ମାଟିତଳେ ଅଧଘଣ୍ଟା ଚାପି ହୋଇ ରହିଲେ ଶ୍ରମିକ

ନିର୍ମାଣାଧୀନ ଡ୍ରେନ୍‌ ଅତଡ଼ା ଖସିଲା

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ନନ୍ଦନକାନନ ମୁଖ୍ୟ ରାସ୍ତା ପଟିଆ ନିକଟସ୍ଥ ଏକ ସୋରୁମ୍‌ ନିକଟରେ ଆଜି ସନ୍ଧ୍ୟାରେ ଏକ ଡ୍ରେନେଜ୍‌ କାମ କରୁଥିବା ବେଳେ ଜଣେ ଶ୍ରମିକ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମାଟି ଭିତରେ ଫସି ଯାଇଥିଲେ। ଶ୍ରମିକ ଜଣକ ପ୍ରାୟ ଦଶ ଫୁଟ୍‌ ତଳକୁ ଗଳି ପଡ଼ିଥିଲେ। ତାଙ୍କ ଉପରେ ମାଟି ଓ ବାଲି ଲଦି ହୋଇ ପଡ଼ିଥିଲା। ଏପରି ଦୁର୍ଘଟଣା ଶିକାର ହୋଇଥିଲେ ରବୀନ୍ଦ୍ର ନାମକ ଜଣେ ଶ୍ରମିକ। ସେ ପ୍ରାୟ ୧୦ ଫୁଟ ତଳେ ମାଟି ଭିତରେ ରହି ଯାଇଥିଲେ। ମାଟି ଭିତରୁ ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ସେଠାକୁ ଯାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ରବୀନ୍ଦ୍ର ସେହିପରି ମାଟି ତଳେ ଚାପିହୋଇ ରହିଥିଲେ।

ତେବେ ଖବର ପାଇ ସେଠାହେର କାମ କରୁଥିବା ଅନ୍ୟ ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଜେସିବି ଡକାଇ ସାବଧାନତାର ସହିତ ମାଟି କଢ଼ିଥିଲେ। ପ୍ରାୟ ଅଧଘଣ୍ଟାର କସରତ ପରେ ରବୀନ୍ଦ୍ରଙ୍କୁ ମାଟିତଳୁ ଉଦ୍ଧାର କରାଯାଇଥିଲା। ତେବେ ରବୀନ୍ଦ୍ର ମୁଣ୍ଡରେ ହେଲ୍‌ମେଟ ପିନ୍ଧିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ନଥିଲା। ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ ବୋଲି ଆଲୋଚନା ହେଉଛି। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌କୁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳର ଚର୍ଚାର ବିଷୟ ହୋଇଥିଲା।

ଅସୁରକ୍ଷିତ କାର୍ଯ୍ୟକ୍ଷେତ୍ର କାଳ ହେଉଛି

ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ଏପରି ବିପଜ୍ଜନକ କାମ ହେଉଥିଲେ ମଧ୍ୟ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଜୟଦେବ ବିହାର ନନ୍ଦନକାନନ ମୁଖ୍ୟ ରାସ୍ତା କଡ଼ରେ ଏପରି ଡ୍ରେନ୍‌ ଖୋଳା କାର୍ଯ୍ୟ ବାରମ୍ବାର ଚାଲୁଛି। ମାତ୍ର କାର୍ଯ୍ୟରତ ଶ୍ରମିକ ଓ ପଥଚାରୀଙ୍କ ସୁରକ୍ଷାକୁ କାର୍ଯ୍ୟକରୁଥିବା ସଂସ୍ଥା ଅଣଦେଖା କରୁଛନ୍ତି। ଆଜି ସନ୍ଧ୍ୟାରେ ଘଟିଥିବା ଅଘଟଣ ନିମନ୍ତେ ଉକ୍ତ ଶ୍ରମିକଙ୍କୁ ଦାୟୀ କରିଛନ୍ତି ଠିକାଦାରୀ ସଂସ୍ଥାର ସୁପରଭାଇଜର୍‌। ମାତ୍ର ଦୁର୍ବଳ ବାଉଁଶ ବାଡ଼ ପ୍ରତି କାହାରି ନଜର ଯାଉ ନାହିଁ। ଏଥିପ୍ରତି ଶ୍ରମବିଭାଗ ମଧ୍ୟ ନଜର ଦେଉ ନଥିବା ଅଭିଯୋଗ ହେଉଛି। ରାଜଧାନୀର ସବୁ ସ୍ଥାନରେ ଏପରି କାର୍ଯ୍ୟ ହେଉଥିବାବେଳେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏହି ଅଘଟଣରୁ ପ୍ରଶାସନ ଶିକ୍ଷାଲାଭ କରିବା ସହିତ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର