ଟ୍ବିନ୍ସିଟିରେ ସରୁନି ଭୂତଳ କେବୁଲ୍ କାମ: ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା କେବେ?
ପ୍ରତିବର୍ଷ ବଜେଟ୍ ବଢ଼ି ଚାଲିଛି, ସତ୍ୟନଗର ଗ୍ରିଡ୍ କାମ ହୋଇନି, ଆହୁରି ୨ ବର୍ଷ ଲାଗିବ: ଶକ୍ତି ସଚିବ
ଭୁବନେଶ୍ୱର : ଭୁବନେଶ୍ବର-କଟକରେ ଆଉ କଟିବନି ବିଜୁଳି। ସପ୍ତାହକ ୭ଦିନ ଲୋକଙ୍କ ଘରେ ବିଦ୍ୟୁତ୍ ସଂଯୋଗ ରହିବ। ଦିନରାତି ୨୪ ଘଣ୍ଟା ନିରବଚ୍ଛିନ୍ନ ସେବା ପାଇବେ ସହରବାସୀ। ଖରା ହେଉ କି ବର୍ଷା। ବିଜୁଳି ମାରୁ କି ଘଡ଼ଘଡ଼ି। ବିଦ୍ୟୁତ୍ ସେବା ଜାରି ରହିବ। ଲୋ-ଭୋଲଟେଜ୍ ସମସ୍ୟା ବି ଦୂର ହେବ। ମାଟି ତଳେ କେବୁଲ୍ ବିଛାଯାଇ ବିଜୁଳି ସଂଯୋଗ ଦେବାକୁ ଏଭଳି ଯୋଜନା କରିଥିଲେ ରାଜ୍ୟ ସରକାର।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୫ରେ ଟ୍ବିନ୍ସିଟିବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲେ। ଲକ୍ଷ୍ୟ ଥିଲା ୨୦୨୦ ଡିସେମ୍ବର ସୁଦ୍ଧା ଉଭୟ ସହରବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପହଞ୍ଚାଇବା। ଇତି ମଧ୍ୟରେ ୨୦୨୩ ମାର୍ଚ୍ଚ ମାସ ସରିବାକୁ ବସିଲାଣି। ମାତ୍ର କାମ ଯେତିକି ଆଗେଇବା କଥା ତାହା ହୋଇପାରି ନାହିଁ। ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମଧ୍ୟ ଏ କଥାକୁ ସ୍ବୀକାର କରିଛନ୍ତି। ସତ୍ୟନଗର ଗ୍ରିଡ୍ କାମ ଏଯାଏ ଆରମ୍ଭ ହୋଇନାହିଁ। ଆଉ କିଛି ଜାଗାରେ କାମ ଚାଲିଛି। ତେଣୁ ସହରବାସୀଙ୍କୁ ନିରବଚ୍ଛିନ୍ନ ବିଜୁଳି ସେବା ପାଇବାକୁ ଆହୁରି ଦୁଇ ବର୍ଷ ଲାଗିବ। ୨୦୨୪ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ନେଇ ସେ କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୮ ବର୍ଷ ହେଲା ଏହି ପ୍ରକଳ୍ପର ସମୀକ୍ଷା ହେଉଛି। ଯିଏ ବି ମୁଖ୍ୟ ଶାସନ ସଚିବ ପଦରେ ବସୁଛନ୍ତି ପ୍ରକଳ୍ପର ସମୀକ୍ଷା କରୁଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ହୁଅନ୍ତୁ କି ସୁରେଶ ଚନ୍ଦ୍ର ମହାପାତ୍ର। ବାରମ୍ବାର ସମୀକ୍ଷା କରି ଭୂତଳ କେବୁଲ୍ ବିଛା କାର୍ଯ୍ୟ କେତେ ବାଟ ଗଲା? କେବେ ସରିବ? କେତେ କିଲୋମିଟର କେବୁଲ୍ ବିଛା ସରିଲାଣି? ଆଉ କେତେ ବାକି ରହିଛି? ଏମିତି ଅନେକ ବିଷୟରେ ସମୀକ୍ଷା କରୁଛନ୍ତି। ଲକ୍ଷ୍ୟ ଧାର୍ଯ୍ୟ କରି ନିର୍ଦ୍ଧାରିତ ସମୟ ସୁଦ୍ଧା କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ବି ଦେଉଛନ୍ତି। ଗତ ୮ବର୍ଷ ମଧ୍ୟରେ ୬ରୁ ଅଧିକ ଥର ସମୀକ୍ଷା ବୈଠକ କରାଯାଇ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେଣି। ମାତ୍ର ଫଳ ଶୂନ। ଶକ୍ତି ବିଭାଗ, ସାଧାରଣ ପ୍ରଶାସନ, ଗ୍ରିଡ୍କୋ, ଓପିଟିସଏଲ୍ ଏକ୍ଷେତ୍ରରେ ସମନ୍ୱୟ ରକ୍ଷା କରି କାମ କରିବାକୁ ବାରମ୍ବାର କୁହାଯାଇଛି। ମାତ୍ର ଆଗେଇ ପାରୁନାହିଁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ।
ସେପଟେ ପ୍ରତିବର୍ଷ ବଜେଟ୍ରେ ଏହି ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହେଉଛି। ୨୦୧୫ରେ ପ୍ରକଳ୍ପ ପାଇଁ ୧୪୯୨.୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ପରବର୍ତ୍ତୀ ସମୟରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିବା ପରେ ସେଠାରେ ଟି ଆଣ୍ଡ ଡି ନେଟ୍ୱାର୍କ ସୁଦୃଢ଼ ଲାଗି ଅତିରିକ୍ତ ୧୬୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଗଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଟ୍ବିନ୍ସିଟିର ସମ୍ପୂର୍ଣ୍ଣ ପ୍ରକଳ୍ପ ଲାଗି ବଜେଟ୍ରେ ୨୦୦ କୋଟି ବ୍ୟବସ୍ଥା ହୋଇଥିବା ବେଳେ ୨୦୨୧-୨୨ରେ ୧୦୦.୨୮ କୋଟି ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୧୪୯.୫୨ କୋଟି ବ୍ୟୟବରାଦ ହୋଇଥିଲା। ତା’ସତ୍ତ୍ବେ ବି କାମ ଆଗେଇ ପାରି ନାହିଁ। ଯେଉଁଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଆହୁରି ୩୬୪.୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଶକ୍ତି ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟ୍ୱିନ୍ସିଟି ରାସ୍ତା କଡ଼ରେ ଆଉ ବିଜୁଳି ଖୁଣ୍ଟ ଦେଖିବାକୁ ମିଳିବନି। ମୁଣ୍ଡ ଉପର ଦେଇ ଯାଇଥିବା ବିଜୁଳି ତାର ହଟିଯିବ। ମାଟି ତଳେ ତଳେ କେବୁଲ୍ ଯିବ। ଯେଉଁଠି ସବ୍ଷ୍ଟେସନ ରହିବ, ତାହାକୁ ଶକ୍ତ କରାଯିବ। ବଡ଼ ବାତ୍ୟା ସମ୍ଭାଳିବା ଭଳି ବିଦ୍ୟୁତ୍ ଭିତ୍ତିଭୂମି କରାଯାଉଛି। ଏହି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାରେ ୩୦୦ କିମି ପବନକୁ ସମ୍ଭାଳି ପାରିବା ଭଳି ଭିତ୍ତିଭୂମି ସୃଷ୍ଟି କରାଯିବ। ଏହି ବ୍ୟବସ୍ଥା ଟ୍ୱିନ୍ସିଟିରେ ୧୩୦୦ ମେଗାୱାଟ୍ ବିଜୁଳି ଚାହିଦାକୁ ପୂରଣ କରିବ। ୨୪ ଘଣ୍ଟା ନିରବିଚ୍ଛିନ୍ନ ବିଜୁଳି ସହ ପୂର୍ବାପେକ୍ଷା ଗୁଣାତ୍ମକ ସେବା ମିଳିବ। ଏହାଦ୍ୱାରା ବିଜୁଳି ପରିବହନ ଓ ଆବଣ୍ଟନଜନିତ କ୍ଷତି କମିବ। ବିଦ୍ୟୁତ୍ଜନିତ ଦୁର୍ଘଟଣା ହ୍ରାସ ପାଇବ। ବିଦ୍ୟୁତ୍ ବିଭାଗର ରକ୍ଷଣାବେକ୍ଷଣ ଓ ମରାମତି ଖର୍ଚ୍ଚ କମିବ।
ଏମିତି ହୋଇଥିଲା ଯୋଜନା
ଏହି ପ୍ରକଳ୍ପ ପାଇଁ ଭୁବନେଶ୍ବର ଓ କଟକରେ ବିଭିନ୍ନ କ୍ଷମତା ବିଶିଷ୍ଟ ୨୨ଟି ନୂଆ ସବ୍ଷ୍ଟେସନ ବସିବ। ଟ୍ୱିନ୍ସିଟିର ପ୍ରତାପ ଶାସନ, ବାଲିଅନ୍ତା, ଗୋଠପାଟଣା, ଗୋଡ଼ିସାହି, କଟକର ୪୨ ମୌଜା ପାଖରେ ୨୨୦ କେଭିର ନୂଆ ସବ୍ଷ୍ଟେସନ ବସିବାକୁ ଥିବା ବେଳେ ୟୁନିଟ୍-୮, ମଞ୍ଚେଶ୍ୱର, ବରଗଡ଼, ସତ୍ୟନଗର, ନୂଆପଲ୍ଲୀ, ବ୍ରଜବିହାରୀପୁରରେ ୧୩୨ ସବ୍ଷ୍ଟେସନ ହେବ। ବିପର୍ଯ୍ୟୟ ସମୟରେ ତ୍ୱରିତ୍ ମରାମତି ହେବା ଭଳି ୩୩ କେଭି ବାତ୍ୟା ନିରୋଧକ ସବ୍ଷ୍ଟେସନ ୟୁନିଟ-୮, ବରଗଡ଼, ବାପୁଜୀନଗର, ମାଷ୍ଟରକ୍ୟାଣ୍ଟିନ, ସତ୍ୟନଗର, ସହିଦନଗର, ଖାରବେଳନଗର, ରାଣୀହାଟ ଓ ବାଦାମବାଡ଼ିରେ ବସିବ। ଭୁବନେଶ୍ବରର ବିଦ୍ୟୁତ୍ ମାର୍ଗ (ଜୟଦେବବିହାର-ରାଜଭବନ ଛକ), ପଟେଲ ମାର୍ଗ-ଗୋପବନ୍ଧୁ ମାର୍ଗ, ରାଜପଥ, ସଚିବାଳୟ ମାର୍ଗ (ଆଚାର୍ଯ୍ୟବିହାରରୁ ଏଜି ଛକ), ପୁରୁଣା ଏୟାରପୋର୍ଟ-ପଳାସପଲ୍ଲୀ ଫ୍ଲାଏଓଭର, ଜନପଥ(ବାଣୀବିହାର- ଶିଶୁଭବନ ଛକ-ପୁରୁଣା ଏୟାରପୋର୍ଟ ରାସ୍ତା), ରସୁଲଗଡ଼ରୁ ରବି ଟକିଜ୍ ରାସ୍ତା, କଟକର ମଧୁପାଟଣା ଛକରୁ ରାଣୀହାଟ ଛକ ଦେଇ ଦୋଳମୁଣ୍ଡାଇ, ବକ୍ସିବଜାର ଛକରୁ ରେଭେନ୍ସା କଲେଜ ଛକ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଭୂତଳ କେବୁଲ ବିଛା ହେବାକୁ ଯୋଜନା ହୋଇଥିଲା। ସେଥିରୁ କିଛି କାମ ସରିଛି। ବାକି କାମ ସରିବାକୁ ଆଉ ଦୁଇ ବର୍ଷ ଲାଗିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟ୍ବିନ୍ସିଟିର ବିଜୁଳି ଉପଭୋକ୍ତା ଉପକୃତ ହେବେ।