ପୂର୍ତ୍ତ ବିଭାଗ ନିର୍ମାଣ କରିବ ଭୂତଳ ଡ୍ରେନ୍‌

ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ୍‌ ମନ୍ଦିର ନିକଟରେ ବର୍ଷାଜଳ ଜମି ବନ୍ୟା ପରିସ୍ଥିତି ଭଳି ଉପୁଜୁଥିବା ସଙ୍ଗିନ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ। ରାଜ୍ୟ ସରକାର ପ୍ରକଳ୍ପର ବ୍ୟୟଭାର ବହନ କରିବେ। ପୂର୍ତ୍ତ ବିଭାଗ ଭୂତଳ ଡ୍ରେନ୍‌ ନିର୍ମାଣ କରିବ। ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ଖର୍ଚ ହେବ ପ୍ରାୟ ୮୦ କୋଟି। ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ଯଥାଶୀଘ୍ର ଟେଣ୍ଡର ଆହ୍ଵାନ କରାଯିବ। ଆଗାମୀ ବର୍ଷାଋତୁ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ପ୍ରସ୍ତାବିତ ଭୂତଳ ଡ୍ରେନ୍‌ ବା ବର୍ଷାଜଳ ନିଷ୍କାସନ ନାଳ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ପୂର୍ତ୍ତ ବିଭାଗ ହାତକୁ ନେବ। ପ୍ରାରମ୍ଭିକ ବିସ୍ତତ ପ୍ରକଳ୍ପ ରିପୋର୍ଟ (ଡିପିଆର) ମୁତାବକ ପ୍ରଥମ ପର୍ଯ୍ୟାୟରେ ସିଆରପି ଛକର ଇସ୍କନ୍‌ ମନ୍ଦିର ନିକଟରୁ ଜୟଦେବ ବିହାର ପର୍ଯ୍ୟନ୍ତ ୧.୩୧ କି.ମି. ଦୈର୍ଘ୍ୟ ବିଶିଷ୍ଟ ଭୂତଳ ଡ୍ରେନ୍‌ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୨୦ କୋଟି ଖର୍ଚ ହେବ ବୋଲି ବ୍ୟୟବରାଦ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ୧.୭୨ କି.ମି. ବିଶିଷ୍ଟ ଡ୍ରେନ୍‌ ନିର୍ମାଣ ହେବ। ଏଥିପାଇଁ ଖର୍ଚ ହେବ ପ୍ରାୟ ୬୦ କୋଟି।

୨ଟି ପର୍ଯ୍ୟାୟରେ ପ୍ରାୟ ୮୦ କୋଟିର ପ୍ରକଳ୍ପ
ଫ୍ଲଡ୍‌ ଜୋନ୍‌ରେ ଗୃହ ନିର୍ମାଣ ନେଇ ମୁଖ୍ୟ ସଚିବ ବିରକ୍ତ
ଆଗାମୀ ବର୍ଷାଋତୁ ପୂର୍ବରୁ ନିର୍ମାଣ ସରିବ

ବାଣୀବିହାରରୁ ରେଳଲାଇନ ଦେଇ ଗଙ୍ଗୁଆ ନାଳକୁ ଜଳ ନିଷ୍କାସନ କରାଯିବ। କିନ୍ତୁ ବର୍ତମାନ ପାଇଁ ଏହି କାର୍ଯ୍ୟ କରାଯିବ ନାହିଁ। ପୂର୍ବତଟ ରେଳ ଜୋନ୍‌ କର୍ତୃପକ୍ଷଙ୍କୁ ସଂପୃକ୍ତ ରେଳଲାଇନ ବାଟ ଦେଇ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏହି ଭୂତଳ ଡ୍ରେନ୍‌ ପ୍ରକଳ୍ପ ଏନ୍‌ଏଚ୍‌ଏଆଇର ସର୍ଭିସ୍‌ ରାସ୍ତା ତଳେ ନିର୍ମାଣ ହେବ। ଏଥିପାଇଁ ଏହି ପ୍ରକଳ୍ପକୁ ଏନ୍‌ଏଚ୍‌ଏଆଇ ଆନୁଷ୍ଠାନିକ ଭାବେ ଅନୁମତି ଦେବାର ଆବଶ୍ୟକତା ରହିଛି। ଏ ନେଇ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ବୈଠକରେ ଉପସ୍ଥିତ ଥିବା ଏନ୍‌ଏଚ୍‌ଏଆଇ ସିଜିଏମ୍‌ ଧର୍ମାନନ୍ଦ ଷଡ଼ଙ୍ଗୀ କହିଥିଲେ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସମସ୍ୟା ଆଦୌ ନ ଥିବାରୁ ଆଗାମୀ ବର୍ଷାଋତୁ ପୂର୍ବରୁ କାର୍ଯ୍ୟ ସାରିବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ସଚିବ କହିଥିଲେ। ବୈଠକରେ ଭୁବନେଶ୍ୱର ମହାନଗର ଅନ୍ତର୍ଗତ ଚନ୍ଦକା ଶିଳ୍ପାଞ୍ଚଳ, ଗୌରୀ ନଗର, ଅହଲ୍ୟା ନଗର, ସୌଭାଗ୍ୟ ନଗର ସହିତ ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇପାରୁନଥିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରାକୃତିକ ନାଳଗୁଡ଼ିକୁ ଜବରଦଖଲ କରାଯାଉଛି। ବିଶେଷକରି ଫ୍ଲଡ୍‌ ଜୋନ୍‌ ଘୋଷିତ ଅଞ୍ଚଳରେ ବ୍ୟାପକ ରୂପେ ଗୃହ ନିର୍ମାଣ କରାଯାଇଥିବାରୁ ମୁଖ୍ୟ ସଚିବ ବିରକ୍ତି ପ୍ରକାଶ କରିଥିଲେ। ଏଭଳି ସମସ୍ୟାର ସମାଧାନ ପାଇଁ ବୈଷୟିକ, ପ୍ରଶାସନିକ, ଆର୍ଥିକ ଓ ବିକଳ୍ପ ସମାଧାନ ପନ୍ଥା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ କମିସନର କ୍ରିଷନ୍‌ କୁମାର ଜଳ ନିଷ୍କାସନ ନେଇ ବିଷୟବସ୍ତୁ ଉପସ୍ଥାପନ କରିଥିଲେ।

ଏକ ଅନୁଧ୍ୟାନରୁ ଜଣାଯାଇଛି, ଭୁବନେଶ୍ୱରରେ ୯ଟି ବଡ଼ ପ୍ରାକୃତିକ ନାଳ ଓ ୩ଟି ଶାଖା ନାଳ ଏହିପରି ମୋଟ ୧୨ଟି ପ୍ରାକୃତିକ ନାଳ ରହିଛି। ଘରୋଇ ଜମି ଦେଇ ଯାଇଥିବା ନାଳଗୁଡ଼ିକର ଜଳପଥ ଅବରୋଧ ହେଉଥିବାରୁ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଏପରିକି ଅନେକ ସ୍ଥାନରେ ନାଳଗୁଡ଼ିକ ଜବରଦଖଲ ହୋଇଛି। ଜବରଦଖଲ ଉଚ୍ଛେଦକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ପ୍ରାକୃତିକ ନାଳଗୁଡ଼ିକର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ଏଥିପାଇଁ ଘରୋଇ ଜମି ବଦଳ ବା ଅଧିଗ୍ରହଣ ପ୍ରକ୍ରିୟା ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ୱରରେ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ହେଉଥିବା ୨୦ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପସେ୍‌ଟ ଅଗ୍ନିଶମ ସେବା ସଂସ୍ଥାକୁ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର