମ୍ବ’, ଗୁରୁ ଅଭିରାମ ନନ୍ଦଙ୍କ ବୃନ୍ଦ ବଂଶୀବାଦନ ‘ବ୍ରଜେ ବସନ୍ତମ୍‌ ନବନୀତ ଚୌରମ୍’ ଓ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ଦ୍ବାରା ଦଳଗତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ନାଟ୍ୟଗୁରୁ ଜୟପ୍ରକାଶ ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ‘କାଞ୍ଚି ଅଭିଯାନ’ ଦର୍ଶକଙ୍କୁ ମଞ୍ଚ ନିକଟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଲାଲାବୀରେନ୍‌ ରାୟ ଓ ସମ୍ପାଦିକା ଦୀପିକା ମହାନ୍ତିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ରଛାତ୍ରୀମାନେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର