ଅସହ୍ୟ ଖରାରେ ସଂଜ୍ଞା ହରାଇଲେ ୪

ଚନ୍ଦ୍ରଶେଖରପୁର : ଆଜି ରାଜଧାନୀରେ ଅସହ୍ୟ ଖରା ଓ ପ୍ରଚଣ୍ଡ ଗରମ ଯୋଗୁଁ ପୃଥକ ପୃଥକ ସ୍ଥାନରେ ୪ ଜଣ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଛନ୍ତି।

ସ୍ଥାନୀୟ ପୁଲିସ୍ ସୂଚନାନୁସାରେ ଆଜି ମଧ୍ୟାହ୍ନରେ ମଞ୍ଚେଶ୍ବର କେନାଲ୍ ବନ୍ଧରୁ ପଦାସାହି କାର୍ତ୍ତିକ ସାହୁ(୬୨)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ପଟିଆ ଆଡ଼କୁ ସାଇକେଲରେ ଆସୁଥିବା ବେଳେ କାଳିଖମା ପୋଲ ନିକଟରେ ଅସୁସ୍ଥ ହୋଇ ଏକ ଗଛମୂଳରେ ପଡ଼ି ଯାଇଥିଲେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ତାଙ୍କ ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍‌ସ ଯୋଗେ ହସ୍ପିଟାଲ୍ ନେଇ ଯାଇଥ‌ିଲେ। ସେହିଭଳି ପଟିଆ ଶବରସାହିର ହରି ନାୟକ (୬୦) କଳାରାହାଙ୍ଗ ଆର୍‌ଆଇ କାର୍ଯ୍ୟାଳୟରୁ ଫେରୁଥିବା ବେଳେ ଗାଡ଼କଣର ‌ଗୁରୁ କେଳୁଚରଣ ମହାପାତ୍ର ପାର୍କ ନିକଟରେ ଅଂଶୁଘାତର ଶିକାର ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକ‌େ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେହିଭଳି ଡମଣା ଛକରୁ ରଘୁନାଥପୁର ଯାଉଥିବା ଜଣେ ଫଳ ବ୍ୟବସାୟୀ କାନନବିହାର ଛକ ନିକଟ ଫୁଟ୍‌ପାଥରେ ଟଳି ପଡ଼ିଥିଲେ। ସ୍ଥାନୀୟ ଏକ ଶିକ୍ଷାନୁଷ୍ଠାନର ଛାତ୍ରମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଦ୍ବାରା ନିକଟସ୍ଥ ହସ୍ପିଟାଲ୍‌କୁ ନେଇଥିଲେ। ଅନ୍ୟ ଏକ ଘଟଣାରେ ଜାଭିୟର୍ ଛକ ନିକଟରେ ଜଣେ ମୋପେଡ୍‌ ଚାଳକ ମଧ୍ୟ ଖରା ଯୋଗୁଁ ଅଚେତ ହୋଇପଡ଼ିଥିଲେ। ସେଠାରେ କର୍ତ୍ତବ୍ୟରତ ଦୁଇ ଟ୍ରାଫିକ୍ କର୍ମଚାରୀ ତୁରନ୍ତ ତାଙ୍କ ପ୍ରାଥମିକ ଚିକିତ୍ସା କରାଇ ଆମ୍ବୁଲାନ୍‌ସ ଯୋଗେ ହସ୍ପିଟାଲ୍ ପଠାଇଥିଲେ। ଅଂଶୁଘାତର ଶିକାର ହୋଇଥିବା ଏହି ବ୍ୟକ୍ତିମାନେ ସୁସ୍ଥ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର