ଖଣ୍ଡଗିରି: ବହୁ ପ୍ରତୀକ୍ଷିତ ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ' ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ନିକଟରେ ଏ ନେଇ ଟ୍ରାଏଲ୍‌ ରନ୍‌ ମଧ୍ୟ ସରିଛି। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସରଞ୍ଜାମ ଲାଗିଛି। କେବଳ ବିଜୁଳି ସଂଯୋଗ ହେଲେ ଏହି ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବ। କେବଳ ସେତିକି ନୁହେଁ, ଏହା ଖଣ୍ଡଗିରି-ଉଦୟଗିରି ଭଳି ଐତିହ୍ୟ ସ୍ଥଳୀର ଆକର୍ଷଣକୁ ଆହୁରି ବଢ଼ାଇଦେବ। 

Advertisment

୨୦୨୩ ଡିସେମ୍ବରରୁ ପ୍ରସ୍ତୁତ ହୋଇ ରହିଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପ୍ରକଳ୍ପରେ ଗଛଲତା ମାଡ଼ି ଯାଇଥିଲା। ବିଜୁଳି ସଂଯୋଗ ଭଳି ଛୋଟିଆ କାମ ପାଇଁ ତତ୍ପରତା ପ୍ରକାଶ ପାଉ ନଥିଲା। ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଏହି ପ୍ରକଳ୍ପ ପ୍ରସ୍ତୁତ କରିଛି। ଏବେ ଉଦୟଗିରି ପାହାଡ଼ର ରାଣୀଗୁମ୍ଫା ସମ୍ମୁଖରେ ଏହି ସୋ’ ଚାଲିବ। ଦର୍ଶକମାନେ ପାହାଡ଼ ଉପରେ ଭିଜୁଆଲ୍‌ ଦେଖିବେ। ଏହା ସହିତ ୫ଟି ମାଇକ୍‌ରେ ସାଉଣ୍ଡ ବ୍ୟବସ୍ଥା କରାଯାଇଛି। ବସିବା ପାଇଁ ଚଉକି ବ୍ୟବସ୍ଥା ଖୁବ୍‌ଶୀଘ୍ର ହେବ ବୋଲି କୁହାଯାଇଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ସର୍ତ୍ତ ଅନୁସାରେ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ଯେମିତି କୌଣସି କ୍ଷତି ନ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସୋ’ ଆରମ୍ଭ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଆଇଟିଡିସି ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ସହ ବିଦ୍ୟୁତ୍ ବିଲ୍ ବାବଦ ଖର୍ଚ୍ଚ ବହନ କରିବ। ପର୍ଯ୍ୟଟକଙ୍କଠାରୁ ମିଳିବାକୁ ଥିବା ରାଜସ୍ବ ଆଇଟିଡିସି ଓ ଏଏସ୍ଆଇ ମଧ୍ୟରେ ୬୦:୪୦ ଅନୁପାତରେ ବଣ୍ଟା ହେବାକୁ ସର୍ତ୍ତ ରଖାଯାଇଛି।

ଏହି ପ୍ରକଳ୍ପ ଚାଲିବା ପାଇଁ ୬୦ କିଲୋୱାଟ୍‌ ବିଦ୍ୟୁତ୍‌ ଆବଶ୍ୟକ ରହିଛି। ଏହି ପରିମାଣର ବିଦ୍ୟୁତ୍‌ ଯୋଗାଇବା ପାଇଁ ଏଠାରେ ଟ୍ରାନ୍‌ସ୍‌ଫର୍ମର ବସାଇବା ସହ ୧୧ କେଭି ବିଦ୍ୟୁତ୍‌ ସଂଯୋଗର ଆବଶ୍ୟକତା ଅଛି। ଡିଜି ସେଟ୍, ଟ୍ରାନ୍‌ସଫର୍ମର କେବୁଲ ସଂଯୋଗ ପାଇଁ ୬୫ ଲକ୍ଷର ଟେଣ୍ଡର ହୋଇଛି। ଇତିମଧ୍ୟରେ ୧୦୦ କେଭିର ଡିଜି ସେଟ୍ ବସି ସାରିଛି। ପୂର୍ତ୍ତ ବିଭାଗକୁ ରାସ୍ତା କାଟିବା ପାଇଁ ଅନୁମତି ମାଗିବା ସହିତ କ୍ଷୟକ୍ଷତି ବାବଦକୁ ୨ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଟାଟା ପାୱାରକୁ ଟ୍ରାନ୍‌ସଫର୍ମର ପାଇଁ ଅନୁମତି ମଗା ସରିଛି। ଏହାର ଦାୟିତ୍ୱରେ ଥିବା ଓଟିଡିସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଆଗାମୀ ୧୫ ଦିନ ଭିତରେ ସମସ୍ତ କାମ ସାରିବାକୁ ଯୋଜନା ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକ ଏହାକୁ ଉପଭୋଗ କରିବାର ସୁଯୋଗ ପାଇବେ।