ବିଶ୍ବବିଦ୍ୟାଳୟଗୁଡ଼ିକୁ ୟୁଜିସିର ନିର୍ଦେଶ, ୩୦ ସୁଦ୍ଧା ଅଭି‌ଯୋଗ ପ୍ରକୋଷ୍ଠ ଖୋଲ

ଭୁବନେଶ୍ବର: କୋଭିଡ-୧୯କୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଗତ ମାସରେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା‌ ନିର୍ଦେଶାବଳି ଜାରି ହୋଇଥିଲା। ଛାତ୍ରଛାତ୍ରୀଙ୍କର ପରୀକ୍ଷା ଓ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରତି ବିଶ୍ବବିଦ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ (ଗ୍ରିଭାନ୍ସ ସେଲ୍‌) ସ୍ଥାପନ କରିବାକୁ ଏଥିରେ କୁହାଯାଇଥିଲା। ଇତିମଧ୍ୟରେ ମାସେ ବିତି ଯାଇଥିଲେ ମଧ୍ୟ କେତେକ ବିଶ୍ବବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ସେଲ୍‌ ପ୍ରତିଷ୍ଠା କରିନାହାନ୍ତି। ଯେଉଁଥି ପାଇଁ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଓ ନୂତନ ଶିକ୍ଷାବର୍ଷ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଏନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିବା ପରେ ଆଜି ୟୁଜିସି ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ରିଭାନ୍ସ ସେଲ୍‌ ପ୍ରତିଷ୍ଠା କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ଛାତ୍ରଛାତ୍ରୀ/ଜଡ଼ିତ ରହିଥିବା ବ୍ୟକ୍ତିବିଶେଷଙ୍କ ସମସ୍ୟାର ସମାଧାନ ଦିଗରେ ବିଶ୍ବବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଟାସ୍କଫୋର୍ସ ପଦ‌କ୍ଷେପ ନେବାକୁ ବି କୁହାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ/ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ କରୋନାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କ ପ୍ଲାନ ପ୍ରସ୍ତୁତ କରିବାକୁ ଗତ ଏପ୍ରିଲ ୨୯ ତାରିଖରେ ୟୁଜିସି ପକ୍ଷରୁ କୁହାଯାଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ଅଧିକ ପ୍ରାଥମିକତା ଦେବାକୁ ବି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଥିଲା। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ୟୁଜିସି ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇ ହେଲ୍‌ପ ଲାଇନ୍‌ ନମ୍ବର ଓ ଇ-ମେଲ୍‌ ଆଇଡି ଜାରି ହୋଇଥିଲା। ଯେଉଁଥିରେ ଏକାଡେମିକ୍‌, ନାମଲେଖା, ପରୀକ୍ଷା, ଫି’, ଅଧ୍ୟାପକଙ୍କ ଦରମା ଆଦି ବିଷୟରେ ଅଭିଯୋଗ ଗ୍ରହଣ ହୋଇଥିବା‌ ୟୁଜିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର