ଜଳାଶୟ ପୁନରୁଦ୍ଧାର ବାହାନା, ପୋଷା ହେଉଛନ୍ତି ଠିକାଦାର

ଭୁବନେଶ୍ବର: ସହରାଞ୍ଚଳରେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଳାଶୟ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ କେବଳ ବିଏମ୍‌ସି ନୁହେଁ, ବରଂ ରାଜ୍ୟ ସରକାର ମଧ୍ୟ ଗୁରୁତ୍ବର ସହ ନେଇଛନ୍ତି। ସହରରେ ଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି(ଓୟୁଆଇଡିଏଫ୍‌) ଜରିଆରେ ବିଏମ୍‌ସିକୁ ଶହେ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି ପାଣ୍ଠି ସହ ବିଏମ୍‌ସି ନିଜସ୍ୱ ଓ ଅମୃତ ଯୋଜନା ପାଣ୍ଠିରୁ ମଧ୍ୟ କୋଟି କୋଟି ଖର୍ଚ୍ଚ କରି କେତେକ ଜଳାଶୟ ପୁନରୁଦ୍ଧାର କରିଛି। ଏଭଳି ହୋଇଛି କି ଗୋଟିଏ ବର୍ଷରେ ଗୋଟିଏ ପୋଖରୀରେ ଦୁଇଦୁଇ ଥର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ କେଉଁଠି ପାଣି ନାହିଁ ତ କେଉଁଠି ଏହା ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।

ଗୋଟିଏ ବର୍ଷରେ ଗୋଟିଏ ପୋଖରୀରେ ଦୁଇ ଥର ଟଙ୍କା ଖର୍ଚ୍ଚ ହୋଇଛି
ପ୍ରଚୁର ଟଙ୍କା ଖର୍ଚ୍ଚ ସତ୍ତ୍ବେ ବ୍ୟବହାର ଉପଯୋଗୀ ହେଉନି ଜଳାଶୟ
ଏବେ ଜ୍ଞାନ ଆହରଣ ପାଇଁ ‘ଏକ୍ସପୋଜର ଭିଜିଟ୍‌’ରେ ବିଏମ୍‌ସି ଟିମ୍‌

ଅର୍ଥାତ କୋଟି କୋଟି ଟଙ୍କା ଜଳାଶୟ ପୁନରୁଦ୍ଧାର ନାଁରେ ପାଣିରେ ପଡ଼ିଛି। କେଉଁଠି ଠିକାଦାର-ଅଫିସର ମଧୁଚନ୍ଦ୍ରିକାରେ ଲକ୍ଷଲକ୍ଷ ଟଙ୍କା ବାଟମାରଣା ହୋଇଛି ତ କେଉଁଠି ଅଧିକାରୀଙ୍କ ଅପାରଗତା ଯୋଗୁଁ ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ ସଫଳ ହୋଇନାହିଁ। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ ବିଫଳ ହେବାକୁ ନେଇ ବିଏମ୍‌ସି ସମାଲୋଚନାର ଶିକାର ହେଉଥିଲା ବେଳେ ଏବେ ବିଏମ୍‌ସିର ଏକ ୧୬ ଜଣିଆ ଟିମ୍‌ ବେଙ୍ଗାଲୁରୁ ଯାଇଛି। ସେଠାରେ କିଭଳି ଜଳାଶୟର ପୁନରୁଦ୍ଧାର କରାଯାଇଛି, ତାହା ଅନୁଧ୍ୟାନ କରିବ। ସେଠାରୁ ଜ୍ଞାନ ଆହରଣ କରି ଏଠାରେ ପ୍ରୟୋଗ କରିବ। ଏହି ଗସ୍ତକୁ ନେଇ ଏବେ ଅନେକ ଚର୍ଚ୍ଚା ଉଠିଛି। ଜଳାଶୟ ପୁନରୁଦ୍ଧାର ଯୋଜନାରେ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚେତା ପଶିଲା କି? ଜଳାଶୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ କାହିଁକି ଏଭଳି ପରିଦର୍ଶନ ଯୋଜନା କଲେ ନାହିଁ? ଯେଉଁମାନଙ୍କ ଭୁଲ୍‌ ପାଇଁ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା, ସେମାନଙ୍କୁ ଧରିବ କିଏ?
ସୂଚନାଯୋଗ୍ୟ, ରାଜ୍ୟ ସରକାର ଓୟୁଆଇଡିଏଫ୍‌ରୁ ଦେଇଥିବା ଶହେ କୋଟି ଟଙ୍କାରୁ ଦ୍ୱିତୀୟ ପର୍ଯ୍ୟାୟରେ ବିଏମ୍‌ସି ୭ଟି ପୋଖରୀରେ ୧୬କୋଟି ୨୭ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚ କରିଛି। ସେଥିରୁ ୧୯ ନମ୍ବର ୱାର୍ଡରେ ଅନନ୍ତ ବାସୁଦେବ ପୁରୋହିତ ପୋଖରୀରେ ୨କୋଟି ୨୫ଲକ୍ଷ ୯ ହଜାର ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଖରାଦିନେ ପାଣି ରହିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା କରିଛନ୍ତି।

ସେମାନଙ୍କ କହିବା କଥା, ବନ୍ଦ ହୋଇଯାଇଥିବା ପାଣି ଝରକୁ ଖୋଲିବା ପାଇଁ ବ୍ୟବସ୍ଥା ହୋଇନାହିଁ। ୱାର୍ଡ ନମ୍ବର ୨୩ରେ ନୂଆପଲ୍ଲୀ ହଜ ରହିଛି। ଏଥିରେ ୩ କୋଟି ୯୫ ଲକ୍ଷ ୭୭ହଜାର ଖର୍ଚ୍ଚ ହେଉଛି। ଏହାର କାମ ଚାଲିଛି। ତେବେ ଯେଉଁ କାମ ଏଠାରେ ହେବାକୁ ଯୋଜନା ହୋଇଛି ତାହାକୁ ସ୍ଥାନୀୟ ଲୋକ ଘୋର ବିରୋଧ କରିଛନ୍ତି। ଏଥିରୁ ଜବରଦଖଲ ହୋଇଥିବା ଅଂଶ ଉଚ୍ଛେଦ ହୋଇନାହିଁ। ପାଣି ରହିବା ସ୍ଥାନ ବହୁତ କମ୍‌ ଥିବା ବେଳେ ପାର୍କ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଅଧିକ ଜାଗା ଛଡ଼ା ହୋଇଛି। ଏଣୁ ଆବଶ୍ୟକ ମୁତାବକ ପାଣି ରହିବ ନାହିଁ ବୋଲି ବିରୋଧ ହୋଇଛି। ସେହିଭଳି ଜାଗମରା ବରବାରି ପୋଖରୀରେ ୧ କୋଟି ୪୬ ଲକ୍ଷ ୫୦ ହଜାର ଖର୍ଚ୍ଚ ହୋଇଛି। ଏଠାରେ ପାଣି ଅଛି, ହେଲେ ବ୍ୟବହାର ଉପଯୋଗୀ ନାହିଁ। ଏହାକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି।

ୱାର୍ଡ ନମ୍ବର ୨୩ରେ ଥିବା ଘାଗୁଡ଼ି ପୋଖରୀରେ ୩କୋଟି ୭ ଲକ୍ଷ ୯୫ହଜାର ଖର୍ଚ୍ଚ ହେବାକୁ ଟେଣ୍ଡର୍‌ ହୋଇଛି। ହେଲେ କାମ ଆରମ୍ଭ ବେଳକୁ ପୋଖରୀ ଭିତରେ କାହାର ଘଟି ଜମି ଅଛି ବୋଲି ଅଭିଯୋଗ ଆସିବାରୁ କାମ ବନ୍ଦ ହୋଇଯାଇଛି। ଫଳରେ ପୋଖରୀ ପୁନରୁଦ୍ଧାର ସମ୍ଭବ ହୋଇନାହିଁ। ୱାର୍ଡ ୬୫ରେ ଥିବା ନମ୍ରକଣି ପୋଖରୀରେ ୧କୋଟି ୬୯ଲକ୍ଷ ୨୫ହଜାର ଖର୍ଚ୍ଚ ହେଉଛି। ଏଠାରେ କାମ ସରିନାହିଁ। ୱାର୍ଡ ୨୩ରେ ଥିବା ତରିଆ ପୋଖରୀରେ ୨ କୋଟି ୧୯ ଲକ୍ଷ ୪୪ ହଜାର ଖର୍ଚ୍ଚ ହେବାକୁ ଟେଣ୍ଡର ହୋଇଛି। ୱାର୍ଡ ୬୨ରେ ଥିବା ଝର ପୋଖରୀରେ ୧ କୋଟି ୬୩ ଲକ୍ଷ ୫୭ହଜାର ଖର୍ଚ୍ଚ ହେବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟରେ ବିଏମ୍‌ସି ପାଖାପାଖି ୨୦କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଲକ୍ଷ୍ମୀସାଗର ଫିସ୍‌ ପଣ୍ଡ୍‌ରେ ଦୁଇ ଦୁଇ ଥର ୫କୋଟିରୁ ଉର୍ଧ୍ୱ ଖର୍ଚ୍ଚ ହୋଇଛି। ହେଲେ ଏସବୁ ଖର୍ଚ୍ଚ ପାଣିରେ ପଡିଛି। ଏହା ବ୍ୟବହାର ଉପଯୋଗୀ ନହେବାରୁ ସ୍ଥାନୀୟ ଲୋକ ମେୟରଙ୍କୁ ଭେଟିବା ପରେ ଏହା ଅମୃତ ଯୋଜନାରେ ପୁଣି ଥରେ ପୁନରୁଦ୍ଧାର ହେବାକୁ ଯାଉଛି। ସେମିତି ସୁନ୍ଦରପଦା ହଜରେ ୫କୋଟିରୁ ଉର୍ଧ୍ୱ ଖର୍ଚ୍ଚ ହୋଇଛି। ହେଲେ ସେଥିରେ ପାଣି ନାହିଁ କିମ୍ବା ତାହା ବ୍ୟବହାର ଉପଯୋଗୀ ହୋଇନାହିଁ। ଏ ସମସ୍ତ ଜଳାଶୟକୁ ଦେଖିଲେ ଲାଗୁଛି ଯେମିତି ସରକାରୀ ଅର୍ଥରେ କେବଳ ଠିକାଦାର ପୋଷା ହେଇଛନ୍ତି। ତେବେ ତିନି ଦିନିଆ ବାଙ୍ଗାଲୋର ‘ଏକ୍ସପୋଜର ଭିଜିଟ୍‌’ ପରେ ଭୁବନେଶ୍ୱର ଜଳାଶୟ କିପରି ନୂଆ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର