ଭୁବନେଶ୍ୱର : ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମି-‘ଉଡ୍ର’ ତରଫରୁ ଓଡ଼ିଶୀ ନୃତ୍ୟର ମଂଜୁଳ ସଂଧ୍ୟା ନୃତ୍ୟାନୁରାଗ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବାଗତ ଓ ପ୍ରତିଷ୍ଠିତ ଶିଳ୍ପୀମାନେ ଚମତ୍କାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଥିଲେ। ନୃତ୍ୟ ନୈବେଦ୍ୟ ରାଉରକେଲାର ଶିଳ୍ପୀ ସ୍ନେହ ମାରାଣ୍ଡି, ‘ଉଡ୍ର’ର ଶିଳ୍ପୀ ସିଦ୍ଧି ଶିବାଙ୍ଗୀ କର ଓ ନୃତ୍ୟ ନୈବେଦ୍ୟର ଆଶୁତୋଷ ପରିଡ଼ାଙ୍କ ଦ୍ୱାରା ଓଡ଼ିଶୀ ଅଭିନୟ ଅତି ମନଛୁଆଁ ଥିଲା। ତା ସହିତ ବିଭିନ୍ନ ଯଶସ୍ୱୀ ଗୁରୁଙ୍କ ସଂଯୋଜିତ ଓଡ଼ିଶୀ ନୃତ୍ୟକୁ ମଞ୍ଚରେ ଅତି ସୁନ୍ଦର ଭାବେ ଶିଳ୍ପୀଗଣ ପରିବେଷଣ କରିଥିଲେ। ଉଡ୍ରର ଶିଳ୍ପୀ ଶେଫାଳି ପଟ୍ଟନାୟକ ଆଦିଗୁରୁଙ୍କ ରଚିତ ଶଙ୍କରା ଭରଣ ପଲ୍ଲବୀ ଉପସ୍ଥାପନ କରିଥିଲେ। ରୁଦ୍ରାକ୍ଷ ଫାଉଣ୍ଡେସନ୍ର ଶିଳ୍ପୀ ସନ୍ତୋଷ କୁମାର ପାଣିଗ୍ରାହୀ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନାରେ ଆନନ୍ଦ ଭୈରବୀ ପଲ୍ଲବୀ ପରଷି ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଶାସନ ସଚିବ ବିବେକ ପଟ୍ଟନାୟକ, ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା, ପ୍ରଖ୍ୟାତ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ‘ଉଡ୍ର’ର ସଭାପତି ବଟକୃଷ୍ଣ ତ୍ରିପାଠୀ, ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମୀ ପାଢ଼ୀ ଓ ଗୁରୁ ଆରତୀ କର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp