ଭୂତଳ ରାସ୍ତା ପାଲଟିଛି ବିଏମ୍‌ସିର ଡମ୍ପିଂୟାର୍ଡ

ପାର୍ଶ୍ୱ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା

ଭୁବନେଶ୍ୱର : ସତସଙ୍ଗବିହାର ନିକଟସ୍ଥ ଜାତୀୟ ରାଜପଥ ଓଭରବ୍ରିଜ୍‌ର ଭୂତଳ ରାସ୍ତାକୁ ଲାଗି ରହିଥିବା ରାସ୍ତାସବୁ ବିଏମ୍‌ସିର ଡମ୍ପିଂୟାର୍ଡ ପାଲଟି ଗଲାଣି। ରାଜଧାନୀର ବିଭିନ୍ନ ସ୍ଥାନରୁ ଅଳିଆ ଗୋଟାଇ ଆଣି ବିଏମ୍‌ସି ଏହି ରାସ୍ତାରେ ଗଦା କରୁଛି। କୁଢ଼ କୁଢ଼ ଅଳିଆ ଜମି ରାସ୍ତାଟି ଆବର୍ଜନାମୟ ହୋଇ ଯାଇଥିବାରୁ ଲୋକ ଆଉ ଏହି ରାସ୍ତାକୁ ବ୍ୟବହାର କରୁନାହାନ୍ତି। ଫଳରେ ଭିଏସ୍‌ଏସ୍‌ନଗର ଓ ସ୍ଥାନୀୟ ଅଞ୍ଚଳର ଲୋକ ଯାତାୟାତରେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଦୈନିକ ଜୀବନକୁ ବିପଦରେ ପକାଇ ସତସଙ୍ଗ ମନ୍ଦିର ପଟୁ ଶହ ଶହ ବାଇକ୍‌ ଚାଳକ ବିପରୀତ ଦିଗରେ ବାଣୀବିହାର ଛକକୁ ଆସୁଛନ୍ତି। ଏହି କାରଣରୁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଦ୍ୱିତୀୟ ପୋଷ୍ଟାଲ କଲୋନି ଏବଂ ଭିଏସ୍‌ଏସ୍‌ ନଗର ପଟରୁ ସହିଦ ନଗର ଆଡ଼କୁ ଯାତାୟାତ ପାଇଁ ରୁସୁଲଗଡ଼ ଓଭରବ୍ରିଜର ଶେଷ ଭାଗରେ ଜାତୀୟ ରାଜପଥ ପକ୍ଷରୁ ନିର୍ମିତ ହୋଇଛି ଏହି ଅଣ୍ଡରପାସ୍‌ ରାସ୍ତା। ୨୦୧୪-୧୫ରେ ନିର୍ମିତ ଏହି ଅଣ୍ଡରପାସ୍‌ର ଉଭୟ ପାର୍ଶ୍ୱକୁ ସଂଯୋଗ କରୁଥିବା ରାସ୍ତା ଅଦ୍ୟାବଧି ପିଚୁ ବା ଢଳେଇ କରାଯାଇ ନ ଥିବାବେଳେ ବିଏମ୍‌ସି ପକ୍ଷରୁ ଏହି ରାସ୍ତା ଉପରେ ବିଭିନ୍ନ ଅଞ୍ଚଳରୁ ଅଳିଆ ଆବର୍ଜନା ଅଣାଯାଇ ଗଦା କରାଯାଉଛି। ମାସରେ ଥରେ ଅଧେ ବିଏମ୍‌ସି ଗାଡ଼ି ଅଳିଆ ଉଠାଉଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ମୁକ୍ତାକାଶ ପାଇଖାନା ଭାବେ ବ୍ୟବହାର କରୁଛନ୍ତି।

ସେହିପରି ସାମାନ୍ୟ ବର୍ଷାରେ ଭୂତଳ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ସଂଧ୍ୟାରେ ମଧ୍ୟ ଏହି ଭୂତଳ ରାସ୍ତା ଅନ୍ଧାର ରହୁଛି। ଏହା ଫଳରେ ବିଳମ୍ବିତ ରାତିରେ ସେଠାରେ ନିଶାଡ଼ିଙ୍କ ଆଡ଼ା ଜମିବା ସହିତ ଅନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ଘଟୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏଥିପ୍ରତି ସମ୍ପୃକ୍ତ ବିଭାଗ ଏବଂ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବିଏମ୍‌ସି ପକ୍ଷରୁ ଏହାକୁ ପରିଚ୍ଛନ୍ନ ରଖିବା ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର