କିମ୍‌ସରେ ବିରଳ ଅସ୍ତ୍ରୋପଚାର

ଚନ୍ଦ୍ରଶେଖରପୁର: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (କିମ୍‌ସ୍‌)ରେ ଟ୍ରାନ୍‌ସକ୍ୟାଥେଟର୍‌ ଆଓର୍ଟିକ ଭାଲ୍‌ଭ ପ୍ରତିରୋପଣ (ଟିଏଭିଆର୍‌) କୁହାଯାଉଥିବା ବିରଳ ହୃଦ୍‌ରୋଗ ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମଥର ପାଇଁ କରାଯାଇଛି।  କିମ୍‌ସ ହୃଦ୍‌ଶଲ୍ୟ ବିଭାଗର ଡ. ଅନୁପମ ଜେନାଙ୍କ ନେତୃତ୍ୱରେ ବିନା ଓପନ ହାର୍ଟ ସର୍ଜରିରେ ଭାଲ୍‌ଭ ପ୍ରତିରୋପଣ ଭଳି ଏହି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି। ଡ. ଜେନା ଓ ତାଙ୍କ ସହଯୋଗୀ ଆମେରିକାର ଡ. ମାଇକେଲ୍‌ କାସ୍‌କେଙ୍କୁ ନେଇ ଏକ ଡାକ୍ତରୀଦଳ ଜଣେ ୭୨ବର୍ଷ ବୟସ୍କା ମହିଳାଙ୍କଠାରେ ସଫଳତାର ସହ ଏଭଳି ବିରଳ ଅସ୍ତ୍ରୋପଚାର କରିଛନ୍ତି। ମହିଳାଙ୍କ ଆଓର୍ଟିକ୍‌ ଭାଲ୍‌ଭଟି ଅଣଓସାରିଆ ହୋଇଯାଇଥିବା ଯୋଗୁଁ ସେ ଦୀର୍ଘ ଦିନ ଧରି ଛାତିରେ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ଅସୁବିଧା ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଏଭଳି ଅବସ୍ଥାରେ ଜଣେ ବୟସ୍କା ରୋଗୀଙ୍କଠାରେ ଓପନହାର୍ଟ ସର୍ଜରି କରିବା ବିପଜ୍ଜନକ ଥିବାରୁ ଏଭଳି ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅସ୍ତ୍ରୋପଚାର ପରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଏଭଳି ଅସ୍ତ୍ରୋପଚାରରେ ରୋଗୀଙ୍କୁ ପ୍ରାୟ ୩ରୁ ୫ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବାକୁ ପଡ଼ୁଥିବାରୁ ଏହା ଅପେକ୍ଷାକୃତ କମ ଖର୍ଚ୍ଚ ଓ ଯନ୍ତ୍ରଣାମୁକ୍ତ ଅସ୍ତ୍ରୋପଚାର ବୋଲି ଡ. ଜେନା ପ୍ରକାଶ କରିଛନ୍ତି। ଏଫ୍‌ଡିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ପଦ୍ଧତି ସଂପୂର୍ଣ୍ଣ ନୂତନ ଏବଂ ଏହାଦ୍ୱାରା ଓପନ୍‌ ହାର୍ଟ ସର୍ଜରି ନକରି ଛାତିରେ ଏକ କ୍ଷୁଦ୍ର କଣା କରାଯାଇ ଭାଲ୍‌ଭ ପ୍ରତିରୋପଣ କରାଯାଇଥାଏ। ଏଭଳି ଏକ ନୂତନ ପଦ୍ଧତିରେ ବିରଳ ଅସ୍ତ୍ରୋପଚାର କରିଥିବା ଡ. ଅନୁପମ ଜେନା ଓ ତାଙ୍କ ଟିମ୍‌କୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର