ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ବସ୍‌ ଟର୍ମିନାଲ୍‌ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବସ୍‌ରେ ପୁଣି ଚାଲିଲାଣି ଅନୈତିକ କାର୍ଯ୍ୟକଳାପ। ପରିତ୍ୟକ୍ତ ୩ଟିଯାକ ବସ୍‌ ପୁଣି ପୂର୍ବ ଭଳି ରଙ୍ଗମହଲ ଭାବେ ବ୍ୟବହାର ହେଲାଣି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ଏବଂ ଏସବୁ ଦେଖି ନାକ ଟେକି ଫେରୁଛନ୍ତି।

Advertisment

ସୂଚନାଯୋଗ୍ୟ, ନଭେମ୍ବର ୧୮ ତାରିଖରେ ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପା‌ଇଥିଲା। ତେଣୁ କମିସନରେଟ୍‌ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଖୋଦ୍‌ ଡିସିପି ପ୍ରତୀକ ସିଂ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଥିବା ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏସିପି ରଜତ ରାୟଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସିପି ଶ୍ରୀ ରାୟଙ୍କ ନେତୃତ୍ବରେ ଖଣ୍ଡଗିରି ଓ ଭରତପୁର ଥାନା ପୁଲିସ ଘଟଣାସ୍ଥଳ ବୁଲି ଦେଖିବା ସହ ଦୁଇ ତିନି ଦିନ ଧରପଗଡ଼ କରିଥିଲେ। ଫଳରେ କିଛି ଦିନ ପାଇଁ ବସ୍‌ ଭିତରକୁ କେହି ଗଲେ ନାହିଁ। ତେବେ ସ୍ଥାୟୀ ଭାବେ ପରିତ୍ୟକ୍ତ ବସ୍‌ଗୁଡ଼ିକୁ ସେଠାରୁ ହଟାଇବା ପାଇଁ କୌଣସି ବ୍ୟବସ୍ଥା କରାଗଲାନାହିଁ। ତେଣୁ ଏବେ ପୁଣି ବସ୍‌ଗୁଡ଼ିକ କିନ୍ନର ଓ ପ୍ରେମୀଯୁଗଳଙ୍କ କବ୍‌ଜାକୁ ଚାଲିଯାଇଛି।

publive-image

ପୂର୍ବ ଭଳି ବସ୍‌ ଭିତରେ ଆରମ୍ଭ ହୋଇଯାଇଛି ଅନୈତିକ କାର୍ଯ୍ୟକଳାପ। କି ଦିନ କି ରାତି ସବୁବେଳେ ବସ୍‌ ଭିତରେ କଦର୍ଯ୍ୟ କାର୍ଯ୍ୟକଳାପ ଖୋଲାଖୋଲି ଭାବେ ଚାଲୁଛି। ବସ୍ ଟର୍ମିନାଲ୍‌‌ରେ ପର୍ଯ୍ୟଟକଙ୍କ ଭିଡ଼ ଥିଲା ବେଳେ ମଧ୍ୟ ସେହି ବସ୍‌ ଭତରକୁ କିନ୍ନର ଓ ପ୍ରେମୀଯୁଗଳମାନେ ପଶୁଥିବା ଦେଖିବାକୁ ମିଳୁଛି। କିନ୍ନର ଓ ପ୍ରେମୀଯୁଗଳମାନେ ବସ୍‌କୁ ହୋଟେଲ୍‌ ରୁମ୍‌ ଭଳି ବ୍ୟବହାର କରୁଛନ୍ତି। ବଡ଼ କଥା ହେଉଛି ସେମାନେ ବସ୍‌ ବାହାରେ ଆପତ୍ତିଜନକ ସାମଗ୍ରୀସବୁ ଫୋପାଡ଼ୁଥିବାରୁ ଟର୍ମିନାଲ ପରିବେଶ ବଡ଼ କଦର୍ଯ୍ୟ ହୋଇପଡ଼ିଛି। ତେଣୁ ବୁଲିବାକୁ ଆସୁଥିବା ମହିଳା ଓ ଯୁବତୀ ପର୍ଯ୍ୟଟକମାନେ ଏସବୁ ଦେଖି ବଡ଼ ଅଶ୍ବସ୍ତି ଅନୁଭବ କରିବା କହୁଛନ୍ତି। ଏକ ବିଶ୍ବ ଐତିହ୍ୟସ୍ଥଳ‌ରେ ପରିତ୍ୟକ୍ତ ବସ୍‌ରେ ଚାଲିଥିବା ଏଭଳି ହୀନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ କମିସନରେଟ୍‌ ପୁଲିସ, ବିଏମ୍‌ସି ଏମିତିକି ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେଉନଥିବାରୁ ଲୋକେ ସନ୍ଦେହ କଲେଣି। ଏହି ୩ ପରିତ୍ୟକ୍ତ ବସ୍‌ର ମାଲିକଙ୍କୁ କ’ଣ ପାଇଁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ଲୋକେ ପ୍ରଶ୍ନ କଲେଣି। ପ୍ରଶାସନ ତୁରନ୍ତ ବସ୍‌ଗୁଡ଼ିକୁ ଜବତ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହେଉଛି।