ଭୂତଳ କେବୁଲ : ଏତେ ଯନ୍ତ୍ରଣା ପରେ ବି କାମ ସରିବନି 

ବିଶ୍ୱକପ୍‌ ହକି ପାଇଁ ସାମୟିକ କାମ ବନ୍ଦ ରହିବ, ଜନପଥରେ ନାକେଦମ୍‌ ହେଉଛନ୍ତି ଲୋକ

ଭୁବନେଶ୍ୱର : ଭୂତଳ କେବୁଲ୍‌ କାମର ଶିଳାନ୍ୟାସ ହେଲା ୨୦୧୬ ମାର୍ଚ୍ଚରେ। ଶକ୍ତି ମନ୍ତ୍ରୀ କହିଲେ, ଦେଢ଼ ବର୍ଷ ଭିତରେ କାମ ସରିବ। କିନ୍ତୁ ଏହା ମଧ୍ୟରେ ଅଢ଼େଇ ବର୍ଷ ଶେଷ ହେବାକୁ ବସିଲାଣି। କାମ ତ ସରୁନି, ଲୋକଙ୍କ ଯନ୍ତ୍ରଣା ବି ବଢ଼ି ଚାଲିଛି। ମାସ ମାସ ଧରି ଏତେ ଯନ୍ତ୍ରଣା ଭୋଗିଲା ପରେ ମଧ୍ୟ କାମ ନିକଟ ଭବିଷ୍ୟତରେ ସରିବାର ନାହିଁ। କେବଳ ବିଶ୍ୱକପ୍‌ ହକି ପାଇଁ ସାମୟିକ ଭାବେ ବନ୍ଦ ରହିବ ଭୂତଳ କେବୁଲ୍‌ କାମ। ପୁଣି ଡିସେମ୍ବରରୁ ଆରମ୍ଭ ହେବ। ଜନପଥର ଯନ୍ତ୍ରଣା ପୁଣି ଆରମ୍ଭ ହୋଇଯିବ। ତା’ପରେ କେବେ ସରିବ, ତାହାର ହିସାବ କରିବା ମୁସ୍କିଲ୍‌।

୨୦୧୬ ମସିହାରୁ ରାଜଧାନୀର ଚାରିଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଭୂତଳ କେବୁଲ୍‌ କାମ ଚାଲିଛି। ଜନପଥ, ସଚିବାଳୟ ମାର୍ଗ, ବିଦ୍ୟୁତ ମାର୍ଗ ଓ କଟକ-ପୁରୀ ରାସ୍ତା। ଓପିଟିସିଏଲ୍‌ ଓ ସେସୁର ତତ୍ତ୍ୱାବଧାନରେ ଘରୋଇ ଠିକା ସଂସ୍ଥା ଏଲ୍‌ ଆଣ୍ଡ୍‌ ଟି ଏହି କାମ କରୁଛି। ୧୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପର କାମ ଶେଷ ହେବାକୁ ୫ ବର୍ଷ ଧାର୍ଯ୍ୟ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ଏହି ଚାରିଟି ରାସ୍ତାରେ ଭୂତଳ କେବୁଲ୍‌ କାମ ଦେଢ଼ ବର୍ଷରେ ଶେଷ ହେବ ବୋଲି କୁହାଯାଇଥିଲା।

ସହରର ଚିନ୍ତା ବଢ଼ାଉଛି ଦୁଇଟି ବ୍ୟସ୍ତବହୁଳ ରାସ୍ତା କଟକ-ପୁରୀ ରୋଡ୍‌ ଓ ଜନପଥରେ ଭୂତଳ କେବୁଲ୍‌ କାମ। ଏଠାରେ ଟ୍ରାଫିକ୍‌ ଭିଡ଼କୁ ଦୃଷ୍ଟିରେ ରଖି କାମ ଯେପରି ତ୍ୱରାନ୍ଵିତ କରାଯିବା କଥା ତାହା ହୋଇ ନାହିଁ ବୋଲି ଅଭିଯୋଗ ଉଠୁଛି। ଯେହେତୁ ସହରର ସର୍ବାଧିକ ଚଳପ୍ରଚଳ ଏହି ଦୁଇଟି ରାସ୍ତାରେ ହୁଏ, ତେଣୁ ଏହାର କାମକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ତୁରନ୍ତ ଶେଷ କରିବାର ଆବଶ୍ୟକତା ଥିଲା। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇନାହାନ୍ତି, ଚିରାଚରିତ ଢଙ୍ଗରେ କାମ କରି ଚାଲିଛନ୍ତି। ଏବେ ଏହାର କୁଫଳ ଭୋଗୁଛନ୍ତି ସହରବାସୀ।

ଶିଶୁଭବନ ଛକରୁ ମାଷ୍ଟର୍‌ କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟେ ବଡ଼ ବଡ଼ ଗାତ ଖୋଳାଯାଇ କେବୁଲ୍‌ ବିଛାଯାଉଛି। ପୁଣି ତାହା ସହିତ ସ୍ମାର୍ଟ ସିଟି କାମ ବି ଚାଲିଛି। କିନ୍ତୁ ଗାତଗୁଡ଼ିକ ବହୁ ଦିନ ପର୍ଯ୍ୟନ୍ତ ଖୋଳି ରଖା ଯାଇଥିବାରୁ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ମାଷ୍ଟର୍‌ କ୍ୟାଣ୍ଟିନ୍‌ରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ମଧ୍ୟ ସମାନ ଅବସ୍ଥା। ଜନପଥର ୬୦ ମିଟର ଚଉଡ଼ା ରାସ୍ତା ଏବେ କାମ ଯୋଗୁଁ ୪୦ ମିଟର ଭିତରେ ସୀମିତ ରହିଛି। ପୁଣି ରାସ୍ତା ଉପରେ କାର୍‌, ବାଇକ୍‌ ପାର୍କିଂ କରାଯାଇଥିବାରୁ ଗାଡ଼ି ଯା’ଆସ ପାଇଁ ଖୁବ୍‌ କମ୍‌ ଜାଗା ମିଳୁଛି। ଜନପଥ ରାଜଧାନୀର ଏକ ପ୍ରମୁଖ ବ୍ୟାବସାୟିକ ସ୍ଥାନ ହୋଇଥିବାରୁ ସହରର ସବୁଆଡ଼ୁ ଲୋକ ଏଠାକୁ ଆସୁଛନ୍ତି। ସନ୍ଧ୍ୟା ବେଳେ ତ ସ୍ଥିତି ପୂରା ବିଗିଡ଼ି ଯାଉଛି। ବହୁ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ହେଉଛି। ଶନିବାର ଓ ରବିବାର ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ଟ୍ରାଫିକ୍‌ ପୁଲିସ୍‌ ବି ହାତ ଟେକି ଦେଉଛି। ସନ୍ଧ୍ୟାରେ ଓ ଛୁଟି ଦିନରେ ଲୋକମାନେ ଏବେ ଜନପଥ ଯିବାକୁ ଡରିଲେଣି। କେବଳ ଟ୍ରାଫିକ୍‌ ଜାମ୍‌ ନୁହେଁ, ଏହି ଗାତଗୁଡ଼ିକ ଦୁର୍ଘଟଣାର କାରଣ ବି ସାଜୁଛନ୍ତି। ପୁଣି ବର୍ଷା ହେଲେ ରାସ୍ତା ଓ ଗାତ ଭିତରେ କିଛି ଫରକ୍‌ ଜଣାପଡ଼ୁନି। ଫଳରେ ସାମାନ୍ୟ ଅସାବଧାନ ହେଲେ ସେହି ଗାତରେ ପଡ଼ି ଯିବାର ଆଶଙ୍କା ରହିଛି।

ଓପିଟିସିଏଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ୍‌ ହକି ପୂର୍ବରୁ ପୂରା ଜନପଥର କାମ ଶେଷ ହେବ ନାହିଁ। ୩୧ ତାରିଖ ସୁଦ୍ଧା ଶିଶୁଭବନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଖୋଳା ଯାଇଥିବା ଗାତରେ କେବୁଲ୍‌ ବିଛା ଶେଷ ହେବ। ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ଗାତଗୁଡ଼ିକ ପୋତି ଦିଆଯିବ। ତାହା ପରେ ସାମୟିକ ଭାବେ କାମ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଓପିଟିସିଏଲ୍‌ ଏଜିଏମ୍‌ ସଞ୍ଜୟ କୁମାର ମହାନ୍ତି କହିଛନ୍ତି, ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଜନପଥରେ ଭୂତଳ କେବୁଲ୍‌ କାମ ଶେଷ ହେବାର ଯୋଜନା ରହିଛି। ବିଶ୍ୱକପ୍‌ ହକି ପାଇଁ କାମ ବନ୍ଦ କରାଯିବ। ପୁଣି ଡିସେମ୍ବରରୁ ବିମାନବନ୍ଦର ଛକରୁ ଶିଶୁଭବନ ଏବଂ ରାମମନ୍ଦିର ଛକରୁ ବାଣୀବିହାର ଛକ କାମ ହେବ। ଏହାସହ ସଚିବାଳୟ ମାର୍ଗରେ କାମ ଶେଷ ହୋଇଥିଲା ବେଳେ କଟକ-ପୁରୀ ରୋଡ୍‌ ମାତ୍ର ୫୦୦ ମିଟର୍‌ ବାକି ଅଛି। ବିଦ୍ୟୁତ ମାର୍ଗ କାମ ବି ଖୁବ୍‌ ଶୀଘ୍ର ଶେଷ ହେବ।

ସମ୍ବନ୍ଧିତ ଖବର