ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ ପାଇଁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ, ୧୦ ଜଣ ହୋମଗାର୍ଡ଼, ୧୦ଜଣ ମହିଳା କନଷ୍ଟେବଳ ମୁତୟନ କରାଯାଇଥିଲା। ସେହିପରି ଲିଙ୍ଗରାଜ ମନ୍ଦିର ପାଇଁ ୨ପ୍ଲାଟୁନ୍ ଫୋର୍ସ, ଜଣେ ଅତିରିକ୍ତ ଡିସିପି, ଜଣେ ଏସିପି, ଇନ୍ସ୍ପେକ୍ଟର ୨ଜଣ, ସବ୍ଇନ୍ସପେକ୍ଟର ୪ଜଣ, ଏଏଏସ୍ଆଇ ୬ଜଣ ଉପସ୍ଥିତ ଥିଲେ। ଏଥିସହ ଓଡ୍ରାଫ ଓ ଦମକଳ ବାହିନୀ ଉପସ୍ଥିତ ଥିଲେ। ଟ୍ରାଫିକ୍ ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ରାତି ୧ଟାରୁ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ରାତି ଅଧରୁ ଲୋକଙ୍କ ଭିଡ଼ ଟ୍ରାଫିକ୍ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲା। ଏପଟେ ସାନିଟାରିୟମ ଛକ ଠାରୁ ଆରମ୍ଭ କରି ରବି ଟକିଜ୍, ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ସାମନ୍ତରାପୁର ଛକ ସମେତ ବିନ୍ଦୁସାଗରକୁ ସଂଯୋଗ କରୁଥିବା ସବୁ ରାସ୍ତା ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଥିଲା। ଏଥିପାଇଁ ରବି ଟକିଜ୍ରୁ ମାଉସୀ ମା’ ଛକ ଭିଡ଼ ଥିବାରୁ ସାଧାରଣ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ଭିଡ଼ ଭିତରେ ଆମ୍ବୁଲାନ୍ସ ବି ଫସି ରହିଥିଲା। ଲୋକେ ଅତ୍ୟନ୍ତ ବେପରୁଆ ଭାବେ ରାସ୍ତା ଉପରେ ଗାଡ଼ି ରଖି ଦେବାରୁ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନନ୍ତ ବାସୁଦେବ ସହ ବିଭିନ୍ନ ମନ୍ଦିରରେ ପ୍ରସାଦ ପାଇଁ ଭିଡ଼
ଭୁବନେଶ୍ବର: ବିନ୍ଦୁସାଗରରେ ଡଙ୍ଗା ଭସାଇବା ପରେ ପ୍ରଭୁ ଅନନ୍ତବାସୁଦେବଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଲାଗିଥିଲା। ଦର୍ଶନ ଭିଡ଼ ନକମୁଣୁ ଅନନ୍ତବାସୁଦେବଙ୍କ ଦିବ୍ୟ ପ୍ରସାଦ ପାଇଁ ରାଜଧାନୀବାସୀ ଧାଇଁ ଆସିଥିଲେ। ଭକ୍ତଙ୍କ ଚାହିଦାକୁ ଦେଖି ଆଜି ଭୋର୍ରୁ ମନ୍ଦିର ପରିସରରେ ଅବଢ଼ା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଠାକୁରଙ୍କ ପାଖରେ ଭୋଗ ଲାଗିବା ପରେ ଆନନ୍ଦ ବଜାରରେ ବିକ୍ରି ଆରମ୍ଭ ହୋଇଥିଲା। ଭିଡ଼ ଏଭଳି ହୋଇଥିଲା ଯେ, ଦିନ ୧୧ଟା ବେଳକୁ ଆନନ୍ଦ ବଜାରରେ ପାଦ ପକାଇବାକୁ ଜାଗା ନଥିଲା। ସେପଟେ ଅନ୍ନ ସାଙ୍ଗକୁ , ଡାଲି, ଶାଗମୁଗ, ବେସର, ଦହିପାଚେଡ଼ି ପ୍ରମୁଖ ବୋହି ନେଇଥିଲେ ଲୋକେ। ଅଧିକାଂଶ ବରାଦି ଥିବାରୁ କିଛି ସମୟ ଭିତରେ ଖାଲି ହୋଇ ଗଲା ଆନନ୍ଦ ବଜାର। ଫଳରେ ଖାଇବାକୁ ଜଣେ ଦୁଇ ଜଣ ଆସିଥିବା ବେଳେ ପ୍ରସାଦ ନପାଇ ହନ୍ତସନ୍ତ ହୋଇଥିଲେ। ତେବେ ପୂର୍ବ ଦିନମାନଙ୍କରେ ୮୦ରୁ ଶହେ ଟଙ୍କାରେ ଜଣଙ୍କ ପାଇଁ ପ୍ରସାଦ ହେଉଥିବା ବେଳେ ଆଜି ୧୫୦ରୁ ୨୫୦ ଟଙ୍କା ଦର ଦେବାକୁ ପଡ଼ିଥିଲା।
ନିୟମ ମାନିଲେନି: ମନଇଚ୍ଛା ବାଣ ଫୁଟାଇଲେ
ଭୁବନେଶ୍ବର: ନିକଟରେ ଯାଇଛି ଦୀପାବଳି। ରାଜଧାନୀବାସୀ ୨ ଦିନ ଦୀପାବଳି ପାଳିଲେ। କମିସନରେଟ ପୁଲିସର କଟକଣା ମାନିଲେ ନାହିଁ। ଦିନ ରାତି ବାଣ ଫୁଟାଇଲେ। ଫଳରେ ବାୟୁର ଗୁଣବତ୍ତା (ଏକ୍ୟୁଆଇ) ବିଗିଡ଼ି ଯାଇଥିଲା। ଦିନରେ ରାଜଧାନୀ ଧୂଆଁ ଧୂଆଁ ହୋଇ ଯାଇଥିଲା। ତେବେ ୧୦ ଦିନ ନଯାଉଣୁ ଆଜି କାର୍ତ୍ତିକ ପୂର୍ଣ୍ଣମୀରେ ପୁଣି ମନଇଚ୍ଛା ବାଣ ଫୁଟାଇ ପରିବେଶକୁ ବିଗାଡ଼ିଛନ୍ତି ଲୋକେ। ଆଜି ଡଙ୍ଗା, ଦୀପ ସହ ବାଣ ଦୋକାନ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଲିଥିଲା। ଫଳରେ ଲୋକମାନେ ଡଙ୍ଗା ଭସାଇବା ସହ ଝୁର୍ଝୁରି ଓ ଶବ୍ଦ କରୁଥିବା ପୁଳା ପୁଳା ବାଣ ଫୁଟାଇଥିଲେ। ବିନ୍ଦୁସାଗର କୂଳରେ କିଛି ଲୋକ ବାଣ ଲଗାଇ ପାଣିକୁ ଫିଙ୍ଗିଥିଲେ। ଆଉ କିଛି ରାସ୍ତା ଉପରେ ବାଣ ଫୁଟାଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।
ବିନ୍ଦୁସାଗର ସଫାକଲେ ଆଇଆଇଟିଟିଏମ୍ ଛାତ୍ରଛାତ୍ରୀ
ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ୍ ଟ୍ରାଭେଲ୍ ମ୍ୟାନେଜ୍ମେଣ୍ଟ୍’(ଆଇଆଇଟିଟିଏମ୍) ଶିକ୍ଷାନୁଷ୍ଠାନ ପକ୍ଷରୁ ବିନ୍ଦୁସାଗର ସଫେଇ କରାଯାଇଥିଲା। ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପାଣିରେ ଭସାଯାଇଥିବା ଡଙ୍ଗ ସଫା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ଶୈଳକ୍ରିଷ୍ଣା ପଟ୍ଟନାୟକ, ଅମନ ସରାଫ୍, ଦୀଶା ମଣ୍ଡଳ ଓ ଅଖସରା ପ୍ରମୁଖ ଯୋଗ ଦେଇଥିଲେ।