ଛାତ୍ର ଅପହରଣ ଘଟଣାରେ ଜଡ଼ିତ ଅପହର୍ତ୍ତା ଗ୍ୟାଙ୍ଗ୍‌ ଉଜାଲା କାର୍ ଫ୍ୟାସନ୍‌ ମାଲିକଙ୍କୁ ଅପହରଣ କରିଥିଲେ

କାର୍‌ରୁ ଡେଇଁ ଜୀବନ ବଞ୍ଚାଇଥିଲେ ମାଲିକ, ଡ୍ରାଇଭର୍‌

ଭୁବନେଶ୍ୱର: ଛାତ୍ର ଅପହରଣ ଘଟଣାରେ ଜଡ଼ିତ ଅପହର୍ତ୍ତା ଗ୍ୟାଙ୍ଗ୍‌ର ଆଉ ଏକ କାରନାମା ପଦାକୁ ଆସିଛି। ଗତ ଜାନୁଆରିରେ ଏହି ଗ୍ୟାଙ୍ଗ ଖଣ୍ଡଗିରିସ୍ଥିତ ଉଜାଲା କାର୍ ଫ୍ୟାସନ୍‌ର ମାଲିକ ସନ୍ନି ଓ ତାଙ୍କର ଜଣେ ଡ୍ରାଇଭର୍‌ଙ୍କୁ ମଧ୍ୟ ଅପହରଣ କରି ମୁଣ୍ଡ ଜାମିନ୍‌ ରଖିଥିଲେ। ୩୦ଲକ୍ଷ ଟଙ୍କା ଦେଲେ ଛଡ଼ାଯିବ ବୋଲି ସନ୍ନିଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ଧମକାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ସନ୍ନି ଓ ତାଙ୍କ ଡ୍ରାଇଭର୍ କୌଶଳ କରି ଖସି ଆସିଥିଲେ।

ସୂଚନାନୁଯାୟୀ, ଗତ ଜାନୁଆରି ୧୫ ତାରିଖରେ ସନ୍ନିଙ୍କୁ ବ୍ରହ୍ମପୁରରୁ ଏକ ଫୋନ୍ ଆସିଥିଲା। ଗୋଳନ୍ଥରାରେ ଏକ ଆପାର୍ଟମେଣ୍ଟ୍‌ର ଇଣ୍ଟେରିୟର୍ ଡିଜାଇନ୍ ପାଇଁ କଣ୍ଟ୍ରାକ୍ଟ ସାଇନ୍ କରିବାକୁ ଏହି ଗ୍ୟାଙ୍ଗ୍ କହିଥିଲା। ଏଥିପାଇଁ ପ୍ରାୟ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେମାନେ ସନ୍ନିଙ୍କୁ କହିଥିଲେ। ହାତକୁ ଏତେ ବଡ଼ ପ୍ରୋଜେକ୍ଟ ଆସିଥିବାରୁ ସନ୍ନି ଆଗପଛ ବିଚାର ନ କରି ଅପହରଣକାରୀଙ୍କ ପାଖକୁ ତାଙ୍କ କାର୍‌ରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଅପହରଣକାରୀମାନେ ତାଙ୍କୁ ଘର ଦେଖାଇବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ପରେ ଗ୍ୟାଙ୍ଗ୍‌ର ୨ଜଣ ସଦସ୍ୟ ହଠାତ୍ ଆସି ସନ୍ନି ଓ ତାଙ୍କ ଗାଡ଼ି ଚାଳକଙ୍କ ଆଖିକୁ ଲଙ୍କା ଗୁଣ୍ଡ ପକାଇଥିଲେ। ସନ୍ନି ଓ ତାଙ୍କ ଡ୍ରାଇଭର ଚିତ୍କାର କରିବାରୁ ତାଙ୍କ ହାତଗୋଡ଼ ବାନ୍ଧିବା ସହିତ ମୁହଁରେ ଗାମୁଛା ବାନ୍ଧି ଗୋଳନ୍ଥରାର ଏକ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ୨ଜଣଙ୍କ ମୁଣ୍ଡ ଜାମିିନ ରଖି ଅପହରଣକାରୀ ସନ୍ନିଙ୍କ ସ୍ତ୍ରୀ ମୋବାଇଲକୁ ସେମାନଙ୍କୁ ଅପହରଣ କରାଯାଇଥିବା ମେସେଜ୍ କରିଥିଲେ। ୩୦ଲକ୍ଷ ଟଙ୍କା ଦେଲେ ସନ୍ନି ଓ ଡ୍ରାଇଭର ଛାଡ଼ ପାଇବେ ବୋଲି କହିଥିଲେ।

ରାତି ସାରା ଜଙ୍ଗଲରେ ରଖିବା ପରେ ଅପହରଣକାରୀମାନେ ଭୋର୍‌ରୁ ଗଜପତି ଅଭିମୁଖେ ବାହାରିଥିଲେ। ସକାଳ ପ୍ରାୟ ୬ଟାରେ ଗୋଳନ୍ଥରା ଥାନା ଅତିକ୍ରମ କରୁଥିବା ବେଳେ ସନ୍ନି ଓ ତାଙ୍କ ଡ୍ରାଇଭର ଗାଡ଼ିରୁ ଡେଇଁ ଥାନା ଭିତରକୁ ଦୌଡ଼ିଥିଲେ। ତେଣୁ ଅପହରଣକାରୀମାନେ ବାଧ୍ୟ ହୋଇ ସନ୍ନିଙ୍କ ଭର୍ନା କାର୍ ଓ ଭଡ଼ାରେ ଆଣିଥିବା ବାଲେନୋ କାର୍ ନେଇ ଚମ୍ପଟ୍ ମାରିଥିଲେ।

ଅପରପକ୍ଷରେ ସନ୍ନିଙ୍କ ପତ୍ନୀ ଏନେଇ ବିଳମ୍ବିତ ରାତିରେ ପ୍ରଥମେ ଭରତପୁର ଓ ପରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। କମିସନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ରାତି ପ୍ରାୟ ସାଢ଼େ ୨ଟାରେ ସନ୍ନିଙ୍କ ମୋବାଇଲ୍ ଟ୍ରାକ୍‌ କରି ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ସେଠାରେ ସେମାନେ ପହଞ୍ଚିବା ବେଳକୁ ସକାଳ ପ୍ରାୟ ୬ଟା ୧୫ରେ ସନ୍ନି ଓ ତାଙ୍କ ଡ୍ରାଇଭର ଗୋଳନ୍ଥରା ଥାନାରେ ଥିବା ଜାଣିଥିଲେ। ପରେ ଗୋଳନ୍ଥରା ପୁଲିସ ଘଟଣାର ପଚରାଉଚରା କରି ଏହି ଗ୍ୟାଙ୍ଗ୍ ବିରୋଧରେ ଅପହରଣ ଓ ଡକାୟତି ମାମଲା ରୁଜୁ କରିଥିଲା। ଏହା ପରଦିନ ଏକ ନିଛାଟିଆ ସ୍ଥାନରୁ ସନ୍ନିଙ୍କ ଭର୍ନା କାର୍ ଗୋଳନ୍ଥରା ପୁଲିସ ଜବତ କରିଥିଲା। ତେବେ କମିସନରେଟ୍ ପୁଲିସ ଏହି ଗ୍ୟାଙ୍ଗକୁ ଧରିବା ପରେ ଆଜି ଗୋଳନ୍ଥରା ଥାନା ପୁଲିସ ଭୁବନେଶ୍ବର ଆସି ଅପହରଣକାରୀ ଗ୍ୟାଙ୍ଗର ବାଲେନୋ କାର୍ ବ୍ରହ୍ମପୁର ନେଇଛି। ଏହା ସହିତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର