ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଉଡାନ୍‌’ଉଦ୍‌ଘାଟିତ

ଭୁବନେଶ୍ବର: ଭାରତୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରତିବର୍ଷ କିଭଳି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥିପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଆର୍ଥିକ ପାଣ୍ଠି ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ‘ଉଡାନ’ ଉଦ୍‌ଘାଟିତ ହୋଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇଏଏସ୍‌ରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀ କିଭଳି ପ୍ରସ୍ତୁତି କରିବେ ସେନେଇ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରକଳ୍ପ ନିର୍ଦେଶକ ଅରିନ୍ଦମ ଡାକୁଆ, ଆଇଏଏସ କୁନାଲ୍ ଚଭାନ ଯୋଗଦେଇ କହିଲେ, ଆଇଏଏସ୍‌ରେ ସଫଳତା ପାଇଁ ସମୟାନୁବର୍ତ୍ତିତା ଜରୁରୀ।

ଏଥିପାଇଁ ନିଜସ୍ବ ଶୈଳୀରେ ଏକ ଯୋଜନା ପ୍ରସ୍ତୁତ କରି ପାଠ୍ୟକ୍ରମର ବିଷୟବସ୍ତୁକୁ ବାରମ୍ବାର ପଠନ ଓ ଲିଖନ ଅଭ୍ୟାସ ଜାରି ରଖିବା ଦରକାର। ଉତ୍କଳ ବିଶ୍ବବିଦ୍ୟାଳୟରେ ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ପ୍ରତିବର୍ଷ ୪୦ଜଣ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏବର୍ଷ ୮୫ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ତେଣୁ କେବଳ ଏହି ବର୍ଷ ଆବେଦନ କରିଥିବା ସବୁ ଛାତ୍ରଛାତ୍ରୀଙ୍କୁ ଦୁଇଟି ସିଟିଂରେ କୋଚିଂ ଦେବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପ୍ରତି ଶନିବାର ଓ ରବିବାର ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ ବୋଲି ଜଣାପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ ଅଭୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଡେପୁଟି କୋଅର୍ଡିନେଟର ସ୍ମିତା ନାୟକ ଅତିଥି ପରିଚୟ, ପ୍ରଫେସର ଯଶୋଦା ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର