ସମ୍ପର୍କୀୟ ମାମୁର କଳା କାହାଣୀ: ଲିଭ୍‌-ଇନ୍‌ରେ ଭାଣିଜୀକୁ ରଖି ନିର୍ଯାତନା

ଭୁବନେଶ୍ବର: ଲିଭ୍‌-ଇନ୍‌ରେ ସମ୍ପର୍କୀୟ ଭାଣିଜୀକୁ ରଖି ୩ ସନ୍ତାନର ଜନନୀ କରାଇଲା। ଏହା ଭିତରେ ୧୫ ବର୍ଷ ବିତି ସାରିଛି ସେମାନଙ୍କ ଲିଭ୍‌-ଇନ୍‌ ସମ୍ପର୍କକୁ। ଏବେ ଭାଣିଜୀଠାରୁ ମନ ଛାଡ଼ିଗଲାଣି। ତେଣୁ ଅକଥନୀୟ ନିର୍ଯାତନା ଦେଉଛି ମାମୁ। କଥା କଥାରେ ଦାଣ୍ଡକୁ ଟାଣି ଆଣି ଲଙ୍ଗଳାମୁକୁଳା କରି ପିଟୁଛି। ଏମିତିକି ପୀଡ଼ିତାକୁ ଉଦ୍ଧାର କରିଥିବା ଏକ ସଂଗଠନକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନାହିଁ ମାମୁ। ସେମାନଙ୍କଠାରୁ ପୀଡ଼ିତାକୁ ଛଡ଼ାଇ ନେବାକୁ ବାରମ୍ବାର ଉଦ୍ୟମ କରୁଛି ସେ। ଆଜି ରାଜଧାନୀସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୀଡ଼ିତା ଭାଣିଜୀ ଜଣକ ସମ୍ପର୍କୀୟ ମାମୁର ଏହି ବର୍ବର କାଣ୍ଡ ବଖାଣିବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଘଟଣାଟି ଏମିତି। ବାଲିପାଟଣା ଅଞ୍ଚଳର ଏହି ପୀଡ଼ିତା ଯେତେବେଳେ ୧୪ ବର୍ଷ ବୟସର ହୋଇଥିଲେ, ସେତିକିବେଳେ ସମ୍ପର୍କୀୟ ମାମୁର ଲୋଲୁପ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା। ଳମ୍ପଟ ମାମୁ ତାଙ୍କୁ ଫୁସୁଲାଇ ଶାରୀରିକ ସମ୍ପର୍କ ରଖିଲା ଓ ଗର୍ଭବତୀ କଲା। ଦୁଇ ଦୁଇ ଥର ଗର୍ଭପାତ କଲା ପରେ ପରିବାର ଲୋକେ ଲୋକଲଜ୍ଜାକୁ ଡରି ମାମୁ ହାତରେ ତାଙ୍କୁ ଟେକିଦେଲେ। ତାଙ୍କୁ ନେଇ ମାମୁ ପୁରୀରେ ରଖିଲା ଓ ସେମାନେ ବିନା ବିବାହରେ ଲିଭ୍‌-ଇନ୍‌ରେ ରହିଲେ। ଏହା ଭିତରେ ୧୫ ବର୍ଷ ବତିଗଲା ଓ ପୀଡ଼ିତା ୩ଟି ସନ୍ତାନ ଜନ୍ମ ଦେଇଥିଲେ। ପୂର୍ବରୁ ଛୋଟମୋଟ କଥାରେ ବାଡ଼ାପିଟା କରୁଥିବା ମାମୁ ପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କଲା। ଗତ ନଭେମ୍ବର ମାସରେ ମାମୁ ତାଙ୍କୁ ଲଙ୍ଗଳା କରି ପୁରୀ ବଳିଆପଣ୍ଡା ଦାଣ୍ଡରେ ପିଟୁଥିବା ଦେଖି ଭୁବନେଶ୍ବରର ବିଶ୍ବ ମାନବାଧିକାର ସଂଗଠନର ସଦସ୍ୟା ଡ. ଇପ୍‌ସିତା ଦାଶ ତାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ। ପରେ ମାମଲା ମହିଳା କମିସନଙ୍କ ନିକଟରେ ପହଞ୍ଚିଲା ଓ ଏବେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ମାମୁ ତାଙ୍କୁ ଅପହରଣ କରିନେବ ବୋଲି ଧମକ ଦେଇଥିବାରୁ ସେ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର