ବିତିଲାଣି ୩ ବର୍ଷ, ଭୂତଳ କେବୁଲ କାମ କେ‌ବେ ସରିବ?

ଟାର୍ଗେଟ୍‌ ଥିଲା ଦେଢ଼ ବର୍ଷ, ୨୦୨୦ ମାର୍ଚ୍ଚ ସୁଦ୍ଧା କାମ ସରିବ: ଓପିଟିସିଏଲ୍‌

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ୨୪ଘଣ୍ଟା ବିଦ୍ୟୁତ ଯୋଗାଣ କରିବା, ବାତ୍ୟା, କାଳବୈଶାଖୀ ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ଅଯଥା ବିଦ୍ୟୁତ୍‌ ନଷ୍ଟକୁ କମାଇବା ପାଇଁ ଓପିଟିସିଏଲ୍‌ ପକ୍ଷରୁ ଭୂତଳ କେବୁଲ୍‌ ବିଛା କାମ ଚାଲିଛି। ମାର୍ଚ୍ଚ, ୨୦୧୬ରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ଏହାକୁ ଦେଢ଼ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ତିନି ବର୍ଷ ପରେ ବି ଏହି ପ୍ରକଳ୍ପ କେବେ ଶେଷ ହେବ, ସେନେଇ ଦ୍ବନ୍ଦ୍ବ ରହିଛି।

ବିଡ଼ମ୍ବନାର ବିଷୟ, ଏହି ପ୍ରକଳ୍ପର ପାଇଁ ଜମି ଅଧିଗ୍ରହଣ କି ବ୍ୟାପକ ଉଚ୍ଛେଦର ଆବଶ୍ୟକ ପଡ଼ୁନଥିଲେ ହେଁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ କାହିଁକି ଧାର୍ଯ୍ୟ ସମୟ ଭିତରେ କାମ ଶେଷ କରି ପାରୁନାହାନ୍ତି, ତା’ର କାରଣ କହି ପାରୁନାହାନ୍ତି। ଓପିଟିସିଏଲ୍‌ କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ବାତ୍ୟା ଫନିରେ ରାଜଧାନୀରେ ରାଜ୍ୟ ସରକାରଙ୍କୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ଓ ତାର ଛିଣ୍ଡିବା ଭଳି ସମସ୍ୟା ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା। ପୂରା ରାଜଧାନୀ ୭ଦିନ ଅନ୍ଧାରରେ ରହିଲା। ଏହାପରେ ବି କାମକୁ ତ୍ବରାନ୍ବିତ କରାଯାଉନି। ସାଧାରଣତଃ ସେପ୍ଟେମ୍ବର-ଅକ୍ଟୋବର-ନଭେମ୍ବରରେ ଓଡ଼ିଶାରେ ବାତ୍ୟା ହେଉଥିବାରୁ ଆଗାମୀ ଦିନରେ ବାତ୍ୟା ହେଲେ ପୁଣି ଯେ କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ଖୁଣ୍ଟ ଓ ତାର ନଷ୍ଟ ନହେବ, ସେ‌କଥା କେହି ଗ୍ୟାରେଣ୍ଟି ଦେଇ କହିପାରିବେନି। କେବଳ ଏତିକି ନୁହେଁ, ଭୂତଳ କେବୁଲ୍‌ ବିଛା ପ୍ରକଳ୍ପ ଆରମ୍ଭ ହେବା ବେଳେ ତତ୍କାଳୀନ ଶକ୍ତି ମନ୍ତ୍ରୀ ଘୋଷଣା କଲେ ଯେ ପ୍ରଥମ ପର୍ଯ୍ୟାୟରେ ଜନପଥ, ସଚିବାଳୟ, ବିଦ୍ୟୁତ୍‌ ମାର୍ଗ ଓ କଟକ ରୋଡ୍‌ ରାସ୍ତା‌ରେ କାମ ଶେଷ ହେବ। ଦେଢ଼ ବର୍ଷ ଭିତରେ ଏହି କାମ ସରିବ। ହେଲେ ତିନି ବର୍ଷ ପରେ ବି ଜନପଥ କି କଟକ ରୋଡ୍‌ରେ ଏହି କାମ ସରିଲାନି। ଯେଉଁ ଦୁଇଟି ରାସ୍ତାରେ ସବୁଠୁ ଅଧିକ ଭିଡ଼ ଜମେ, ସେହି ଦୁଇଟି ରାସ୍ତାକୁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଅଣଦେଖା କରି ଛାଡ଼ି ଦେଇଛନ୍ତି। କେବୁଲ୍‌ ବିଛାଇବା ପାଇଁ ରାସ୍ତା ଖୋଳି ମାସମାସ ଧରି ଛାଡ଼ି ଦେଉଥିବାରୁ ପ୍ରତ୍ୟେକ ଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ରାଜଧାନୀବାସୀଙ୍କ ପାଇଁ ଏହି ଦୁଇଟି ରାସ୍ତାରେ ଯିବା ଯମ ଯନ୍ତ୍ରଣା ସଦୃଶ ହୋଇଯାଇଛି। ଏବେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଏହି କାମ ବନ୍ଦ ହୋଇଯାଇଛି। ଥରେ ରାସ୍ତା ଖୋଳା ହେଲେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଗୋଟିଏ ଅଞ୍ଚଳରେ କାମ ହେଉଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଓପିଟିସିଏଲ୍‌ କର୍ତ୍ତୃପକ୍ଷଙ୍କ ନଜରରେ ଏହା ପଡ଼ୁନି।

ଭୂତଳ କେବୁଲ୍‌ ବିଛା କାର୍ଯ୍ୟ ବିଳମ୍ବ ହେବା ନେଇ ଓପିଟିସିଏଲ୍‌ ସିଜିଏମ୍‌ ନିହାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ୨୦୧୬ରୁ ଏହି ଭୂତଳ କେବୁଲ କାର୍ଯ୍ୟ ଆରମ୍ଭ ହୋଇଛି। କଟକ ରୋଡ୍‌, ଜନପଥ, ବିଦ୍ୟୁତ୍‌ ମାର୍ଗ ଓ ସଚିବାଳୟ ମାର୍ଗ; ଏହିପରି ‌ଭୁବନେଶ୍ବରର ପାଖାପାଖି ୧୦୦ କିମି ରାସ୍ତାରେ ଏହି ଭୂତଳ କେବୁଲ ବିଛାଯାଉଛି। ବିଦ୍ୟୁତ୍‌ ମାର୍ଗ, ସଚିବାଳୟ ମାର୍ଗରେ ଏହି କାମ ସରି ଯାଇଥିବା ବେଳେ କଟକ ରୋଡ୍‌ରେ ଖୁବ୍‌ ଶୀଘ୍ର ସରିବ। କିନ୍ତୁ ବିଭିନ୍ନ କାରଣରୁ ଜନପଥରେ କେବୁଲ ବିଛାଇବା କାମ ସରିପାରୁନି। ପ୍ରଥମେ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌, ଏହାପରେ ବିଶ୍ବକପ୍‌ ହକି ଓ ପରେ ସାଧାରଣ ନିର୍ବାଚନ ଯୋଗୁଁ ମାସ ମାସ ଧରି କାମ ବନ୍ଦ ରହିଲା। ପୁଣି ମଝିରେ ଜନପଥରେ ସ୍ମାର୍ଟ ସିଟି ପ୍ରକଳ୍ପ, ବିଏସ୍‌ଏନ୍‌ଏଲ୍‌ କେବୁଲ ବିଛାଇବା କାମ, ଡ୍ରେନ୍‌, ସାଇକେଲ୍‌ ଟ୍ରାକ୍‌ ଓ ଫୁଟ୍‌ପାଥ୍‌ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟ ଏକାସାଙ୍ଗରେ ସମନ୍ବୟ ରକ୍ଷା କରି ଯୋଜନା ମୁତାବକ କରିବାକୁ ପଡ଼ୁଛି। ତେଣୁ ରାଜମହଲଠାରେ ଏହି କାମ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷେ ଏହା ଏକ ଦୀର୍ଘମିଆଦି ପ୍ରକଳ୍ପ ହୋଇଥିବାରୁ ସହରର ପାଇପ୍‌ ଲାଇନ୍‌, ସ୍ବେରେଜ୍‌ ଲାଇନ୍‌, ଟେଲିଫୋନ୍‌ କେବୁଲ ସଂଯୋଗ ଆଦି ବହୁ ପ୍ରକଳ୍ପକୁ ନଜରରେ ରଖି କାମ କରିବାକୁ ପଡ଼ୁଛି। ଏଣୁ କାମ ବିଳମ୍ବ ହେଉଛି। ଏକ ସମୟରେ ଆମକୁ ୫୦୦ ମିଟର ରାସ୍ତା ଖୋଳି କେବୁଲ ତାର ବିଛାଇବାକୁ ପଡ଼ୁଛି। ତେଣୁ ଏହି କାମ ବିଳମ୍ବ ହେଉଛି। ଭୂତଳ କେବୁଲ ବିଛାଇବା କାମର ୯୦ ପ୍ରତିଶତ ଏବେ ଶେଷ ହୋଇଗଲାଣି। ବାଣୀବିହାରରୁ ଶ୍ରୀୟା ଛକ ପର୍ଯ୍ୟନ୍ତ କାମ ଚାଲିଛି। ଏହା ବି ଖୁବ୍‌ ଶୀଘ୍ର ସରିଯିବ। ଏହା ପରେ ଏହି ଅଞ୍ଚଳରେ ପ୍ରତିଟି ଭୂତଳ କେବୁଲ୍‌ରୁ ବିଦ୍ୟୁତ ସଂଯୋଗ ହୋଇ ୨୦୨୦ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ। ଏହାପରେ ରାଜଧାନୀର ପ୍ରମୁଖ ଅଞ୍ଚଳରେ ବିଦ୍ୟୁତ ସରବରାହରେ ଆଉ ବିଶେଷ ସମସ୍ୟା ରହିବନି ବୋଲି ସେ କହିଛନ୍ତି। ସେହିପରି ପୁରୁଣା ଭୁବନେଶ୍ବରରେ ରଥ ଦାଣ୍ଡରେ ଭୂତଳ କେବୁଲ୍‌ ବିଛା ବହୁ ପୂର୍ବରୁ ସରିଛି। ସଚିବାଳୟ ମାର୍ଗରେ, ବିମାନବନ୍ଦର ଅଞ୍ଚଳରେ ହାଇଟେନସନ୍ ଲାଇନ୍ ପାଇଁ ଭୂତଳ କେବୁଳ୍‌ ବିଛା ସରିଛି। ଏହାକୁ ବାତ୍ୟା ଫନି ପରେ ପରୀକ୍ଷାମୂଳକ ଭାବେ ଚାର୍ଜ କରି ଦେଖାଯାଇଛି। କିନ୍ତୁ ଏବେ ସୁଦ୍ଧା ଏଠାରେ ଏଲ୍‌ଟି ଲାଇନ୍ ବିଛା ଶତପ୍ରତିଶତ ହୋଇନଥିବାରୁ ଏହାକୁ ଚାର୍ଜ କରାଯାଇପାରୁନି। ମାର୍ଚ୍ଚ ସୁଦ୍ଧା ୪ଟି ରୁଟ୍‌ରେ ଭୂତଳ ବିଛା କାମ ସରିବ। ଏହାପରେ ରାଜଧାନୀର ବାକି ଅଞ୍ଚଳ ପାଇଁ କାମ ହେବ।

ସମ୍ବନ୍ଧିତ ଖବର