ପୀଡ଼ିତାଙ୍କ ମାନସିକତାକୁ ବୁଝ: ଡିଜିପି

ଭୁବନେଶ୍ବର: ଥାନାକୁ ଆସୁଥିବା ପୀଡ଼ିତାମାନଙ୍କ ମାନସିକତାକୁ ବୁଝ। ସେମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ବନ୍ଧୁତାପୂର୍ଣ୍ଣ ବ୍ୟବହାର କର। ଏହାଦ୍ବାରା ଅଭିଯୋଗକାରୀ ଓ ପୁଲିସ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇପାରିବ। ଆଜି ପୁଲିସ ସେବା ଭବନରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓ ୟୁନିସେଫ୍‌, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା ଏବଂ ଶିଶୁ ହେଲ୍ପ ଡେସ୍କ ସଂକ୍ରାନ୍ତୀୟ ଦୁଇଦିନିଆ କର୍ମଶାଳାରେ ଯୋଗ ଦେଇ ଡିଜି ସୁନୀଲ ବଂଶଲ ଏଭଳି କହିଛନ୍ତି। ମହିଳା ଓ ଶିଶୁ ଅପରାଧକୁ ରୋକିବା ଲାଗି ସାରା ରାଜ୍ୟରେ ୬୦୮ଟି ମହିଳା ଓ ଶିଶୁ ଡେସ୍କଗୁଡ଼ିକର ସୁବିନିଯୋଗ କରିବା ପାଇଁ ସେ କହିଥିଲେ।

କାର୍ଯ୍ୟକ୍ରମରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖା‌ଇବା ସହ ତଦନ୍ତକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ଅଭିଯୋଗକାରୀଙ୍କୁ‌ ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚାଇ ଦେବାକୁ ସେ କହିଥିଲେ। ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ଗୁରୁତ୍ବର ସହିତ ନେଇ ସେମମାନଙ୍କୁ ନ୍ୟାୟ ପ୍ରଦାନ କରିବା ପୁଲିସ ଅଗ୍ରଣୀ ଭୂମିକା ବୋଲି କାର୍ଯ୍ୟକ୍ରମର ସମ୍ମାନିତ ଅତଥି କ୍ରାଇମବ୍ରାଞ୍ଚ ଏଡିଜିପି ଅରୁଣ ବୋଥ୍ରା କହିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜିପି ରେଖା ଲୋହାନୀ, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଡିଏସପି ଇମନ କଲ୍ୟାଣ ନାୟକ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର