ଆଗେଇ ପାରୁନି ବସ୍‌ଷ୍ଟାଣ୍ଡ ନବୀକରଣ କାମ, ବିଡିଏ ବୈଠକ‌ ଉପରେ ନଜର

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଆଗେଇ ପାରୁନି। ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଶେଷକରି ଗୋପବନ୍ଧୁ ବ୍ୟବସାୟୀ ସଂଘର ବିରୋଧ ଏହି କାର୍ଯ୍ୟ‌ରେ ବଡ଼ ସମସ୍ୟା ହୋ‌ଇ ଠିଆ ହୋଇଛି। ତେବେ ବିଡିଏ ପକ୍ଷରୁ ଶୁକ୍ରବାର ଆୟୋଜିତ ହେବାକୁ ଥିବା ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ବୈଠକ ସଫଳ ହେଲେ ନବୀକରଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି କୁହାଯାଉଛି।

ଗତ ୧୯ ତାରିଖରେ ବସଷ୍ଟାଣ୍ଡରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ବିଡିଏ ନୋଟିସ୍ କରିଥିଲା। ମାତ୍ର ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଥିଲା। ଉଚ୍ଛେଦ ଉପରେ ରହିତାଦେଶ ଥିବା ଓ ସ୍ଥିତାବସ୍ଥା ବଜାୟ ରହିବ ବୋଲି ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଖାଇବା ପରେ ବିଡିଏ ପଛଘୁଞ୍ଚା ଦେଇଥିଲା। ବୁଧବାର ବିଡିଏ ସଂଘକୁ ଚିଠି କରିଛି। ଗୁରୁବାର ଦିନ ୧୧ଟାରେ ବିଡିଏ ଉପାଧ୍ୟକ୍ଷଙ୍କ ସଭାପତିତ୍ବରେ କନ୍‌ଫରେନ୍ସ ହଲ୍‌ରେ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

ଏଥିରେ ଓଏସ୍‌ଆର୍‌ଟିସିର ମହାପ୍ରବନ୍ଧକ, ବିଡିଏର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବିଡିଏର ଜମି ଓ ଲିଗାଲ୍‌ ସେଲ୍‌ର ଦୁଇ ସ୍ପେସାଲ୍ ଡ୍ୟୁଟି ଅଧିକାରୀ(ଓଏସ୍‌ଡି), ବସ୍‌ ମାଲିକ ସଂଘର ସାଧାରଣ ସଂପାଦକ ଏବଂ ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଏବଂ ସମ୍ପାଦକଙ୍କୁ ବୈଠକରେ ଉପସ୍ଥିତ ହେବା ପାଇଁ ଚିଠି କରାଯାଇଛି। ଏହି ବୈଠକରେ ଦୋକାନୀମାନଙ୍କ ସମେତ ବସ୍‌ ମାଲିକମାନଙ୍କ ସମସ୍ୟା ଉପରେ ଆଲୋଚନା ହେବ। କାମ ଚାଲିବାବେଳେ ବସ୍‌ଗୁଡ଼ିକର ରହଣି, ଚଳାଚଳ ସମୟ ବାବଦରେ ନିଷ୍ପତ୍ତି ନିଆଯିବ। ସେହିଭଳି ବ୍ୟବସାୟୀ ସଂଘକୁ ବାରମ୍ବାର ଉଚ୍ଛେଦ ନୋଟିସ ପଠା ଯାଉଥିଲେ ମଧ୍ୟ ସେମାନଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବ୍ୟବସାୟୀମାନେ ମଧ୍ୟ ଜାଗା ଛାଡ଼ୁନାହାନ୍ତି। ସେ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ ଓ କୌଣସି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି। ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ କହିଛି ଯେ ଦୋକାନ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ବସଷ୍ଟାଣ୍ଡ୍ କାମ ଶେଷ ହେବା ପର୍ଯ୍ୟନ୍ତ ଥଇଥାନ ଏବଂ କାମ ଶେଷ ହେବା ପରେ ପୁନଃ ସେଠାରେ ଦୋକାନ ଘର ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲେ ସେମାନେ ବସଷ୍ଟାଣ୍ଡରେ ନବୀକରଣ କାମରେ ବିଡିଏକୁ ପୂର୍ଣ୍ଣ ସହଯୋଗ କରିବେ।

ସମ୍ବନ୍ଧିତ ଖବର