ସହରସାରା ଅମାନିଆ: ମାର୍କେଟ୍‌ ବିଲ୍ଡିଂ, ଏକ ନମ୍ବର ହାଟରେ ଅସମ୍ଭାଳ ଭିଡ଼

କରୋନାକୁ ଭୟ ନାହିଁ, ଧରପଗଡ଼କୁ ଖାତିର ନାହିଁ

ଲଗାତାର ଦୁଇ ଦିନ ହେଲା ରାଜଧାନୀରେ ‌ସଂକ୍ରମଣ ୧୦୦ ପାର୍ କରିଛି। ଶିକ୍ଷାନୁଷ୍ଠାନଠୁ ନେଇ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ପ୍ରାୟ ସବୁ ଇଲାକାରୁ ବାହାରୁଛନ୍ତି ଆକ୍ରାନ୍ତ। ସ୍ଥିତି କମ୍ରଶଃ ଚିନ୍ତାଜନକ ହେଉଥିବାବେଳେ ବିଏମ୍‌ସି ଓ ପୁଲିସ ସଚେତନ କରୁଛି, ଧରପଗଡ଼ କରୁଛି, ସ୍ଥଳବିଶେଷରେ ଜରିମାନା ବି ଆଦାୟ କରୁଛି। ହେଲେ ହାଟ, ବଜାର, ମଲ୍‌, ବ୍ୟାଙ୍କ୍‌, ଶିକ୍ଷାନୁଷ୍ଠାନରେ ଅମାନିଆଙ୍କ ଭିଡ଼ କମୁନି। ସାମାଜିକ ଦୂରତା ଦୂରେ ଥାଉ, ଅଧିକାଂଶଙ୍କ ମୁହଁରେ ମାସ୍କଟିଏ ମଧ୍ୟ ନାହିଁ। ବୁଧବାର ସମ୍ବାଦ ଟିମ୍ ଏକ ନମ୍ବର ହାଟ, ମାର୍କେଟ ବିଲ୍‌ଡିଂ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କୋର୍ଟ ପରିସରର ବୁଲି ଆଜି ସ୍ଥିତି ପରଖିଲା ବେଳେ ମନେ ହୋଇଥିଲା ସତେ ଯେମିତି ପୂରା ରାଜଧାନୀରେ କରୋନା ବାଣ୍ଟିଦେବାକୁ ସମସ୍ତେ ପଣ କରିଛନ୍ତି।

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଆପାର୍ଟମେଣ୍ଟ ଆଦି ସଂସ୍ଥାରେ ବହୁ ସଂଖ୍ୟାରେ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। ତଥାପି ରାଜଧାନୀରେ ଅମାନିଆଙ୍କ ସଂଖ୍ୟା କମିବା ନାଁ ଧରୁନାହିଁ। ହାଟ ବଜାର ସବୁଠି ଲୋକେ ଦେଳଦଳ ହୋଇ ବୁଲିବା ସହ କରୋନା କଟକଣାକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି।

ଆଜି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବିଶେଷ କରି ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଏହି ଦୋକାନମାନଙ୍କ ଆଗରେ ଉଭୟ ଗ୍ରାହକ ଏବଂ ଦୋକାନୀମାନେ କୋଭିଡ୍ କଟକଣାକୁ ଖୁଲମ୍‌ଖୁଲା ଉଲ୍ଲଘଂନ କରୁଥିଲେ। ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା କି ସେମାନେ ସାମାଜିକ ଦୂରତା ମାନୁନଥିଲେ। ସେହିଭଳି ଘରକରଣା ସାମଗ୍ରୀ, କସ୍‌ମେଟିକ୍ ଦୋକାନ ଓ ଡ୍ରେସ୍ ଦୋକାନରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସମାନ ଅବସ୍ଥା ଥିଲା ୟୁନିଟ-୧ କ୍ୟାପିଟାଲ ହାଟରେ। ପରିବା ଦୋକାନଗୁଡ଼ିକରେ ଅସମ୍ଭାଳ ଭିଡ଼ ହୋଇଥିଲା। ଅଧିକାଂଶ ଗ୍ରାହକ ବିନା ମାସ୍କରେ ପରିବା କିଣୁଥିଲେ। ସେଠାରେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିଲା। ଲୋକେ ଠେଲାପେଲା ହୋଇ ଚଳପ୍ରଚଳ ହେଉଥିଲେ। ଏଭଳି ଗହଳି ଦେଖି କମିସନରେଟ୍ ପୁଲିସର ବଡ଼ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ। ସେମାନେ ଲୋକଙ୍କୁ ସଚେତନ କରିବା ସହ କେତେକ ଦୋକାନୀ ଓ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରିଥିଲେ। ମାତ୍ର ଲୋକଙ୍କ ଉପରେ ସେମାନଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିଲା ଭଳି ମନେ ହୋଇ ନ ଥିଲା।

କୋର୍ଟ ପରିସରରେ କଟକଣା ଢିଲା
ଭୁବନେଶ୍ୱର : ଭୁବନେଶ୍ବର କୋର୍ଟ ପରିସରରେ ମଧ୍ୟ କରୋନା କଟକଣାକୁ ଅଧିକାଂଶ ଲୋକ ମାନୁନଥିବା ଦେଖିବାକୁ ମିଳିଥିଲା। ଏଠାରେ ଶହ ଶହ ଲୋକ ବିନା ମାସ୍କରେ ବୁଲୁଥିଲେ। ସାମାଜିକ ଦୂରତା କେଉଁଠି ନ ଥିଲା କହିଲେ ଚଳେ। କୋର୍ଟ ପରିସରରେ ଥିବା ମୁଖ୍ୟତଃ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି କିଣାବିକା ପାଇଁ ଅାସିଥିବା ଲୋକେ କଟକଣା କଥା ସତେ ଯେପରି ଭୁଲି ଯାଇଥିଲେ। ଲୋକେ ମୁହଁକୁ ମୁହଁ ଯୋଡ଼ି କଥା ହେଉଥିବା ବେଳେ ଠେଲାପେଲା ହୋଇ ଯା’ଆସ କରୁଥିଲେ। କେବଳ ଉପନିବନ୍ଧକଙ୍କ ସମ୍ମୁଖକୁ ଗଲା ବେଳେ ଲୋକେ ମୁହଁରେ ମାସ୍କ ପିନ୍ଧି ଯାଉଥିଲେ। ମାତ୍ର ବାହାରେ ଅଧିକାଂଶ ଲୋକ ବିନା ମାସ୍କରେ ବୁଲୁଥିବା ପରିଲକ୍ଷିତ ହୋଇଥିଲା।

୧୫,୨୦୦ ଟଙ୍କା ଜରିମାନା ଆଦାୟ
ଭୁବନେଶ୍ବର : ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇ ୧୫,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଭିନ୍ନ ବଜାର, ମଣ୍ଡପ, ଦୋକାନରେ ଫ୍ଲାଇଂ ସ୍କ୍ବାଡ୍‌ ଚଢ଼ଉ କରି ଏହି ଜରିମାନା ଆଦାୟ କରିଛି।

ସମ୍ବନ୍ଧିତ ଖବର