ଜଟଣୀ: ଜଟଣୀ ନିର୍ବାଚନମଣ୍ଡଳୀର ପୁରାତନ କଲେଜ ଜଟଣୀ ମହାବିଦ୍ୟାଳୟକୁ ୫୦ ବର୍ଷ ପୂରିବାକୁ ବସିଛି। ୧୯୭୬ ମସିହା ସେପ୍ଟେମ୍ବର ମାସରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏବେ ବି ଏହି କଲେଜ ୟୁଜିସି ଗ୍ରାଣ୍ଟ ପାଇବାରୁ ବଞ୍ଚିତ ହୋଇରହିଛି। କଲେଜ ନାଁରେ ନିଜସ୍ବ ଜମି ନଥିବାରୁ କଲେଜକୁ ଏହି ଅନୁଦାନ ମିଳିପାରୁନାହିଁ। ଅବିଭକ୍ତ ପୁରୀ ଜିଲ୍ଲାରେ ଏହି କଲେଜର ସମସାମୟିକ ଶିକ୍ଷାନୁଷ୍ଠାନମାନେ ୟୁଜିସି ଗ୍ରାଣ୍ଟ ପାଇଲେଣି, ମାତ୍ର ଜଟଣୀ କଲେଜର ଭାଗ୍ୟ ସେମିତି ପଥର ତଳେ ଚାପି ହୋଇରହିଛି। କଲେଜ ଠିଆ ହୋଇଥିବା ସରକାରୀ ଜମି କେଉଁ କାରଣରୁ କଲେଜ ନାଁକୁ ଆସିପାରୁନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କଲେଜ ନିକଟରେ ଘରୋଇ ଶିକ୍ଷାନୁଷ୍ଠାନକୁ ସରକାର ଶହଶହ ଏକର ଜମି ଯୋଗାଇଛନ୍ତି, ଅଥଚ ସାଧାରଣ ପିଲାଙ୍କ ପାଇଁ ଗଢ଼ିଉଠିଥିବା କଲେଜ ପାଇଁ ଜମି କଲେଜ ନାଁରେ ରେକର୍ଡଭୁକ୍ତ ହୋଇପାରୁନାହିଁ। ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରସାଶନିକ ଉଦାସୀନତା ପାଇଁ ଏକ ପୁରାତନ ଶିକ୍ଷାନୁଷ୍ଠାନ ୟୁଜିସି ଭଳି ସରକାରୀ ଅନୁଦାନ ପାଇପାରୁନାହିଁ।
ମହାବିଦ୍ୟାଳୟ ନାମରେ ଜମି ରେକର୍ଡଭୁକ୍ତ ନ ହୋଇଥିବାରୁ ୟୁଜିସି ଗ୍ରାଣ୍ଟ ସହ ଅନ୍ୟାନ୍ୟ ସରକାରୀ ଅନୁଦାନ ମିଳୁନାହିଁ। ପାଣ୍ଠି ଅଭାବରୁ ଭିତ୍ତିଭୂମି ରୁଗ୍ଣ ଅବସ୍ଥାରେ ପହଞ୍ଚିଲାଣି। ପୁରୁଣା ଶ୍ରେଣୀଗୃହ ସାଙ୍ଗକୁ ପରୀକ୍ଷାଗାର, ପାଠାଗାର ଓ ଖେଳପଡ଼ିଆ ଆଦିର ସ୍ଥିତି ଅତି ଖରାପ ହୋଇଗଲାଣି। ସେଗୁଡ଼ିକର ଉନ୍ନତୀକରଣ କରିବା ଆବଶ୍ୟକ। ଅନ୍ୟପଟେ ମହାବିଦ୍ୟାଳୟର ଚାରିପାଖରେ କିଛି ଅସାମାଜିକ ବ୍ୟକ୍ତି ଜମି ଜବରଦଖଲ କରିବାରେ ଲାଗିପଡ଼ିଛନ୍ତି। କଲେଜକୁ ପ୍ରାୟ ୩୦ ଏକର ଜମି ଅସ୍ଥାୟୀ ଭାବେ ମିଳିଛି। କିନ୍ତୁ ଅର୍ଥାଭାବରୁ ପାଚେରି କରି ସବୁ ଜମିକୁ ଘେରାବନ୍ଦି କରି ରଖିବା ସମ୍ଭବ ହୋଇନାହିଁ। ଏହି ମଉକାରେ ଜବରଦଖଲକାରୀମାନେ କଲେଜ ଜମିକୁ କବ୍ଜା କରିବାରେ ଲାଗିଛନ୍ତି। ଏହି ଧାରା ଜାରି ରହିଲେ, ଅର୍ଥାତ୍ ଜବରଦଖଲକାରୀଙ୍କ ଉପରେ ଅଙ୍କୁଶ ନ ଲାଗିଲେ, କଲେଜ ଜମି ପୂରା ହଡ଼ପ ହୋଇଯିବ ବୋଲି ଅଭିଯୋଗ ହେଲାଣି। ୟୁଜିସି ଅନୁଦାନ ମିଳୁ ନଥିବାରୁ ପୁରୁଣା କଲେଜ ହେଲେ ମଧ୍ୟ ଯେତିକି ବିକଶିତ ହେବା କଥା ତା’ଠାରୁ ବହୁତ ପଛରେ ପଡ଼ିଛି କଲେଜ। ଶ୍ରେଣୀଗୃହ, ପରୀକ୍ଷାଗାର, ପାଠାଗାର ଓ ଖେଳପଡ଼ିଆ ସେମିତି ପୁରୁଣା ଅବସ୍ଥାରେ ରହିଛି। ନବୀକରଣ ସାଙ୍ଗକୁ ଆଧୁନିକୀକରଣ ଆବଶ୍ୟକ ହେଲେ ମଧ୍ୟ ପାଣ୍ଠି ଅଭାବ କାରଣରୁ କିଛି ହୋଇପାରୁନାହିଁ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଦାୟୀ। ପ୍ରଶାସନକୁ ଦୋଷ ଦେଇ ଲାଭ କିଛି ନାହିଁ। ରାଜନେତାମାନେ ପ୍ରଶାସନକୁ ବାଧ୍ୟ କରିଥିଲେ, ଏପର୍ଯ୍ୟନ୍ତ କଥା ଯାଇନଥା’ନ୍ତା। ଏକାମ୍ର କଲେଜ, ନିରାକାରପୁର କଲେଜ, ବେଗୁନିଆ କଲେଜ ଭଳି ବହୁ କଲେଜ ଜଟଣୀ ମହାବିଦ୍ୟାଳୟର ସମସାମୟିକ। ସେମାନଙ୍କ ପରିଚାଳନା କମିଟି ଓ ସ୍ଥାନୀୟ ନେତୃବୃନ୍ଦଙ୍କ ପ୍ରଚେଷ୍ଟା ବଳରେ ସେସବୁ କଲେଜ ୟୁଜିସି ଗ୍ରାଣ୍ଟ ପାଇସାରିଛି। ଅଥଚ ଜଟଣୀରେ ବିଧାୟକ ବଦଳୁଛନ୍ତି, ସରକାର ବଦଳୁଛି, କିନ୍ତୁ କଲେଜ ଅବସ୍ଥା ବଦଳୁନାହିଁ। ଯିଏ ଯେତେବେଳେ ବିଧାୟକ ହେଲେ, କଲେଜ ପାଇଁ ଜମିପଟ୍ଟା କରାଇବେ ବୋଲି କହିଲେ। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଲେ। ମାତ୍ର ସ୍ଥିତି ଯେମିତି ଥିଲା, ସେମିତି ଅଛି। ସୁର ରାଉତରାୟଙ୍କଠାରୁ ଶରତ ପାଇକରାୟ, ଭାଗୀରଥି ବଡ଼ଜେନା ଓ ବିଭୂତି ବଳବନ୍ତରାୟଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ଫଳ ଶୂନ। ସେହିଭଳି ଜିଲ୍ଲା ପ୍ରଶାସନ ବି ଅନେକ ଥର ପ୍ରତିଶ୍ରୁତି ଦେଇଛି। ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଏକଦା ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷରେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/12/dgadggadgad-2025-10-12-02-54-43.jpg)