ଗୁଳୁଗୁଳିରେ ରାଜଧାନୀବାସୀ ଅତିଷ୍ଠ: ଚିନ୍ତା ବଢ଼ାଇଛି ଅତିବାଇଗଣୀ ରଶ୍ମି

ଭୁବନେଶ୍ବର: ପ୍ରଚଣ୍ଡ ରୌଦ୍ରତାପରେ ରାଜଧାନୀ ସନ୍ତୁଳି ହେଉଥିବା ବେଳେ ଆଜି କିନ୍ତୁ ରାଜଧାନୀ ତାପମାତ୍ରା ଗତକାଲିଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିଲା। ତଥାପି ତାତି କମିବାର ନାଁ ନେଉନଥିଲା। ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଆଜି ଭିନ୍ନ ଭିନ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବର ବିମାନବନ୍ଦର ଅଞ୍ଚଳରେ ୪୦.୮ ଡିଗ୍ରି, ରାଜୀବ ଭବନ ଅଞ୍ଚଳରେ ୪୧.୬ ଡିଗ୍ରି, ଜଟଣୀରେ ୪୨ ଡିଗ୍ରି ଓ ଓୟୁଏଟି ଅଞ୍ଚଳରେ ୩୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଗତକାଲି ଭଳି ଆଜି ସକାଳୁ ମଧ୍ୟ ସୂର୍ଯ୍ୟକିରଣର ପ୍ରଖରତା ଖୁବ୍‌ ଅଧିକ ଥିଲା। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ତାତି ୩୯.୪ ଡିଗ୍ରି ଅତିକ୍ରମ କରିଥିଲା। ଅପରାହ୍ନ ଆଡ଼କୁ ଏହା କମି ସାଢ଼େ ୨ଟା ସୁଦ୍ଧା ୩୮.୬ ଡିଗ୍ରିରେ ପହଞ୍ଚିଥିଲା।

ପୁଣି ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ତାତି ବଢ଼ି ୪୦.୮ ଡିଗ୍ରିରେ ପହଞ୍ଚିଥିଲା। ଦିନ ସାରା ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରିଥିଲା। ସଂଧ୍ୟା ସାଢ଼େ ୬ଟା ଯାଏ ତାତିର ପ୍ରଭାବ ଅନୁଭୂତ ହୋଉଥିଲା। ଅନ୍ୟପଟେ ସୂର୍ଯ୍ୟଙ୍କ କିରଣ ଆଜି ଭିନ୍ନ ଥିଲ‌ା। ୫ ମିନିଟ୍‌ ବି ଖରାରେ ଠିଆ ହେବା ଅସହ୍ୟ ହୋଇପଡ଼ିଥିଲା। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଧିକ ତାପମାତ୍ରା ସହିତ ଅତ୍ୟଧିକ ଅତିବାଇଗଣୀ ରଶ୍ମି ଓ ସୂର୍ଯ୍ୟ ଉତ୍ତାପ (ଲ୍ୟାଟେଣ୍ଟ ହିଟ୍‌) ମଣିଷ ପାଇଁ କ୍ଷତିକାରକ। ଆଜି ଭୁବନେଶ୍ବରରେ ଅତିବାଇଗଣୀ ରଶ୍ମି ବିକିରଣ ଇଣ୍ଡେକ୍ସ ୧୨ ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହା ଏହିଭଳି ରହିବ। ସୌରତାପରେ ଅତିବାଇଗଣୀ ରଶ୍ମିର ଇଣ୍ଡେକ୍ସ ଅଧିକ ରହିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହାର ମାତ୍ରା ଅଧିକ ରହିବ। ମାତ୍ର ୫ ମିନିଟ୍‌ ବି ଖରାକୁ ସିଧାସଳଖ ବାହାରିଲେ ହେଲେ ସ୍ବାସ୍ଥ୍ୟହାନୀ ସହ ତ୍ବରିତ ବେଗରେ ବୟସ ବଢ଼ିବା ଓ ଚର୍ମ କର୍କଟ ଭଳି ରୋଗର ସମ୍ଭାବନା ବଢ଼ିବ। ଦ୍ବିତୀୟତଃ ରାଜଧାନୀରେ ଆର୍ଦ୍ରତା ଅଧିକ ଓ ସୌର ଉତ୍ତାପ ଯୋଗୁଁ ତାପମାତ୍ରାଠାରୁ ଅଧିକ ୬ ଡିଗ୍ରି ଅନୁଭୂତ ହେଉଛି ଓ ଆଗକୁ ଏହା ଜାରି ରହିବ ବୋଲି ଡ. ପଶୁପାଳକ କହିଛନ୍ତି।

ମଙ୍ଗଳବାରଠାରୁ ରାଜଧାନୀର ତାପମାତ୍ରା ଧୀରେଧୀରେ କମିବା ଆରମ୍ଭ କରିବ। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ମଧ୍ୟରେ ରହିବ। ୩୦ ତାରିଖ ଆଡ଼କୁ ଉପକୂଳ ଓଡ଼ିଶା ସମେତ ରାଜଧାନୀରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ପରେ ମେ’ ୩ ତାରିଖ ପର୍ଯ୍ୟନ୍ତ ୩୮ ଡିଗ୍ରି ବା ଏହା ପାଖାପାଖି ରହିବ ରାଜଧାନୀ ତାତି। ତେବେ ଗତ ଦୁଇ ଦିନ ଅପେକ୍ଷା ଆଜି ତାତି କମ୍‌ ରହିଥିଲେ ସୁଦ୍ଧା ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ଯୋଗୁଁ ଗରମ ଅଧିକ ରହିଥିଲା।

ସମ୍ବନ୍ଧିତ ଖବର