ରାସ୍ତା ତଳେ ସୁଡ଼ଙ୍ଗ

ଭୁବନେଶ୍ବର: ଆପଣ ଚାଲିକି ଯାଉଥିବେ ହଠାତ୍ ପାଦ ତଳୁ ରାସ୍ତା ଖସି ପଡ଼ିବ। କ’ଣ କରିବେ ଭାବିଲା ବେଳକୁ ରାସ୍ତା ଉପରେ ଖାଲି ମୁଣ୍ଡ ଦିଶୁଥିବ। ଆଉ ଯଦି ପଛ‌ରୁ ଗାଡ଼ି ଆସୁଥିବ ତେବେ ମୁଣ୍ଡ ବି ରାସ୍ତାରେ ମିଶିଯାଇପାରେ। ଆପଣ ଯଦି ଚାରି ଚକିଆ ଯାନରେ ଯାଉଥିବେ ତେବେ ଯେ ଆପଣ ବର୍ତିଯିବେ ତାହା ବି କହିହେବ ନାହିଁ। କାରଣ ରାଜଧାନୀ ରାସ୍ତା ତଳେ ମରଣଯନ୍ତା ବିଛେଇ ହୋଇଛି। ବର୍ଷା ଯୋଗୁ ରାସ୍ତା ଉପ‌େର ନାଳ ଭିତରକୁ ପାଣିର ସ୍ରୋତ ଫିଟିଫିଟି ସୃଷ୍ଟି ହୋଇଛି ଏହି ସୁଡ଼ଙ୍ଗ। ଅଥଚ ସାମାନ୍ୟ ଭାବି ଏହାକୁ ଅଣଦେଖା କରିଚାଲିଛି ପୂର୍ତ ବିଭାଗ। ରାଜଧାନୀର ଅଧିକାଂଶ ରାସ୍ତାରେ ଏବେ ଏହି ସମସ୍ୟା। ବିନା ଭୂମିକମ୍ପରେ ବି ରାଜଧାନୀ ରାସ୍ତାରେ ଏହି ଅଭାବନୀୟ ସ୍ଥିତି ଉପୁଜିଛି। ମାତ୍ର ସ୍ଥିତି ଯାହା, ଏହି ସାମାନ୍ୟ କାହା ପାଇଁ କେବେ, କୋଉ ମୁହୂର୍ତରେ ସାଂଘାତିକ ହୋଇପାରେ।

ଏହାର ଝଲକ ନିକଟରେ ନିକୋ ପାର୍କସ୍ଥିତ ସୁନା ଦେଈ ମନ୍ଦିର ନିକଟରେ ଦେଖିବାକୁ ମିଳିଛି। ହଠାତ୍ ରାସ୍ତା ଭୁଶୁଡ଼ି ପଡ଼ିବାରୁ ଏଠାରେ ରାସ୍ତା ଉପରେ ୫ଫୁଟର ଗାତ ହୋଇଯାଇଥିଲା। ଏହି ଗାତ କେଉଁଠୁ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଜଣାପଡ଼ିଲା ନାହିଁ। ଏପରିକି ଏହି ସୁଡ଼ଙ୍ଗର ମରାମତି କରିବା ଏବଂ ଏହାର ପ୍ରତିକାର ବ୍ୟବସ୍ଥା ନେଇ ବି ପୂର୍ତ୍ତ ବିଭାଗ ପୂରା ବେଫିକର। କେବଳ ଏହି ‌େଗାଟିଏ ରାସ୍ତା ନୁହେଁ। ଜନପଥରୁ ଆରମ୍ଭ କରି କଟକ ରୋଡ୍‌, ସଚିବାଳୟ ମାର୍ଗ, ବିଦ୍ୟୁତ ମାର୍ଗ ଏପରିକି ରାଜଧାନୀର ଗଳିକନ୍ଦି ରାସ୍ତାରେ ଏହି ସୁଡ଼ଙ୍ଗ ସୃଷ୍ଟି ହୋଇଛି। ଯାହା ରାସ୍ତାକୁ କୌଣସି ମୁହୂର୍ତ୍ତରେ ଧସେଇ ଦେବ। ଏମିତି ଦୁଃସ୍ଥିତି ହେବ ଯେ ରାଜଧାନୀବାସୀ ସ୍ବପ୍ନରେ ବି ଭାବି ନଥିବେ। ଓପିଟିସିଏଲ୍, ପୂର୍ତ୍ତ, ସ୍ମାର୍ଟ ସିଟି କର୍ତ୍ତୃପକ୍ଷ, ସ୍ବେରେଜ୍ ବୋର୍ଡ ମନଇଚ୍ଛା ରାସ୍ତା ଖୋଳିବାରେ ଲାଗିଛନ୍ତି। ଆଜି ଜଣେ ରାସ୍ତା ଖୋଳିକି କାମ କରିକି ରାସ୍ତା ପୋତିଲା ବେଳକୁ କାଲି ଆଉ ଗୋଟେ ସଂସ୍ଥା ଆସି ତାହା ପାଖରେ ଖୋଳି ଦେଉଛି। ଯେଉଁଠି ରାସ୍ତା ଖୋଳି ହେଉନି ସେଠାରେ ଶକ୍ତିଶାଳୀ ଡ୍ରିଲିଂ ମେସିନ୍ ଲଗାଇ ରାସ୍ତାକୁ ଖୋଳା ଯାଉଛି। ଏଥିରେ ଯେତିକି ରାସ୍ତା ଖୋଳା ହେଉଛି ତାହାର ପ୍ରାୟ ୨୦ମିଟର ପରଧି ଭିତରେ ରାସ୍ତା ଫାଟିକି ଆଁ କରି ଚାହୁଁଛି। କିନ୍ତୁ ତାହା ବି ମରାମତି ହେଉନି। ସ୍ବେରେଜ୍ ବୋର୍ଡ ରାସ୍ତାରେ ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ରାସ୍ତା ମଝିରେ ଖୋଳି ଖୋଳି ଯାଉଛି। କିନ୍ତୁ ମରାମତି କଲାବେଳକୁ ଯେତିକି ଖୋଳୁଛି ତାହାର ଅଧା ବି ମରାମତି କରୁନି। ଓପିଟିସିଏଲ୍ କଥା ତ ତଦ୍ରୁପ। ରାସ୍ତା ଓ ଫୁଟପାଥ୍‌କୁ ଖୋଳି ଖିନ୍‌ଭିନ୍ କରିଦେଇଛି। ଭୂତଳ କେବୁଲ୍ ବିଛାଇବା ପୂର୍ବରୁ ସର୍ତ୍ତ ଥିଲା ରାସ୍ତା ଖୋଳିବା ପୂର୍ବରୁ ଯେମିତି ସ୍ଥିତିରେ ଥିବ କେବୁଲ୍ ବିଛାଇବା ପରେ ସେହିପରି ହେବା ଦରକାର। କିନ୍ତୁ କେବଳ ବାଲି ପକାଇ ସଂସ୍ଥା ଛୁ। ସ୍ଥିତି ଏପରି ଯେ, ଦିନ ଯେତେ ବଢ଼ୁଛି ରାସ୍ତା ସେତେ ଦବୁଛି।
ଆଉ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ତ ରାସ୍ତା କାମ ସରିବା ପରେ ୱାଇଫାଇ ପାଇଁ ରାସ୍ତାକୁ ମନଇଚ୍ଛା ଖୋଳି ଚାଲିଛନ୍ତି। ଏମୁଣ୍ଡରୁ ସେମୁଣ୍ଡ ‌ଡ୍ରିଲିଂ ମେସିନ୍ ଲଗାଇ ଖୋଳି ଦେଉଛନ୍ତି। ଖୋଳା ହେଲା ବେଳେ ରାସ୍ତା ଏମିତି ଥରୁଛି ଯେ, ଭୂମିକମ୍ପ ହେଲା ଭଳି ଲାଗୁଛି। ବାକି ରହିଲା ପୂର୍ତ୍ତ ବିଭାଗ କଥା। ଏହି ବିଭାଗ ଗତ କିଛି ବର୍ଷ ହେଲା କିପରି ରାସ୍ତା ମରାମତି କରିଛି ତାହା ଯେକୌଣସି ରାସ୍ତାକୁ ଦେଖିଲେ ‌ଜଣାପଡ଼ୁଛି। ସମସ୍ତ ପ୍ରମୁଖ ରାସ୍ତାର ମଝିରେ ଗାତ। ପୂରା ସୁଡ଼ଙ୍ଗ ଭଳି। ଏପରିକି ଲୋକ ରାସ୍ତାରେ ଯିବାକୁ ଡରୁଛନ୍ତି। କିନ୍ତୁ ପୂୂର୍ତ୍ତ ବିଭାଗ ବେଫିକର। ରାସ୍ତାରେ ସୁଡ଼ଙ୍ଗ ହେଉ କି ଭୁଶୁଡ଼ି ଯାଉ ଅଧିକାରୀଙ୍କର କିଛି ଯାଏ ଆ‌େସ ନାହିଁ।

ସମ୍ବନ୍ଧିତ ଖବର