ଅଘୋଷିତ ବିଦ୍ୟୁତ୍‌ କାଟ୍‌, ଦିନକୁ ୧୦ରୁ ୧୫ ଥର କଟୁଛି ଲାଇନ୍‌

ତାତିରେ ଲୋକେ ଆଉଟୁପାଉଟୁ

ଚନ୍ଦ୍ର‌ଶେଖରପୁର: ଗ୍ରୀଷ୍ମ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ତା’ଭିତରେ ସପ୍ତାହେ ହେଲା ଚନ୍ଦ୍ରଶେଖରପୁର ସମେତ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ କରିପକାଇଛି। ସହର ଉପକଣ୍ଠ କଥା ନ କହିବା ଭଲ। ରାଜଧାନୀରେ ବଡ଼ବଡିଆ ରହୁଥିବା ପ୍ରମୁଖ ଅଞ୍ଚଳକୁ ଛାଡିଦେଲେ, ଅନ୍ୟ ଅଞ୍ଚଳରେ ଦିନକୁ ଏକାଧିକ ଥର ବିଦ୍ୟୁତ କାଟ୍‌ ହେଉଛି। ଦିନ ହେଉ କି ରାତି ସବୁବେଳେ ଘଣ୍ଟାଏ ଦୁଇ ଘଣ୍ଟା ବ୍ୟବଧାନରେ ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ସମସ୍ୟା ଏବେ ଜଟିଳ ହୋଇଛି। ବିଦ୍ୟୁତ୍‌ ବିଭ୍ରାଟ ନେଇ ଗ୍ରାହକମା‌ନେ ସେକ୍ସନ ଅଫିସ୍‌କୁ ଫୋନ୍‌ କଲେ କୌଣସି ଉତ୍ତର ମିଳୁ ନ ଥିବା ଅଭିଯୋଗ ହୋଇଛି।

ବଡ଼ କଥା ହେଉଛି, ଅଘୋଷିତ ବିଦ୍ୟୁତ୍‌ କାଟ କାରଣରୁ ପାଇପ ଜଳଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେଉଛି। ଯେଉଁ ସବୁ ଗାଁର ଲୋକେ ପାଇପ୍‌ ଜଳଯୋଗାଣ ଉପରେ ଲୋକେ ନିର୍ଭର କରୁଛନ୍ତି, ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ସହର ଉପକଣ୍ଠ ଗ୍ରାମାଞ୍ଚଳରେ ଦିନକୁ ପ୍ରାୟ ୨ଘଣ୍ଟା ଲେଖାଏଁ ବିଦ୍ୟୁତ୍‌ କଟୁଥିବା ବେଳେ ସହରାଞ୍ଚଳରେ ଦିନକୁ ୧୦ରୁ ୧୫ଥର ବିଦ୍ୟୁତ୍‌ କାଟ୍‌ କାରଣରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଦ୍ୟୁତ୍‌ କାଟ ପୂର୍ବରୁ ସୂଚନା ଦେବା ଲାଗି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗର ସ୍ପଷ୍ଟ ନିର୍ଦେଶ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି। କେବଳ ସେତିକି ନୁହେଁ, ଅଧିକାରୀମାନେ ଫୋନ୍‌ ତ ଧରୁନାହାନ୍ତି, ଜାଣିବା ପରେ ବି ତତ୍କାଳ ବିଦ୍ୟୁତ୍‌ ଯୋଗାଣ ଲାଗି ପଦକ୍ଷେପ ନିଆଯାଉ ନାହିଁ। ଲକ୍‌ଡାଉନ୍‌ ପାଇଁ ଏବେ ସହରର ଅଧିକାଂଶ ଶିଳ୍ପାନୁଷ୍ଠାନ, କାରଖାନା ଆଦି ବନ୍ଦ ରହିଛି। ବେସରକାରୀ କାର୍ଯ୍ୟାଳୟ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। ତେଣୁ ଯେତିକି ବିଦ୍ୟୁତ୍‌ ବ୍ୟବହାର ହେବା କଥା, ତା’ଠାରୁ ବହୁତ କମ୍‌ ବ୍ୟବହାର ହେଉଛି। ତା’ପରେ ବି ଘନଘନ ବିଦ୍ୟୁତ କାଟ୍ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି।

ଚନ୍ଦ୍ରଶେଖରପୁର ଅଞ୍ଚଳର ଡିଷ୍ଟ୍ରିକ୍ଟ ସେଣ୍ଟର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ବିଡିଏ କଲୋନି, ଡମଣା, କାନନ ବିହାର, ମୈତ୍ରୀବିହାର ଅଞ୍ଚଳରେ ପ୍ରାୟ ୧୦ ଦିନ ହେଲା ଏମିତି ସମସ୍ୟା ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ‌ସେହିପରି ରାଜଧାନୀ ଉପକଣ୍ଠ ଯାଁଳା, ତମାଣ୍ଡୋ, କଳିଙ୍ଗବିହାର, ପାତ୍ରପଡ଼ା, ଡୁମୁଡୁମା, ବଡ଼ଗଡ଼, ଚକେଇସିଆଣି ପ୍ରଭୃତି ଅଞ୍ଚଳରେ ବି ଘନଘନ ବିଦ୍ୟୁତ୍‌ ବିଭ୍ରାଟ ଜାରି ରହିଛି। ଏନେଇ ‌ନିକଟସ୍ଥ ସେକ୍ସନ ଅଧିକାରୀଙ୍କୁ ଯୋଗାଯୋଗ କଲେ ଉତ୍ତର ମିଳୁଛି ଓଭରଲୋଡ୍‌ ଯୋଗୁଁ ବାରମ୍ବାର ଫ୍ୟୁଜ୍‌ କଟୁଛି। ସମସ୍ୟାର ସମାଧାନ ହୋଇଯିବ।
ବିସିଡିଡି-୨ର ଜଣେ କର୍ମଚାରୀଙ୍କ କହିବାନୁଯାୟୀ, ଗତ ୬ଦିନ ହେଲା ଏଭଳି ସମସ୍ୟା ହେଉଛି। ହଠାତ୍‌ ଲୋଡ୍‌ ବଢ଼ିଯିବାରୁ କେତେକ ସେକ୍ସନରେ ଫ୍ୟୁଜ୍‌ କଟିଯାଉଛି। ମରାମତି ପାଇଁ ବି ସମୟ ଲାଗୁଛି। ତେଣୁ ୨୦ରୁ ୨୫ମିନିଟ୍‌ ବିଳମ୍ବ ହେଉଛି। ତା’ ସାଙ୍ଗକୁ ସେକ୍ସନଗୁଡ଼ିକରେ ଏବେ ଆବଶ୍ୟକତାଠାରୁ ବହୁ କମ୍‌ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମରାମତି ବି ଠିକ୍‌ ଭାବେ ହେଉ ନାହିଁ। ରାତିରେ ଯେଉଁ ଜଣେ ଦୁଇ ଜଣ କର୍ମଚାରୀ ରହୁଥିବାରୁ ‌ସେମାନେ ମରାମତି କରି ସେବା ଯୋଗାଇବା ସମ୍ଭବପର ହେଉ ନାହିଁ।

ସମ୍ବନ୍ଧିତ ଖବର