ଭୁବନେଶ୍ବର: ୧୧ବର୍ଷ ତଳେ ବିଏମ୍‌ସି, ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା। ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସର ନୀଳନକ୍ସା ଆଙ୍କିଥିଲା। ଏଥିପାଇଁ ୪୨ଟି ସରକାରୀ କ୍ବାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏହି ବିକାଶର ନକ୍ସା ୧୧ବର୍ଷ ହେଲାଣି ନାଲିଫିତା ତଳେ ଚାପି ହୋଇରହିଛି। ଏହି ବିଳମ୍ବିତ ପ୍ରକ୍ରିୟା କାରଣରୁ ଯେଉଁ ବସ୍ତି ଉଚ୍ଛେଦ ହୋଇଥିଲା, ତାହା ପୁଣି ଗଢ଼ି ଉଠିଲାଣି। ଏଣେ ହାଟର ବ୍ୟବସାୟୀମାନେ ପ୍ରତି ମୁହୂର୍ତ୍ତରେ ଭୟର ବାତାବରଣ ଭିତରେ ରହୁଛନ୍ତି। ବିଶେଷକରି ହାଟକୁ ସବୁବେଳେ ନିଆଁ ଡର ଲାଗିରହିଛି।

Advertisment

୧ନମ୍ବର ହାଟ ଜମି ସାଧାରଣ ପ୍ରଶାସନ(ଜିଏ ଆଣ୍ଡ ପିଜି) ବିଭାଗର। ହାଟରେ ୨୮୩୯ଜଣ ବ୍ୟବସାୟ କରୁଛନ୍ତି। ଯେଉଁଥିରେ କଞ୍ଚା ପରିବା ବ୍ୟବସାୟୀ ୧୪୫୦ଜଣ ଓ ୫୦ଜଣ ପାଇକାରୀ ବ୍ୟବସାୟୀ ରହିଛନ୍ତି। ୨୦୧୪ ମସିହାରେ ୧ନମ୍ବର ହାଟ ବ୍ୟବସାୟୀଙ୍କୁ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସରେ ଥଇଥାନ କରିବାକୁ ଯୋଜନା ହୋଇଥିଲା। ୫ ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସର ଦୁଇଟି ବେସ୍‌ମେଣ୍ଟରେ ପାର୍କିଂ ବ୍ୟବସ୍ଥା ରହିଥିଲା। ବାକି ତିନି ମହଲାରେ ଯଥାକ୍ରମେ ପରିବା, ତେଜରାତି ଓ ଘରକରଣା ଜିନିଷ ଉପଲବ୍ଧ ହେବ ବୋଲି ନକ୍ସା ପ୍ରସ୍ତୁତ ହୋଇଥିଲା। ଏଥିରେ ପାଖାପାଖି ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ କରାଯାଇଥିଲା। ଯେଉଁଠି ମାର୍କେଟ ‌କମ୍ପ୍ଲେକ୍ସ ତିଆରି ହେବାକୁ ଥିଲା, ସେଠାରେ ୭୫ଟି ସରକାରୀ କ୍ବାର୍ଟର୍ସ ଓ ବସ୍ତିରେ ୧୨୫ ଘର ଥିଲା। ଏଣୁ ସେସବୁକୁ ଭାଙ୍ଗିବା ଯୋଜନା ହୋଇଥିଲା। ୧୨୫ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯାଇ ପରେ ବସ୍ତି ଉଚ୍ଛେଦ କରାଯାଇଥିଲା। ସରକାରୀ କ୍ବାର୍ଟର୍ସ ବି ଭଙ୍ଗାଯାଇଥିଲା। ଖୁଚୁରା ଦୋକାନୀଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ହୋଇଥିଲା ଏବଂ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ବହୁ ବର୍ଷ ପୂର୍ବରୁ ଜିଏ ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇ ସାରିଛି। କିନ୍ତୁ ୧୧ବର୍ଷ ପରେ ବି ଏହି ଯୋଜନା କାର୍ଯ୍ୟକାରୀ ହେବା ସମ୍ଭବ ହୋଇପାରି ନାହିଁ।

ନିଆଁ ନ ଲିଭୁଣୁ ମାରପିଟ

 ଗୋଟିଏ ପଟେ ଆଗ୍ନିକମାନେ ନିଆଁ ସହ ଲଢ଼ୁଥିବା ବେଳେ ଅନ୍ୟ ପଟେ ଗୋଷ୍ଠୀ ସଂଘର୍ଷ ଦେଖାଯାଇଥିଲା। ଦୁଇ ବ୍ୟବସାୟୀ ପକ୍ଷ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ଆଗ୍ନିକମାନଙ୍କୁ ନିଆଁ ଲିଭାଇବାରେ ସହଯୋଗ କରିବେ କ’ଣ, ବ୍ୟବସାୟୀମାନେ ହାତାହାତି ହେବାକୁ ଅଣ୍ଟା ଭିଡ଼ିଥିଲେ। ପୂର୍ବରୁ ଲକ୍ଷ୍ମୀପୂଜା ବେଳଠୁ ଥିବା ବିବାଦକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉଭୟ ପକ୍ଷ ମଝିରେ ପଶି ଜଗିବାରୁ ଉତ୍ତେଜନା ଥମିଥିଲା। ଏନେଇ କ୍ୟାପିଟାଲ ଥାନାରେ ୩ଟି ଅଭିଯୋଗ ହୋଇଛି। ୟୁନିଟ୍-୧ ହାଟରେ କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଗତ ଲକ୍ଷ୍ମୀପୂଜାରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଥିଲା। ବୈଠକରେ ମଧ୍ୟ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଆଜି ଅପରାହ୍ଣରେ ହୃଷୀକେଶ ଓଝାଙ୍କ ତେଜରାତି ଗୋଦାମରୁ ହିଁ ପ୍ରଥମେ ନିଆଁ ଲାଗିଥିଲା। ଏକଥା ତାଙ୍କୁ ଅନ୍ୟ ଦୋକାନୀମାନେ କହିଥିଲେ। ତେଣୁ ହୃଷୀକେଶ ଅପରଗୋଷ୍ଠୀକୁ ଦାୟୀ କରିଥିଲେ। ରୋଷେଇ କରିବା ଆଳରେ ସେମାନେ ତାଙ୍କ ‌ଗୋଦାମରେ ନିଆଁ ଲଗାଇଦେଇଥିବା‌ ଅଭିଯୋଗ କରିଥିଲେ। ଏହାକୁ ନେଇ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା।

ରନ୍ଧନ ଗ୍ୟାସ୍‌ରୁ ଲାଗିଲା ନିଆଁ!

କେଉଁଠୁ ଓ କିପରି ନିଆଁ ଲାଗିଲା, ତାର ଅନୁସନ୍ଧାନ ଆରମ୍ଭ କରିଛି ବିଏମ୍‌ସି ଓ ଅଗ୍ନିଶମ ବିଭାଗ। କିନ୍ତୁ ରନ୍ଧନ ଗ୍ୟାସ୍‌ ଚୁଲାରୁ ନିଆଁ ଲାଗିଥିବା ଅଭିଯୋଗ ‌ଉଠିଛି। ଦୋକାନୀମାନେ କହିଛନ୍ତି, ଦୋକାନ ନମ୍ବର-୫୦ ପାଖ ଦୋକାନରୁ ପ୍ରଥମ ନିଆଁ ଉଠିଥିଲା। ଏହା ପାଖରେ ରୋଷେଇ ପାଇଁ ଗ୍ୟାସ୍‌ ସିଲିଣ୍ଡରଠାରୁ ଆରମ୍ଭ କରି ଚୁଲା ଓ ଅନ୍ୟାନ୍ୟ ବାସନକୁସନ ରହିଥିଲା। ଭାତ ରୋଷେଇ ସରିବା ପରେ ଅନ୍ୟାନ୍ୟ ରୋଷେଇ ଆରମ୍ଭ ହେଉଥିଲା। କିନ୍ତୁ କ’ଣ ହେଲା କେଜାଣି ହଠାତ୍‌ ନିଆଁ ହୁତୁହୁତୁ ହୋଇ ବାହାରକୁ ଉଠିଥିଲା। ନିଆଁ ଲିଭା ସରିବା ପରେ ଅଗ୍ନିଶମ ବାହିନୀ ଅନୁସନ୍ଧାନ‌ କରିଥିଲେ ଏବଂ ଏଠାରେ ଭାତ ଭର୍ତ୍ତି ହାଣ୍ଡି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିସହ ବହୁ ବାସନକୁସନ ବି ପାଇଥିଲେ। ପାଖରେ ଚୁଲା ପଡ଼ିଥିଲେ ବି ସିଲିଣ୍ଡର କିନ୍ତୁ ନଥିଲା। କେବଳ ଏହି ଦୋକାନରେ ନୁହେଁ, ୫୦ ନମ୍ବର ଦୋକାନ ପଛ ପାର୍ଶ୍ବରେ ବି ଏକାଧିକ ଦୋକାନରେ ଚୁଲା ଓ ବାସନକୁସନ ରହିଥିବା ଦେଖିବାକୁ ମିଳିଛି। 

Untitled-3

ଭୋ ଭୋ କାନ୍ଦିଲେ ଦୋକାନୀଆଖି ଆଗରେ ଜଳିଗଲା ୫୦ଲକ୍ଷର ଗ୍ରୋସରି

ଆଖି ଆଗରେ ୫୦ରୁ ୬୦ଲକ୍ଷ ଟଙ୍କାର ଚାଉଳ, ଡାଲି ସହ ଅନ୍ୟାନ୍ୟ ତେଜରାତି ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିପାଇଁ ଭୋ ଭୋ ହୋଇ କାନ୍ଦିଛନ୍ତି ଦୋକାନର ମାଲିକ ଭାଗୀରଥି ପ୍ରଧାନ। ଭାଗୀରଥି କହିଛନ୍ତି, ତାଙ୍କ ଦୋକାନରେ ୫୦ରୁ ୬୦ଲକ୍ଷ ଟଙ୍କାର ଗ୍ରୋସରି ସାମଗ୍ରୀ ଥିଲା। ସେ ଦୁଇତିନି ଦିନ ତଳେ ୮ ନମ୍ବର ଗୋଦାମରୁ ପ୍ରାୟ ୨୨ଲକ୍ଷ ଟଙ୍କାର ଗ୍ରୋସରି କିଣିଥିଲେ। ଅଦ୍ୟାବଧି ଏହି ଟଙ୍କା ବି ଦୋକାନ ମାଲିକଙ୍କୁ ଦେଇନାହାନ୍ତି। ସେ ଏହି ଟଙ୍କା କିଭଳି ଶୁଝିବେ, ଚିନ୍ତାରେ ପଡ଼ିଛନ୍ତି। ସେ ଆହୁରି କହିଛନ୍ତି, ୩ ଭାଇ ମିଶି ଏହି ଦୋକାନ ଚଳାଉଥିଲୁ। ୫ଜଣ ପିଲା ବି ତାଙ୍କ ପାଖରେ କାମ କରୁଥିଲେ। ଦୋକାନ ଉପରେ ତାଙ୍କ ପରିବାରର ୧୦ଜଣ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ। 

Untitled-4

ଅଗ୍ନିବିପନ୍ନଙ୍କୁ ଭେଟିଲେ ରାଜନେତା

ଅଗ୍ନିବିପନ୍ନ ଦୋକାନୀଙ୍କୁ ଆଜି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଭେଟି ସମବେଦନା ଜଣାଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଦୋକାନୀଙ୍କୁ କ୍ଷୟକ୍ଷତି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ଜେନା ୧ନମ୍ବର ହାଟ ଉନ୍ନତୀକରଣ ପ୍ରସଙ୍ଗ ଉଠାଇଛନ୍ତି। ଶ୍ରୀ ଜେନା କହିଛନ୍ତି ୧ ନମ୍ବର ହାଟରେ କେବଳ ଖୁଚୁରା ଦୋକାନୀଙ୍କୁ ବ୍ୟବସାୟ କରିବା ନେଇ ବ୍ୟବସ୍ଥା ହୋଇଥିଲା। ଯେଉଁମାନେ ପାଇକାରୀ ବ୍ୟବସାୟୀ, ସେମାନଙ୍କୁ ଭଗବାନପୁରଠାରେ ବ୍ୟବସାୟ କରିବାକୁ ୧୦ ଏକର ଜାଗା ଯୋଗାଇ ଦିଆଯାଇଛି। କିନ୍ତୁ ଅଦ୍ୟାବଧି ଖୁଚୁରା ଦୋକାନୀ ଓ ପାଇକାରୀ ଦୋକାନୀଙ୍କୁ ଅଲଗା କରାଯାଉନି। ପାଇକାରୀ ଦୋକାନୀଙ୍କ ବଡ଼ବଡ଼ ଗାଡ଼ି ଆସି ରାସ୍ତା ଅବରୋଧ କରୁଛି ଓ ଅଯଥା ଭିଡ଼ ବଢ଼ାଉଛି। ଏଣୁ ତୁରନ୍ତ ପାଇକାରୀ ଦୋକାନୀଙ୍କୁ ଭଗବାନପୁରଠାରେ ଥଇଥାନ କରିବାକୁ ସେ ମତ ଦେଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନ ବି ଆଜି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଭେଟିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁଭଳି ବ୍ୟବସ୍ଥା ଭିତରେ ଦୋକାନୀମାନେ ବ୍ୟବସାୟ କରୁଛନ୍ତି, ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପ୍ରତି ବିପଦ ରହିଛି। ଏ ସଂପର୍କରେ ସେ ନଗର ଉନ୍ନୟନ ମନ୍ତ୍ରୀ, ବିଏମ୍‌ସି କମିସନର୍‌ଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଛନ୍ତି।

‘ବଜ୍ରକୀଳା’ ସମ୍ପାଦକଙ୍କୁ ଆକ୍ରମଣ
 

ଅଗ୍ନିକାଣ୍ଡ ବେଳେ ‘ବଜ୍ରକୀଳା’ର ସମ୍ପାଦକ ବରଦା ଶତପଥୀ ସାମ୍ବାଦିକମାନଙ୍କୁ ହାଟ ବିଷୟରେ ସମ୍ବୋଧନ କରୁଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଧକ୍କା ମାରି ତଳେ ପକାଇଦେଇଥିଲେ। ଏନେଇ ସେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଛନ୍ତି।

ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ କମିସନର୍‌

୧ ନମ୍ବର ହାଟରେ ଅଗ୍ନିକାଣ୍ଡ ପରେ ବିଏମ୍‌ସି ଅତିରିକ୍ତ କମିସନର୍‌ ରତ୍ନାକର ସାହୁ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀ ସାହୁ କହିଛନ୍ତି, ବିଏମ୍‌ସି ଓ ରାଜସ୍ବ ବିଭାଗର ଯୁଗ୍ମ ଦଳ ତଦନ୍ତ କରି ରିପୋର୍ଟ ଦେବା ପରେ ଦୋକାନୀଙ୍କୁ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା କରାଯିବ। ଅପରପକ୍ଷେ ଭଗବାନପୁରସ୍ଥିତ ୧୦ ଏକର ଜାଗାକୁ ଆମେ ଦୋକାନୀଙ୍କୁ ସ୍ଥାନାନ୍ତର ଦିଗରେ ପଦକ୍ଷେପ ନେଉଛୁ। ଏହା ପୂର୍ବରୁ ଦୋକାନୀଙ୍କ ସର୍ଭେ କରାଯିବ।