ବାଟବଣା ‘ଉଜ୍ଜ୍ବଳା ଦିଦି’: ଅଧୁରା ରହିଗଲା ମହିଳା ନିଯୁକ୍ତି ଆଶା

ଜନ‌ସେବା ସହଜ କେନ୍ଦ୍ରରେ ପଡ଼ି ରହିଛି ଗଦା ଗଦା ନାପ୍‌କିନ୍

ଭୁବନେଶ୍ବର: ‘ଉଜ୍ଜ୍ବଳା ଦିଦି’ ଯୋଜନାକୁ ବର୍ଷେ ପୂରିଲା। ମାତ୍ର ମହିଳା ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ। ଜନ‌ସେବା ସହଜ କେନ୍ଦ୍ରରେ ନାପ୍‌କିନ୍ ଗଦା ପଡ଼ି ରହିଲା, ଅଥଚ ଉଜ୍ଜ୍ବଳା ଦିଦି ନିଯୁକ୍ତି ହୋଇ ପାରି ନଥିବାରୁ ସେଗୁଡ଼ିକ ବିକ୍ରି ହୋଇପାରିଲା ନାହିଁ। ତେଣୁ ନାପ୍‌କିନ୍‌ ପ୍ରସ୍ତୁତିରେ ଅଧିକରୁ ଅଧିକ ମହିଳା ନିଯୁକ୍ତି ଆଶା ମଧ୍ୟ ଅଧୁରା ରହିଗଲା। ଉଭୟ ସହଜ କେନ୍ଦ୍ର ଓ ମହିଳାମାନଙ୍କ ରୋଜଗାର ଆଶା ମଉଳିବାରେ ଲାଗି ଥିବାରୁ ଉଜ୍ଜ୍ବଳା ଦିଦି ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ୨୦୧୯ ମସିହା ଜାନୁଆାରି ମାସରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଆଇଓସିଏଲ୍‌, ବିପିସିଏଲ୍‌, ଏଚ୍‌ପିସିଏଲ୍‌ ଓ ନାଲ୍‌କୋ ଭଳି କେନ୍ଦ୍ରୀୟ ନିଗମମାନଙ୍କ ସାମାଜିକ କଲ୍ୟାଣ ପାଣ୍ଠିରେ ପରିଚାଳିତ ହେବାକୁ ଥିବା ଏହି ଯୋଜନାକୁ ଖୋର୍ଧା ଜିଲ୍ଲାରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ଜଟଣୀ, ଭୁବନେଶ୍ବର ଓ ଖୋର୍ଧା ବ୍ଲକର ୪ଟି ଜନସେବା କେନ୍ଦ୍ରକୁ ବଛା ଯାଇଥିଲା। ଏହି ସବୁ କେନ୍ଦ୍ରକୁ ନାପ୍‌କିନ୍ ପ୍ରସ୍ତୁତି ପାଇଁ ପ୍ରାୟ ୩ଲକ୍ଷ ଟଙ୍କାର ମେସିନ୍ ଓ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଥିଲା। କେନ୍ଦ୍ର ପକ୍ଷରୁ ସିକ୍ୟୁରିଟି ବାବଦରେ ୨୫ହଜାର ଟଙ୍କା ଜମା କରାଯାଇଥିଲା। ନିୟମାନୁସାରେ, ତାଲିମ୍‌ପ୍ରାପ୍ତ ମହିଳାମାନେ ସହଜ କେନ୍ଦ୍ରରେ ନାପ୍‌କିନ୍ ପ୍ରସ୍ତୁତ କରି‌ବେ। ପ୍ରତି ପଞ୍ଚାୟତରେ ନିଯୁକ୍ତି ପାଇଥିବା ଉଜ୍ଜ୍ବଳା ଦିଦିମାନେ ଏହାକୁ ବିକ୍ରି କରିବାରେ ସହଯୋଗ କରିବେ। ଫଳରେ ଉଚ୍ଚମାନର ନାପ୍‌କିନ୍ ସୁଲଭ ମୂଲ୍ୟ‌ରେ ଗାଁ ଗାଁରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏହାଦ୍ବାରା ଗ୍ରାମାଞ୍ଚଳ ମହିଳାମାନେ ସ୍ବାସ୍ଥ୍ୟ ସଚେତନ ହେବେ। ଉଜ୍ଜ୍ବଳା ଦିଦି ଓ ନାପ୍‌କିନ୍ ତିଆରିରେ ନିୟୋଜିତ ହୋଇଥିବା ମହିଳାମାନେ ଏକ ନୂଆ ରୋଜଗାର ପନ୍ଥା ପାଇ ସ୍ବାବଲମ୍ବୀ ହୋଇପାରିବେ। ଏହା ଏକ ଅତ୍ୟାଧୁନିକ କୁଟୀର ଶିଳ୍ପ ଭାବେ ପରିଗଣିତ ହେବ ‌ବୋଲି ବେଶ୍ ପ୍ରଚାର ହୋଇଥିଲା। ମାତ୍ର ଏବେ ଉଜ୍ଜ୍ବଳା ଦିଦିମାନଙ୍କୁ ଦେଖିବାକୁ ମିଳୁ ନାହିଁ। ନାପ୍‌କିନ୍ ତିଆରି କରିଥିବା ସହଜ କେନ୍ଦ୍ରମାନଙ୍କଠାରୁ କେହି ନାପ୍‌କିନ୍‌ କିଣିବା ନାଁ ଧରୁ ନାହାନ୍ତି। ସେମାନଙ୍କ ପାଖରେ ନାପ୍‌କିନ୍ ଗଦା ହୋଇ ପଡ଼ି ରହିଛି। ଯିଏ ପାରିଲା, ନିଜ ଉଦ୍ୟମ‌ରେ କିଛି ଯାଚିଗୁଞ୍ଜି ବିକି ପାରିଛି ଓ ଅବଶିଷ୍ଟ ସେମିତି ପଡ଼ି ରହିଛି।

ସେମାନଙ୍କ କହିବା କଥା, ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ନାପ୍‌କିନ୍‌କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ମାତ୍ର ଉଚ୍ଚମାନର ହୋଇ ମଧ୍ୟ ସହଜ କେନ୍ଦ୍ର ସାମଗ୍ରୀର ଚାହିଦା ନାହିଁ। କାରଣ ଲୋକଙ୍କୁ ବୁଝାଇବା ଓ ପ୍ରଚାର କରିବାର ମୁଖ୍ୟ ମାଧ୍ୟମ ଉଜ୍ଜ୍ବଳା ଦିଦି ନାହାନ୍ତି ଏବଂ କମ୍ପାନି ପ୍ରସ୍ତୁତ ନାପ୍‌କିନ୍ ଭଳି ସୁନ୍ଦର ପ୍ୟାକିଂ ଓ ବିଜ୍ଞାପନ ନାହିଁ। ଏ ନେଇ ଏହି ଯୋଜନାର ଖୋର୍ଧା ଜିଲ୍ଲା ସଂଯୋଜକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ପ୍ରତି ପଞ୍ଚାୟତରେ ଉଜ୍ଜ୍ବଳା ଦିଦିମାନେ ନିଯୁକ୍ତି ପାଇଛନ୍ତି, ମାତ୍ର ସେମାନେ ସକ୍ରିୟ ହୋଇନାହାନ୍ତି। ତେଣୁ ଏଭଳି ସମସ୍ୟା ଦେଖାଦେଇଛି। ଆଗକୁ ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର