ଭୁବନେଶ୍ବର : କାଳବୈଶାଖୀ ଦୁଇଥର ଆସି ଡରାଇଲାଣି। ପାଣିପାଗ ବିଭାଗର ଆକଳନ ସତ ହେଲେ ଆସନ୍ତା ୧୦ରୁ ୧୨ ଦିନ ଭିତରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବ। ପ୍ରବଳ ବର୍ଷା ବି ହେବ। ଅଥଚ ଭୂତଳ କେବୁଲ୍ ପ୍ରକଳ୍ପ ପାଇଁ ଲମ୍ବା ବ୍ୟବଧାନରେ ଟ୍ରେଞ୍ଚ୍ ଖୋଳା ଚାଲିଛି। ମୌସୁମୀ ପୂର୍ବରୁ ଯେ ଖୋଳା ଯାଇଥିବା ଖାଇରେ କେବୁଲ୍ ବିଛାଯାଇ ଗାତ ବୁଜାଯାଇ ପାରିବ ନାହିଁ, ତାହା ଜଳଜଳ ଦିଶିଲାଣି। ଅପରପକ୍ଷେ ପ୍ରବଳ ବର୍ଷା ହେଲେ ଏହି ଟ୍ରେଞ୍ଚ୍ ବିପଜ୍ଜନକ ସାଜିବ ବୋଲି ବୁଦ୍ଧିଜୀବୀମାନେ ପୂର୍ବାନୁମାନ କଲେଣି।
ରାଜଧାନୀର ୪ଟି ସ୍ଥାନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୨୦୧୬ ମସିହାରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା। ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ଏବଂ ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଇ ୟୁନିଟ୍ (ସେସୁ) ପକ୍ଷରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା। ସହରରେ ୩୫୦ କିଲୋମିଟର ଭୂତଳ କେବୁଲ୍ ବିଛାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ଆସିଥିଲା। ଏହି ଆଧାରରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାମ ସଂପ୍ରତି ୩ଟି ସ୍ଥାନରେ ଶେଷ ହୋଇଛି। ରାମମନ୍ଦିରରୁ ରାଜମହଲ, ରସୁଲଗଡ଼ରୁ କଟକ ରୋଡ୍, ଆଚାର୍ଯ୍ୟବିହାର-ସଚିବାଳୟ-ନୂଆ ଏୟାରପୋର୍ଟ ରୋଡ୍-ପୁରୁଣା ଏୟାରପୋର୍ଟ ପର୍ଯ୍ୟନ୍ତ କାମ ଇତି ମଧ୍ୟରେ ଶେଷ ହୋଇଛି। ଏହି ରୁଟ୍ରେ ୩୩କେଭି ଓ ୧୧କେଭି ଲାଇନ୍ ବିଛା ସରିଛି। ତେବେ ମୌସୁମୀ ପାଖେଇବା ପରେ ଅନ୍ୟତମ ରୁଟ୍ ‘ବାଣୀବିହାରରୁ ରାମମନ୍ଦିର’ ପର୍ଯ୍ୟନ୍ତ ରାସ୍ତାରେ ଭୂତଳ କେବୁଲ୍ ବିଛାଇବା କାମକୁ ଅନେକ ଗ୍ରହଣ କରିପାରୁନାହାନ୍ତି।
/sambad/media/post_attachments/wp-content/uploads/2019/06/cable1-300x197.jpg)
ସହରର କେନ୍ଦ୍ର ଭାଗରେ ଥିବା ଏହି ରୋଡ୍ ସବୁଠୁ ବ୍ୟସ୍ତବହୁଳ। ଆରମ୍ଭ ହୋଇଥିବା କାମ ଏପର୍ଯ୍ୟନ୍ତ କେବଳ ରାମମନ୍ଦିରରୁ ସତ୍ୟନଗର ପର୍ଯ୍ୟନ୍ତ ଶେଷ ହୋଇଛି। ଏବେ ବି ସତ୍ୟନଗରରୁ ବାଣୀବିହାର ପର୍ଯ୍ୟନ୍ତ କାମ ବାକି ଅଛି। ରାସ୍ତା ପାର୍ଶ୍ବ ଖୋଳା ହୋଇପଡ଼ିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଏନ୍ଡିଏମ୍ଏ)ର ଗାଇଡ୍ଲାଇନ୍ ମୁତାବକ, ମୌସୁମୀ ସମୟରେ ସହରାଞ୍ଚଳରେ ବନ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ଡ୍ରେନ୍ କାମ ଓ କୌଣସି ପ୍ରକାର ଟ୍ରେଞ୍ଚ୍ ଖୋଳା ଯାଇପାରିବ ନାହିଁ। ଏହାକୁ ଧ୍ୟାନରେ ନ ରଖିଲେ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ପୂର୍ବରୁ ବର୍ଷା ସମୟରେ ଏହି ଟ୍ରେଞ୍ଚ୍ ଯୋଗୁଁ କିଛି ଦୁର୍ଘଟଣା ଘଟିଥିଲା। ଗତବର୍ଷ ପ୍ରବଳ ବର୍ଷା ହେଉଥିବା ସମୟରେ ଅଶୋକ ନଗରରେ ଜଣେ ବ୍ୟକ୍ତି ଟ୍ରେଞ୍ଚ୍ରେ ପଡ଼ି ଆହତ ହୋଇଥିଲେ। ସେହିପରି ଶ୍ରୀୟା ଟକିଜ୍ ଛକ କାର୍ ପାର୍କିଂ ଭାବି କାର୍ ରଖୁଥିବା ବେଳେ ଜଣେ ବ୍ୟକ୍ତିଙ୍କର କାର୍ ମଧ୍ୟ ଟ୍ରେଞ୍ଚ୍ ଭିତରକୁ ଗଳି ପଡ଼ିଥିଲା।
ଦପ୍ତର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏତେ ବେଳକୁ ନିର୍ଧାରିତ ୩୫୦କିଲୋମିଟର ଭୂତଳ କେବୁଲ୍ ବିଛା କାମ ସରିଥାଆନ୍ତା। କିନ୍ତୁ ଦିନ ବେଳା କାମ ବନ୍ଦ ରହୁଥିବା ବେଳେ ଦୁର୍ଗାପୂଜା ଓ ଅନ୍ୟାନ୍ୟ ପର୍ବପର୍ବାଣୀ, ବର୍ଷା ଓ ହକି ବିଶ୍ବକପ୍ ଆୟୋଜନ ଯୋଗୁଁ କାମ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ତେଣୁ ୫ ବର୍ଷରେ ୧୫୦୦ କୋଟି ଟଙ୍କାରେ ପୂରା ସହରରେ ଏହି ପ୍ରକଳ୍ପ କାମ ସାରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ଶେଷ ହେବ କି ନାହିଁ, ତାହା ପ୍ରଶ୍ନବାଚୀ।
ଭୂତଳ କେବୁଲ୍ କେତେ ଉପକାରୀ ତାହା ଗତ ବାତ୍ୟା ପରେ ଜଣାପଡ଼ିଛି। ୧୩୨ କେଭି ଗ୍ରିଡ୍ ଲାଇନ୍ ମାଟି ତଳେ ବିଛା ସରିଥିବାରୁ ବାତ୍ୟା ଫନି ପରେ ଏୟାରପୋର୍ଟ, ସେକ୍ରେଟାରିଏଟ୍ ଓ କ୍ୟାପିଟାଲ୍ ହସ୍ପିଟାଲ୍କୁ ବିଦ୍ୟୁତ ଯୋଗାଣ କମ୍ ଦିନ ମଧ୍ୟରେ ସୁଗମ ହୋଇପାରିଥିଲା। ଏହି ପ୍ରକଳ୍ପ ବେଶ୍ ଉପଯୋଗୀ; ଏଥିରେ ଦ୍ବିମତ ନାହିଁ। ମାତ୍ର ମୌସୁମୀ ପୂର୍ବରୁ କାମ ନ ସାରିଲେ ଏହା କେବୁଲ୍ ବିଛାଇବାରେ ବାଧକ ସାଜିବ। ପୁଣି ପ୍ରବଳ ବର୍ଷା ବେଳେ ଲାଇନ୍ କଟି ଯାଉଥିବାରୁ ଅନ୍ଧାରରେ ଏହି ରାସ୍ତାରେ ଯା-ଆସ ବେଳେ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି। ଯଦିଓ ଏହି ଟ୍ରେଞ୍ଚ୍ରେ ବାଉଁଶର ବାଡ଼ ଦିଆଯାଇଛି, ଏହା ଦୁର୍ଘଟଣାକୁ ଏଡ଼ାଇବାରେ ସକ୍ଷମ ହେବ ନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/cable-2.jpg)