ଖୋଲୁନି ଭିଏସ୍‌ଏସ୍‌ ନଗର ଭୂତଳ ରାସ୍ତା

ଏନ୍‌ଏଚ୍‌ କର୍ତୃପକ୍ଷଙ୍କୁ ଭେଟିଲା ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗରରୁ ସହିଦନଗର ଦେଇ ଭୁବନେଶ୍ୱର ଭିତରକୁ ଯିବାକୁ ନିର୍ମାଣ ହେଉଥିବା ଭୂତଳ ରାସ୍ତା କାର୍ଯ୍ୟ ଶେଷ ହେବା ନାଁ ଧରୁନି। ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ଦାବି କରୁଥିଲେ ମଧ୍ୟ ଏଦିଗରେ କେହି ବି ଗୁରୁତ୍ୱ ଦେଉ ନାହାନ୍ତି। ଦୁଇ ବର୍ଷ ହେଲା ଜାତୀୟ ରାଜପଥ କର୍ତୃପକ୍ଷ ହାତ ଯୋଡ଼ି ବସିଥିବା ବେଳେ ରାଜ୍ୟ ପ୍ରଶାସନ ମଧ୍ୟ ଚୁପ୍‌। ଭିଏସ୍‌ଏସ୍‌ ନଗରବାସୀଙ୍କ ବହୁ ଦିନର ସ୍ୱପ୍ନ କିଭଳି ପୂରଣ ହେବ ସେଥିପ୍ରତି କାହାର ବି ନିଘା ନାହିଁ।

ଦିନ ଯେକିତି ଗଡ଼ୁଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସେଭଳି ବଢ଼ିଚାଲିଛି। ୨୫ ଦିନ ତଳେ ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ପକ୍ଷରୁ ଏନେଇ ଆଲୋଚନା କରାଯିବା ସହ ତୁରନ୍ତ କାମ ଶେଷ କରିବାକୁ ଦାବି କରାଯାଇଥିଲା। ଗତ ୨ ତାରିଖରେ ‘ସମ୍ବାଦ’ ପକ୍ଷରୁ ବିଏମ୍‌ସି ୧୧ ନମ୍ବର ଓ୍ଵାର୍ଡରେ ଅନୁଷ୍ଠିତ ‘ଆମେ ଗଢ଼ିବା ଆମ ସହର’ କାର୍ଯ୍ୟକ୍ରମରେ ବି ଅଞ୍ଚଳବାସୀ ଉକ୍ତ ସମସ୍ୟାକୁ ନେଇ ସ୍ୱର ଉଠାଇଥିଲେ। ଇତି ମଧ୍ୟରେ ୧୫ ଦିନ ବିତିବାକୁ ବସିଥିବା ବେଳେ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। କାମ ଯେଉଁଠି ଥିଲା ସେଠାରେ ଅଧାପ୍ତରିଆ ହୋଇ ରହିଛନ୍ତି। ଅଞ୍ଚଳବାସୀ ସେମିିତି ହଟହଟା ହେଉଛନ୍ତି।

ଏବେ ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ପକ୍ଷରୁ ପୁଣିଥରେ ଜାତୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭୂତଳ ରାସ୍ତା ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପରିଷଦର ଏକ ପ୍ରତିନିଧି ଦଳ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମୁଖ୍ୟ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୪ ଏପ୍ରିଲ ୨୪ରେ ବାଣୀବିହାର ଏବଂ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ ଖୋଲିବା ପରେ ଭିଏସ୍‌ଏସ୍‌ ନଗରବାସୀଙ୍କ ସମେତ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୦ଟି ମୌଜାର ଲୋକେ ହଇରାଣ ହେଉଛନ୍ତି। ତେଣୁ ଆସନ୍ତା ଏକ ମାସ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି। ନ ହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ଦଳରେ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା, ମହେଶ୍ୱର ବିଶ୍ୱାଳ, କ୍ଷେତ୍ରମୋହନ ନାଏକ, ଶୀତଳ ଚନ୍ଦ୍ର ମହାନ୍ତି ପ୍ରମୁଖ ରହିଥିଲେ।

ସମ୍ବନ୍ଧିତ ଖବର