ଖରାଛୁଟିରେ ମାମୁଘର ବୁଲା ଏବେ ଇତିହାସ

ପ୍ରଶିକ୍ଷଣ ଶିବିରରେ ସହରୀ ଶିଶୁ

ଭୁବନେଶ୍ବର: ଦିନ ଥିଲା ଖରାଛୁଟି ଆସିଲେ ମାମୁ ଘର ବୁଲିବା ନିହାତି ହେଉଥିଲା। କିନ୍ତୁ ଏବେ ଏହା ଇତିହାସ। ବିଶେଷକରି ସହରୀ ଶିଶୁଙ୍କ ପାଇଁ ଖରାଛୁଟି ନେଇ ଆସିଛି ଭିନ୍ନ ଏକ ଠିକଣା। ମାମୁଘର ବଦଳରେ ବିଭିନ୍ନ ପ୍ରଶିକ୍ଷଣ ଶିବିର ପା‌ଲଟି ଯାଉଛି ନୂଆ ଠିକଣା। ଅଭିଭାବକମାନେ ପିଲାଙ୍କ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ବ ଦେଇ ବିଭିନ୍ନ ପ୍ରଶିକ୍ଷଣ ଶିବି‌ରରେ ପିଲାଙ୍କ ନାମ ଲେଖାଉଛନ୍ତି। ନୃତ୍ୟ, ଗୀତ, ବାଦ୍ୟ ଶିକ୍ଷାରୁ ଆରମ୍ଭ କରି ସନ୍ତରଣ ଓ ସ୍କେଟିଂ ଭଳି କ୍ରୀଡ଼ା ପ୍ରଶିକ୍ଷଣ ପାଇଁ ପିଲାଙ୍କୁ ପ୍ରଶିକ୍ଷଣ ଶିବିରକୁ ପଠାଇ ଦିଆଯାଉଛି। ମାମୁ ଘର ବୁଲା ନହେଲା ନାହିଁ, ପିଲାମାନେ ଘରେ ଖେଳିବା ପାଇଁ ମଧ୍ୟ ସମୟ ପାଉନାହାନ୍ତି। ପିଲା ଭିତରେ ପ୍ରତିଭାର ବିକାଶ ପାଇଁ ଅଭିଭାବକମାନେ ବଡ଼ ବ୍ୟାକୁଳ ହୋଇପଡ଼ୁଥିବାରୁ ଆଜି ସମୟ ବଦଳି ଯାଇଛି। ବଡ଼ କଥା ହେଉଛି, ଅଭିଭାବକମାନଙ୍କ ଚାହିଦାକୁ ଦେଖି ସହରଗୁଡ଼ିକରେ ବି ଖୋଲିଯାଇଛି ମାଳମାଳ ପ୍ରଶିକ୍ଷଣ ଶିବିର। ଏବେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲୁଥିବାରୁ ଅଭିଭାବକମାନେ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ସେମାନଙ୍କ ପିଲାଙ୍କୁ ଭର୍ତ୍ତି କରିସାରିଲେଣି।

ବେଶି ପସନ୍ଦ ସନ୍ତରଣ ଶିକ୍ଷା

ଖରାଛୁଟିରେ ସହରୀ ଶିଶୁଙ୍କ ପାଇଁ ବେଶି ପସନ୍ଦ ସନ୍ତରଣ ଶିକ୍ଷା। ଏଣୁ ସହରଗୁଡ଼ିକରେ ମାର୍ଚ୍ଚରୁ ଆରମ୍ଭ ହୋଇଯାଇଛି ସନ୍ତରଣ ପ୍ରଶିକ୍ଷଣ ଶିବିର। ଗତ ୧୦ ବର୍ଷ ହେଲା ସନ୍ତରଣ ଶିକ୍ଷା ପ୍ରତି ରାଜଧାନୀର ଶିଶୁଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି। ଏଣୁ ବିଭିନ୍ନ ତାରକା ହୋଟେଲଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟାଡିୟମ୍‌ରେ ସନ୍ତରଣ ପ୍ରଶିକ୍ଷଣ ଶିବିର ମାର୍ଚ୍ଚ ମାସରୁ ଆରମ୍ଭ ହୋଇଗଲାଣି। ହୋଟେଲ ସ୍ବସ୍ତି ପ୍ରମିୟମ୍‌ର ରୁମ୍‌ ଡିଭିଜନ୍‌ ମ୍ୟାନେଜର ସୌଭାଗ୍ୟ ମଞ୍ଜରୀ ପଣ୍ଡା କହିଛନ୍ତି ଯେ ‌ମାର୍ଚ୍ଚ ପ୍ରଥମ ସପ୍ତାହରୁ ହିଁ ଆମେ ସନ୍ତରଣ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଦେଉଛୁ। ଏବେ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୭ଟା ଏମିତି ୨ଟି ପର୍ଯ୍ୟାୟରେ ସନ୍ତରଣ ଶିକ୍ଷା ଦିଆଯାଉଛି। ୫ ବର୍ଷରୁ ଊର୍ଧ୍ବ ପିଲାଙ୍କୁ ତାଲିମ୍‌ପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ବାରା ସନ୍ତରଣ ଶିକ୍ଷା ଦିଆଯାଉଛି ବୋଲି ସେ କହିଛନ୍ତି। ଏବେ ୬ଟି ବ୍ୟାଚ୍‌ରେ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ସନ୍ତରଣ ଶିଖୁଥିବା ସେ କହିଛନ୍ତି। ଏଥିପାଇଁ ମାସିକ ୪ ହଜାର ଟଙ୍କା ଦେୟ ଦେବାକୁ ହୋଇଥାଏ ବୋଲି ସେ କହିଛନ୍ତି।

ଏରୋବିକ୍‌ ଓ ଜୁମ୍ବା ପ୍ରଶିକ୍ଷଣ

ସମ୍ପ୍ରତି ସହରୀ ଶିଶୁଙ୍କ ପାଇଁ ‘ଏରୋବିକ୍‌ ଓ ଜୁମ୍ବା’ ଭଳି ଆଧୁନିକ ନୃତ୍ୟଶୈଳୀ ଅଧିକ ପସନ୍ଦ ପାଲଟିଛି। ଏହି ନୃତ୍ୟ ଶରୀରର ଓଜନ କମାଇବାରେ ସାହାଯ୍ୟ କରେ। ଏଣୁ ଖରାଛୁଟି ହେଉହେଉ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ କୌଣସି ଅନୁଷ୍ଠାନକୁ ଯାଇ ଏହି ନୃତ୍ୟ ଶିକ୍ଷା କରୁଛନ୍ତି। ‘ପଜ୍‌ ଆଣ୍ଡ୍‌ ଏକ୍ସପ୍ରେସନ୍‌’ର ସ୍ବତ୍ବାଧିକାରୀ ଅମିତ୍‌ ପାତ୍ର କହିଛନ୍ତି ଯେ ଏବେ ଖରାଦିନିଆ ଛୁଟି ସମୟରେ ଛୋଟ ଛୁଆଙ୍କ ପାଇଁ ଏଥର ଆମେ ଟିକେ ଭିନ୍ନ ସ୍ବାଦର ଫ୍ରି’ ‌ଷ୍ଟାଇଲ୍‌, ଜୁମ୍ବା ଓ ଆକ୍ବା ଜୁମ୍ବା ଆଦି ନୃତ୍ୟଶୈଳୀ ନେଇଆସିଛୁ। ଏଥିସହ ଏଥର ସମର୍‌ ସ୍ପେସାଲ ରହିଛି ମା’-ଝିଅ ଦ୍ବୈତନୃତ୍ୟ ପ୍ରଶିକ୍ଷଣ। ପ୍ରତି ବ୍ୟାଚ୍‌ରେ ୨୦ଜଣ ନୃତ୍ୟଶିକ୍ଷା କରୁଥିବା ବେଳେ ୫ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି। ପାଣି ଭିତରେ କରାଯାଉଥିବା ଆକ୍ବା ଜୁମ୍ବା ପ୍ରତି ପିଲାମାନେ ଅଧିକ ଆକର୍ଷିତ ହେଉଥିବା ସେ କହିଛନ୍ତି।

ଟେରାକୋଟା ଓ କାଦୁଅ କଳା ବି ଶିଖୁଛନ୍ତି

କଳାରେ ରୁଚି ରଖୁଥିବା ଅଭିଭାବକ ଓ ପିଲାମାନଙ୍କ ପାଇଁ ଶିଳ୍ପୀ ତାରାକାନ୍ତ ପରିଡ଼ା ‘ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି’ ଜରିଆରେ ଆସନ୍ତା ୨୫ ତାରିଖରୁ ପ୍ରସ୍ତୁତ କରୁଛନ୍ତି ସ୍ବତନ୍ତ୍ର ସମର କ୍ୟାମ୍ପ। ଏଥିରେ କାନ୍‌ଭାସ୍‌, ପଟ୍ଟଚିତ୍ର ଚିତ୍ରକଳା ସହ ଟେ‌ରାକୋଟା, ପଟ୍ରି ଆଦି ମାଟିରେ ତିଆରି କଳା ଆଦି ଶିକ୍ଷା ଦିଆଯିବ। ସେହିଭଳି ପିଲାମାନଙ୍କୁ କାଗଜ ଓ ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ବିଭିନ୍ନ ଘରସଜ୍ଜା ସାମଗ୍ରୀ ତିଆରି ପ୍ରଣାଳୀ ଶିକ୍ଷା ଦିଆଯିବ। ଜୀବନରେ କେବେ ମାଟି ଧରିବାର ସୁଯୋଗ ପାଉନଥିବା ସହରିଆ ଛୁଆଙ୍କ ମଧ୍ୟରେ ଏହି କ୍ୟାମ୍ପ୍‌ର ମୁଖ୍ୟ ଆକର୍ଷଣ ହେଉଛି ଟେରାକୋଟା ଓ କାଦୁଅ କଳା। ତେବେ ପୂର୍ବରୁ ଏହି କ୍ୟାମ୍ପ୍‌ ପାଇଁ ୨ ହଜାର ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଚଳିତ ବର୍ଷ ଫି’ ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

କରାଟେ ଓ ସ୍କେଟିଂ ପ୍ରତି ଉତ୍ସାହ ବେଶି

ଗତ କିଛି ବର୍ଷ ହେଲା ଖରାଛୁଟି ସମୟରେ ରାଜଧାନୀରେ କରାଟେ ଓ ସ୍କେଟିଂ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବଢ଼ୁଛି। ଏଥିରେ ଭଲ ଭବିଷ୍ୟତ ଥିବାରୁ ଅଭିଭାବକମାନେ ବି ଆଗ୍ରହୀ। ଏହାଦ୍ବାରା ଆଗକୁ ଅନ୍ତର୍ଜାତୀୟସ୍ତରର ଖେଳାଳି ହେବାର ସୁଯୋଗ ରହିଛି। ଓଡ଼ିଶା ସ୍କେଟିଂ ଏକାଡେମି ସମ୍ପାଦକ ତଥା କଳିଙ୍ଗ ଷ୍ଟାଡିୟମ୍‌ ସ୍କେଟିଂ ମୁଖ୍ୟ କୋଚ୍‌ ପାର୍ଥସାରଥୀ ଜେନା କହିଛନ୍ତି ଯେ ଏବେ କଳିଙ୍ଗ ଷ୍ଟାଡିୟମ୍‌ରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ସ୍କେଟିଂ ଶିଖୁଛନ୍ତି। ତେବେ ୧୨ ବର୍ଷ ବୟସରୁ ଊର୍ଧ୍ବ ବୟସ୍କ ପିଲାଙ୍କୁ ସ୍କେଟିଂ ଶିଖାଯାଉଛି ବୋଲି ସେ କହିଛନ୍ତି। ସେହିଭଳି ଉତ୍କଳ କରାଟେ ସ୍କୁଲ୍‌ରେ ବର୍ଷ ତମାମ୍‌ କରାଟେ ଶିକ୍ଷା ଦିଆଯାଉଛି। କିନ୍ତୁ ଗ୍ରୀଷ୍ମାବକାଶରେ ଅଧିକ ପିଲା ଯୋଗ ଦେଉଛନ୍ତି ବୋଲି ସ୍କୁଲର ସମ୍ପାଦକ ହରି ପଟ୍ଟନାୟକ କହିଛନ୍ତି। ଏବେ ବିଭିନ୍ନ ବ୍ୟାଚ୍‌ରେ ୧୦୦ ଜଣ ପିଲା କରାଟେ ଶିଖୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର