ସୋମନାଥ ପରିଡ଼ା
ଭୁବନେଶ୍ବର: ‘ମା’ ତୁମେ ମମତାର ସୀମାହୀନ ସାଗର…. ଅଭିମାନିନୀ ଏ ଅମାନିଆ ଢେଉ…. ବାଜେ ବଇଁଶୀ ନାଚେ ଘୁଙ୍ଗୁର…. ’ଭଳି ଲୋକପ୍ରିୟ ଗୀତ ରଚନା କରି ସଙ୍ଗୀତ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ରଷ୍ଟା ଆଜି ଅସହାୟ। ହାତରେ କାମ ନାହିଁ। ମୁଣ୍ଡ ଗୁଞ୍ଜିବାକୁ ଘର କିମ୍ବା ଚଳିବାକୁ ସମ୍ବଳ ନାହିଁ। ବୟସର ଅପରାହ୍ନରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଯେମିତି ସେ ଆଲୋଡ଼ା ପାଲଟି ଯାଇଛନ୍ତି। ଶିଶୁପାଳଗଡ଼ରେ ଏକ ଭଡ଼ା ଘରେ ଦୁଃଖ ଯନ୍ତ୍ରଣାକୁ କୋଳେଇ ନେଇ ଏକାକୀ ଜୀବନ କାଟୁଛନ୍ତି ସଭିଙ୍କ ପ୍ରିୟ ଦରଦୀ ଗୀତିକାର ସଚ୍ଚି ମହାନ୍ତି। ସରକାରଙ୍କ ମାତ୍ର ୨ ହଜାର ଟଙ୍କା ଭତ୍ତାରେ ଚାଲିଛି ଜୀବନ।

Advertisment

ଜଗତସିଂହପୁର-କଟକ ସୀମାନ୍ତ ସାଇଲୋ ନୂଆଗାଁ ଶାସନରେ ୧୯୪୭ରେ ଜନ୍ମ ଗ୍ରହଣ କରିଥିଲେ ସଚ୍ଚି ମହାନ୍ତି। ସ୍କୁଲ୍ ସମୟରୁ ଗୀତ ରଚନା ପ୍ରତି ତାଙ୍କର ଥିଲା ପ୍ରବଳ ଆକର୍ଷଣ। ୧୯୮୨ ମସିହାରେ ପ୍ରଥମ ଚଳଚ୍ଚିତ୍ର ‘ଉଲ୍‌କା’ରେ ସମସ୍ତ ୩ଟି ଗୀତ ‘ମା’ ତୁମେ ମମତାର ସୀମାହୀନ ସାଗର’, ‘ଏ ଜୀବନ ମାନେ ନୁହେଁ ପିଲାଦିନ ବାଲିଘର’ ଓ ‘ଅଭିମାନିନୀ ଏ ଅମାନିଆ ଢେଉ’ ଲେଖିଥିଲେ। ଯାହା ଆଜି ବି ଲୋକପ୍ରିୟତାର ଶୀର୍ଷରେ। ୧୯୮୫ ମସିହାରେ ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’, ୧୯୯୭ରେ ‘ସୌଭାଗ୍ୟବତୀ’ ଚଳଚ୍ଚତ୍ରର ‘ତୁଳସୀ ଚଉରା ମୂଳେ ଜାଳି ସଞ୍ଜବତୀ’ ପରି ଶତାଧିକ ଲୋକପ୍ରିୟ ଗୀତର ସ୍ରଷ୍ଟା ସଚ୍ଚି ମହାନ୍ତି। କେବଳ ଗୀତ ନୁହେଁ ସଂଳାପ ଲେଖକ, ସାହିତ୍ୟିକ, ନାଟ୍ୟକାର ଭାବେ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ବୀକୃତି। ସିନେମା ଓ ଦୂରଦର୍ଶନ ଧାରାବାହିକ ସହିତ ସେ ୫ଶହରୁ ଅଧିକ ମଞ୍ଚନାଟକ, ଯାତ୍ରା ଏବଂ ହଜାରରୁ ଅଧିକ ଗୀତ ଲେଖିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ‘ଅପରାହ୍ନର ଛାଇ’ ସମେତ ୭ଟି କବିତା ପୁସ୍ତକ ରଚନା କରିଛନ୍ତି। ସେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ରାଜ୍ୟ ଚଳଚ୍ଚିତ୍ର  ଓ ଆକାଶବାଣୀ ପୁରସ୍କାର ଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇଛନ୍ତି।

ଆରମ୍ଭରୁ ତାଙ୍କ ଜୀବନ ସଂଘର୍ଷମୟ। ପରିବାରର କଠୋର ନିଷ୍ପତ୍ତି ଯୋଗୁ ସେ ସ୍ତ୍ରୀ ଆରତିଙ୍କୁ ଧରି ଘରୁ ବାହାରି ଆସିବାକୁ ବାଧ୍ୟ ହୋଇଥିଲେ। ଗୋଟେ ଗୀତ ପାଇଁ ମିଳୁଥିବା ୨୦୦ରୁ ୩୦୦  ଟଙ୍କାରେ କଷ୍ଟେମଷ୍ଟେ ଭୁବନେଶ୍ବରର ଭଡ଼ା ଘରେ ପରିବାର ଚଳି ଯାଉଥିଲା। ଏହାରି ଭିତରେ ୩ ଜଣ ଝିଅଙ୍କୁ କୌଣସି ମତେ ବିବାହ ଦେଇ ସାରିଛନ୍ତି। ଅଭାବ ଅନଟନରୁ ସ୍ତ୍ରୀ ଆରତିଙ୍କର ଉପଯୁକ୍ତ ଚିକିତ୍ସା ହୋଇ ପାରିଲାନି। ରୋଗ ଶଯ୍ୟାରେ ୭ ବର୍ଷ ପଡ଼ି ପଡ଼ି ୧୫ ଦିନ ତଳେ ସେ ଆରପାରିକୁ ଚାଲି ଯାଇଛନ୍ତି। ସ୍ତ୍ରୀ ଯିବା ପରେ ସେ ଅଧିକ ଭାଙ୍ଗି ପଡ଼ିଛନ୍ତି। ଏବେ ଭଡ଼ା ଘରେ ଏକାକୀ ଜୀବନ କଟୁଛି। ୨୦୧୭ ମସିହାରୁ କେନ୍ଦ୍ର ସରକାରଙ୍କ କଳାକାର ଭତ୍ତା ୨୦୨୧ରୁ ବନ୍ଦ। କେବଳ ରାଜ୍ୟ ସରକାରଙ୍କ ୨ ହଜାର କଳାକାର ଭତ୍ତାରେ ମିଳୁଛି।  

ଖୁବ ଛଳଛଳ, ଭାବ ବିହ୍ବଳ ହୋଇ ସେ କହିଛନ୍ତି, ‘‘ମୋତେ କେହି ପଚାରୁନାହାନ୍ତି। ମୋ ଘରର ରାସ୍ତା ସମସ୍ତେ ଭୁଲିଗଲେ। ବର୍ତ୍ତମାନ ସମୟରେ ମୁଁ  ବୋଧହୁଏ ଯୋଗ୍ୟ ନୁହେଁ। ତେଣୁ ମୋ ପାଖରେ କାମ ନାହିଁ। ନିଜ ଢୋଲ ନିଜେ ପିଟିପାରୁନି। କାହା ପାଖରେ ସାଲିସ କରିପାରୁନି। ମତେ କିଏ କାହିଁ କି ସମ୍ମାନ ଦେବ? ମରିବାକୁ ବସିଲାଣି। ହେଲେ ବେଶି କିଛି କରିପାରିଲିନି। ମୋ ଗାଁରେ ଖଣ୍ଡେ ଘର କରିବା ପାଇଁ ସଂଘର୍ଷ କରୁଛି। ଜାଣିନି ମରିବା ପୂର୍ବରୁ ଭିଟାମାଟିରେ ଖଣ୍ଡେ ଘର ତୋଳି ପାରିବି କି ନାହିଁ’’। ଚୀର ସବୁଜ ଗୀତ ଲେଖିଥିବା ଏହି ମହାନ ଗୀତିକାରଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁନି। ଇତିହାସ ତିଆରି କରିଥିବା ଏହି ଗୀତିକାରଙ୍କୁ ମିଳୁନି ‘ପଦ୍ମଶ୍ରୀ’ ସମ୍ମାନ। କେବେ ସରକାରଙ୍କ ଦୃଷ୍ଟି ପଡ଼ିବ ଏବଂ କେବେ ଅଭିମାନୀ ସଚ୍ଚି ମହାନ୍ତିଙ୍କ ଓଠରେ ହସ ଫୁଟିବ ତାହା ସମୟ କହିବ।