ଅନିଶ୍ଚିତତାରେ ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

୧୭ରେ ସବୁ ରାଜ୍ୟ ଶିକ୍ଷା ସଚିବଙ୍କ ବୈଠକ, ଅନ୍‌ଲାଇନ୍‌ରେ ଉଠିଲାଣି ଛାତ୍ରଛାତ୍ରୀଙ୍କ ସ୍ବର

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ ନା ନାହିଁ? ନା ଦଶମ ପରୀକ୍ଷା ଭଳି ଏହାକୁ ମଧ୍ୟ ବାତିଲ୍‌ କରାଯିବ। ଯଦି ପରୀକ୍ଷା ହୁଏ, କେବେ ହେବ? କେଉଁ ପଦ୍ଧତିରେ କରାଯିବ? ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌ରେ ପରୀକ୍ଷା ଦେ‌ବେ? ଜୁନ୍‌ ପ୍ରଥମ ସପ୍ତାହ ଯେତେ ପାଖେଇ ଆସୁଛି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଦେଶରେ କରୋନା ସଂକ୍ରମଣ ଏବେ ବି ଉପରମୁହାଁ ରହିଥିବାରୁ ଜୁନ୍‌ ମାସ ଭିତରେ ସ୍ଥିତିରେ ସୁଧାର ଆସିବା ସମ୍ଭାବନା କ୍ଷୀଣ। ତେଣୁ ପରୀକ୍ଷା ହେବା ନେଇ ଆଶଙ୍କା ଦେଖାଦେଇଛି। ପରୀକ୍ଷା ବଦଳରେ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ ଲାଗି ସ୍ବର ଉଠିଲାଣି। ଇତିମଧ୍ୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ଦାବିରେ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାୟର୍‌ ହୋଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ସାରା ଦେଶରେ ଏବେ ପରୀକ୍ଷା ବାତିଲ୍‌ ଦାବି ଜୋର୍‌ ଧରିଛି। ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ସିବିଏସ୍‌ଇକୁ ଟ୍ବିଟ୍‌ କରି ପରୀକ୍ଷା ବାତିଲ୍‌ କରିବାକୁ କହୁଛନ୍ତି। ତେବେ ସିବିଏସ୍‌ଇ ପକ୍ଷରୁ ଏପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ ସୂଚନା ‌ଦିଆଯାଇ ନାହିଁ। ଜୁନ୍‌ ପ୍ରଥମ ସପ୍ତାହରେ ସ୍ଥିତିର ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେତେଜଣ ଶିକ୍ଷାବିତ୍‌ଙ୍କ ମତ ‌ହେଉଛି ଯେ ଏ‌ହି ପରୀକ୍ଷା ପିଲାଙ୍କ ଭବିଷ୍ୟତ ଉପରେ ନିର୍ଭର କରେ। ତେଣୁ ବାତିଲ୍‌ କରିବା ଦ୍ବାରା ବହୁ ସମସ୍ୟା ସୃଷ୍ଟି ହେବ। ଯେକୌଣସି ପଦ୍ଧତି ହେଉ ନା କାହିଁକି, ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଉ। ଆଉ କିଛି ଶିକ୍ଷାବିତ୍‌ଙ୍କ ମତ ହେଉଛି ପରୀକ୍ଷାକୁ ବାତିଲ୍‌ କରାଯାଇ ବିକଳ୍ପ ମୂଲ୍ୟାୟନରେ ମାର୍କ ଦିଆଯାଉ।

ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପରୀକ୍ଷା ହେବା ନହେବା ନିଷ୍ପତ୍ତି, କରୋନା ଉପରେ ନିର୍ଭର କରେ। ଏପର୍ଯ୍ୟନ୍ତ ସଂକ୍ରମଣ ସ୍ଥିତିରେ ସୁଧାର ଆସିନି। ଗତବର୍ଷ ଅପେକ୍ଷା ଏଥର ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ତେଣୁ ଜୁନ୍‌ରେ ପରୀକ୍ଷା କରିବା ସମ୍ଭବପର ନୁହେଁ। ଜୁଲାଇ ୧୫ସୁଦ୍ଧା ଯଦି ପରୀକ୍ଷା କରା ନଯାଏ, ଆଗକୁ କରି ହେବନାହିଁ। କାରଣ ହାତରେ ଆଉ କମ୍‌ ସମୟ ରହିବ। ଯଦି ଜୁଲାଇ-ଅଗଷ୍ଟରେ ପରୀକ୍ଷା ହୁଏ, ତେବେ ଫଳ ବାହାରିଲା ବେଳକୁ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ହୋଇଯିବ। ‌ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପ୍ରଭାବିତ ହେବାର ଆଶଙ୍କା ରହିଛି। ସବୁ ବିଷୟକୁ ନଜରରେ ରଖାଯାଇ ଜୁନ୍‌ରେ ନିଷ୍ପତ୍ତି ନିଆଯିବ। ବିକଳ୍ପ ମୂଲ୍ୟାୟନ ପାଇଁ ମଧ୍ୟ ଆମେ ପ୍ରସ୍ତୁତ ହେଉଛୁ। ଦ୍ବାଦଶ ଶ୍ରେଣୀର ପ୍ରି-ବୋର୍ଡ ପରୀକ୍ଷାର ମାର୍କ ଓ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନେଇ ବିକଳ୍ପ ମୂଲ୍ୟାୟନ କରିବାକୁ ଆଲୋଚନା ଚାଲିଛି। ଯେତେଶୀଘ୍ର ସମ୍ଭବ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।

ଅନ୍ୟପକ୍ଷରେ କୋଭିଡ୍‌-୧୯ ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆସନ୍ତା ୧୭ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସମସ୍ତ ରାଜ୍ୟର ଶିକ୍ଷା ସଚିବଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ। ଏଥିରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଉପରେ ଆଲୋଚନା ହୋଇପାରେ। ଏଥିସହ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାକୁ କିଭଳି ସୁଦୃଢ଼ କରାଯିବ, କେନ୍ଦ୍ର ଶିକ୍ଷା ନୀତି ଲାଗୁ ନେଇ ବିଚାରବିମର୍ଶ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର