ଭୁବନେଶ୍ବର: ଝାରପଡ଼ା ଜେଲ୍ରେ ଜଣେ ବିଚାରାଧୀନ ବନ୍ଦୀଙ୍କ ଜୀବନ ପ୍ରତି ବିପଦ ରହିଛି। ହାଇସିକ୍ୟୁରିଟି ସେଲ୍ରେ ଥିବା ସତ୍ତ୍ବେ ଅନ୍ୟ କଏଦୀମାନଙ୍କ ପକ୍ଷରୁ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ମାଗି ସେ କୋର୍ଟଙ୍କୁ ଚିଠି ଲେଖିଛନ୍ତି। ଏମିତିକି ତାଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯାଉ ବୋଲି ସେ ଆବେଦନ କରିଛନ୍ତି। ଥରେ ନୁହେଁ, ଦୁଇ ଦୁଇ ଥର କୋର୍ଟଙ୍କୁ ଚିଠି ଲେଖି ସେ ଜେଲ୍ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। କୋର୍ଟ ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି ଏବଂ ଚିଠି ଲେଖିଥିବା କଏଦୀଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଇଛି, ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାରମ୍ବାର ଗିରଫ ହେଉଥିବା ଜଣେ ବ୍ରାଉନ୍ସୁଗାର୍ ମାଫିଆ, ଯିଏ ଏକଦା ଝାରପଡ଼ା ଜେଲ୍ରେ ସହକାରୀ ଜେଲର୍ ଓ ୱାର୍ଡରଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିଲା, ସେ ହିଁ କୋର୍ଟଙ୍କୁ ଏଭଳି ଚିଠି ଲେଖିଥିବା ଘଟଣାକୁ ନେଇ ନାନାକଥା ଚର୍ଚ୍ଚା ହେଉଛି। ଏଥିରେ ସତ୍ୟତା ଅଛି କି କୌଣସି ଚାଲ୍ ରହିଛି, ସେନେଇ ଜେଲ୍ କର୍ତ୍ତୃପକ୍ଷ ତାଙ୍କ ଟ୍ରାକ୍ ରେକର୍ଡ ସମୀକ୍ଷା କରୁଥିବା ସୂଚନା ମିଳିଛି। ଆବଶ୍ୟକ ପଡ଼ିଲେ, ଖୋର୍ଦ୍ଧା ନୁହେଁ, ତାକୁ ଟିଟିଲାଗଡ଼ ଭଳି କୌଣସି ଦୂର ଜେଲ୍କୁ ସ୍ଥାନାନ୍ତର କରାଯିବ ବୋଲି ବିଚାର କରାଯାଉଛି।
ଚିଠି ଲେଖିଥିବା ବିଚାରାଧୀନ ବନ୍ଦୀ ହେଲେ ଅଜୟ ନାୟକ ଓରଫ ନନ୍ଦୁ। ବ୍ରାଉନ୍ସୁଗାର୍ କାରବାର ମାମଲାରେ ଜଟଣୀ ପୁଲିସ ତାକୁ ଗିରଫ କରି ଝାରପଡ଼ା ଜେଲ୍ ପଠାଇଛି। ଜାମିନ ପାଇ ମୁକୁଳିବାର କିଛି ଦିନ ପରେ ସେ ପୁଣି ଜେଲ୍କୁ ଫେରିଛି। ଗତବର୍ଷ ଜେଲ୍ରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ନନ୍ଦୁ ଏକ ଛୁରି ଧରିଥିବା ଦେଖିବାକୁ ମିଳିଥିଲା। ଜେଲ୍ ଭିତରକୁ ଛୁରି ଯିବା ଓ ମୋବାଇଲ୍ରେ ଭିଡିଓ ଉତ୍ତୋଳନ ହେବା ଘଟଣା ପଦାକୁ ଆସିବା ପରେ ଜେଲ୍ରେ ଚଢ଼ଉ କରାଯାଇଥିଲା। ନନ୍ଦୁ ପାଖରୁ ଛୁରି ଓ ମୋବାଇଲ ଜବତ କରାଯାଇଥିଲା। ଏହାପରେ ତାକୁ ହାଇ ସିକ୍ୟୁରିଟି ସେଲ୍ରେ ରଖାଯାଇଥିଲା। ଏହାର କିଛି ଦିନ ପରେ ନନ୍ଦୁ ପୁଣି ଖେଳ ଦେଖାଇଥିଲା। ନନ୍ଦୁ ନିଜ ହାତକୁ ବ୍ଲେଡ୍ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ତାହା ଥିଲା ନାଟକ। ଏତିକିବେଳେ ତାକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ସହକାରୀ ଜେଲର୍ ଓ ୱାର୍ଡର୍ଙ୍କୁ ସେ ଛୁରିରେ ଆକ୍ରମଣ କରିଥିଲା। ଘଟଣା ଏମିତି ସ୍ଥିତିରେ ପହଞ୍ଚିଥିଲା ଯେ ଜେଲ୍ ସାଇରନ୍ ବାଜିବା ପର୍ଯ୍ୟନ୍ତ କଥା ଯାଇଥିଲା। ଏହାର କିଛି ଦିନ ପରେ ନନ୍ଦୁକୁ ଜାମିନ ମିଳିଥିଲା। ନନ୍ଦୁ ପୁଣି ଏବେ ଗିରଫ ହୋଇ ଜେଲ୍ ଆସିଛି। ଝାରପଡ଼ା ଜେଲ୍ରେ ତାକୁ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିବା ଆଶଙ୍କା ଥିବାରୁ ତାକୁ ଖୋର୍ଦ୍ଧା ଉପକାରାଗାରକୁ ସ୍ଥାନାନ୍ତର କରାଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରି ଚିଠି ଲେଖିଛି।
କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଜେଲ୍ କର୍ତ୍ତୃପକ୍ଷ ଖୋଳତାଡ଼ ଆରମ୍ଭ କରିଛନ୍ତି। ପୂର୍ବଭଳି ତାକୁ ହାଇ ସିକ୍ୟୁରିଟି ସେଲ୍ରେ ରଖାଯାଇଛି ବୋଲି ଜେଲ୍ ଡିଜି ଅରୁଣ ରାୟ କହିଛନ୍ତି।