ତାର ଚୋରି କରୁଥିଲେ ମାମୁ-ଭଣଜା, ୩୩ କୁଇଣ୍ଟାଲ୍‌ ତାର ଜବତ

ଆଲମୁନିୟମ ହାଣ୍ଡି ବେପାରୀରୁ କୁଖ୍ୟାତ ତାର ଚୋର, ୩ଦିନ ପୂର୍ବରୁ ୩ଟି ଗାଡ଼ିରେ ଚାଲାଣ ହୋଇଥିଲା

ପୁରୁଣା ଭୁବନେଶ୍ବର: ରାଜଧାନୀରୁ ଏକ ଆଲମୁନିୟମ ତାର ଚୋର ଗ୍ୟାଙ୍ଗକୁ ଧରିଛି ପୁଲିସ। ଗ୍ୟାଙ୍ଗର ଦୁଇ ସଦସ୍ୟ ମାମୁ-ଭଣଜା ପୁଲିସ ହାତରେ ଗିରଫ ହୋଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅଞ୍ଚଳର ସନ୍ତୋଷ କୁମାର ସୁବୁଦ୍ଧି(୪୦) ଓ ତା’ ଭଣଜା ସୁଶିଲ କୁମାର ନାୟକ(୪୧)। ଉଭୟ ଚେମେଡ଼ି ସାହିରେ ରୁହନ୍ତି। ସେମାନଙ୍କଠାରୁ ୩୨କୁଇଣ୍ଟାଲ ୯୦କିଲୋଗ୍ରାମ ତାର ଜବତ ହୋଇଛି। ଯାହାର ମୂଲ୍ୟ ସାଢ଼େ ୪ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

ସମ୍ପର୍କୀୟ ଭାଇ ପୂର୍ବରୁ ଗିରଫ ହୋଇଥିଲା
ସନ୍ତୋଷର ସମ୍ପର୍କୀୟ ଭାଇ ପୂର୍ବରୁ ସହିଦନଗର ଥାନା ଅଞ୍ଚଳରୁ ଗିରଫ ହୋଇଥିଲା। ସେ ମଧ୍ୟ ତାର ଚୋରିରେ ଗିରଫ ହୋଇଥିଲା। ତେବେ ସମ୍ପର୍କୀୟ ଭାଇ ଭଲ ମୁନାଫା କରୁଥିବାରୁ ସନ୍ତୋଷ ମଧ୍ୟ ଏହି ବେପାର କରିବା ପାଇଁ ମନ ବଳେଇଥିଲା।

ମଞ୍ଚେଶ୍ବରରୁ କୋଲକାତା
ବିଦ୍ୟୁତ ତାର ଚୋରି ହେଉଥିବା ଖବର ପାଇବା ପରେ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଗୋସାଗରେଶ୍ବର ନିକଟରେ ଥିବା ଏକ ଗୋଦାମରେ ଚଢ଼ଉ ହୋଇଥିଲା। ଚଢ଼ଉ ସମୟରେ ବିଭିନ୍ନ ଅଖାରେ ପାର୍ସଲ ପାଇଁ ରଖା ଯାଇଥିବା ତାର ସହ ନୂଆ ତାର ଥିଲା। ଏଥିସହ ୟୁନିଟ୍‌-୩ସ୍ଥିତ ସ‌ନ୍ତୋଷର କବାଡ଼ି ଗୋଦାମରେ ପୁଲିସ ଚଢ଼ଉ କରିଛି। ବିଦ୍ୟୁତ୍‌ ତାର ମଞ୍ଚେଶ୍ବରରୁ ଚୋରି ହୋଇ ଗୋସାଗରେଶ୍ବର ଗୋଦାମକୁ ଆସୁଥିଲା। ଏହାପରେ ଏହାକୁ କାଟି ଅଖାରେ ଭର୍ତି କରାଯାଇ କୋଲକାତା ଚାଲାଣ ହେଉଥିଲା। କୋଲକାତାରେ ଆଲମୁନିୟମ ସାମଗ୍ରୀ ତିଆରି ହୋଇ ପୁଣି ଭୁବନେଶ୍ବରକୁ ଏହା ବିକ୍ରି ହେବାକୁ ଆସୁଥିଲା। ଏହି ତାରକୁ ମଞ୍ଚେଶ୍ବରର ମୁନା ନାମକ ଯୁବକ ଆଣି ବିକ୍ରି କରୁଥିଲା। ସନ୍ତୋଷ ପୁଲିସ ଆଗରେ ଏପରି ବୟାନ ଦେଇଛି।

ଆଲମୁନିୟମ ହାଣ୍ଡି ବେପାରୀରୁ କୁଖ୍ୟାତ ତାର ଚୋର
ସନ୍ତୋଷ ପୂର୍ବରୁ ଆଲମୁନିୟମ ହାଣ୍ଡି ବ୍ୟବସାୟ କରୁଥିଲା। ଲୋକଙ୍କଠୁ ପୁରୁଣା ଆଲମୁନିୟମ ସାମଗ୍ରୀ ନେଇ ନୂଆ ସାମଗ୍ରୀ ବିକ୍ରି କରୁଥିଲା। ତେବେ ମଞ୍ଚେଶ୍ବରରୁ ଚୋରା ତାର ମିଳୁଥିବା ଖବର ପାଇ ଏହାକୁ ଆଣି ଗୋସାଗରେଶ୍ବର ଗୋଦାମରେ କାଟି କୋଲକାତା ଚାଲାଣ କରୁଥିଲା।

୩ଦିନ ପୂର୍ବରୁ ୩ଟି ଗାଡ଼ିରେ ଚାଲାଣ ହୋଇଥିଲା
୩ଦିନ ପୂର୍ବରୁ ୩ଟି ଟାଟା ଏସ୍‌ ଗାଡ଼ିରେ ତାର ଲୋଡ୍‌ ହୋଇ କୋଲକାତା ଚାଲାଣ ହୋଇଥିଲା। ଏସମ୍ପର୍କରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ ଗାଡ଼ିରେ ଶୀଘ୍ର ଲୋଡ୍‌ ପାଇଁ ଅଧିକ ଲୋକଙ୍କୁ କାମରେ ଲାଗାଯାଇଥିଲା।

ଘଟଣା ପଛରେ କିଏ?
ମଞ୍ଚେଶ୍ବରରୁ ଏତେ ପରିମାଣରେ ତାର ସନ୍ତୋଷର ଗୋଦାମକୁ ଆସେ କିପରି। ଏହାକୁ ବିକ୍ରି କରିବାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭ‌ାଗ ଜାଣିପାରିଲା ନାହିଁ କିପରି। ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଛି। ନିୟମ ଅନୁଯାୟୀ ବିଦ୍ୟୁତ୍‌ ବିଭାଗରେ ଯେଉଁ ଅଞ୍ଚଳରେ ତାର ଆବଶ୍ୟକ ସେହି ଅଞ୍ଚଳର ନିର୍ବାହୀ ଅଧିକାରୀ ତାରକୁ ଠକାଦାର ମାଧ୍ୟମରେ ଆଣିଥାନ୍ତି। ତାର ଆସିବା ପରେ ଏସ୍‌ଡିଓଙ୍କ ମାଧ୍ୟମରେ ତାର ଗୁଡ଼ିକ ସମ୍ପୃକ୍ତ ଅଞ୍ଚଳକୁ ପଠାଇଥାନ୍ତି। ତେବେ ଏବେ ଏହି ପ୍ରକାର ତାର ଆଉ ବ୍ୟବହାର ହେଉନାହିଁ ବୋଲି ବିଦ୍ୟୁତ୍‌ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ତାର କେଉଁଠୁ ଆସୁଥିଲା କିଏ କିଣୁଥିଲା ତାହାର ତଦନ୍ତ ଆରମ୍ଭ କରିଛି କମିସନରେଟ୍‌ ପୁଲିସ।

ସମ୍ବନ୍ଧିତ ଖବର