ପୃଥିବୀର ୩ ଇଣ୍ଟରନେଟ୍‌ ବ୍ୟବହାରକାରୀ ମଧ୍ୟରେ ଜଣେ ଶିଶୁ

ୟୁନିସେଫ୍‌ର ବାର୍ଷିକ ରିପୋର୍ଟ ପ୍ରକାଶିତ

ଭାରତରେ ଏକତୃତୀୟାଂଶରୁ କମ୍‌ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରନ୍ତି

ଚନ୍ଦ୍ରଶେଖରପୁର : ପୃଥିବୀର ୩୪୬ ମିଲିଅନ୍‌ ଯୁବଗୋଷ୍ଠୀଙ୍କ ମଧ୍ୟରୁ ୩ଭାଗରୁ ୧ ଭାଗ ଡିଜିଟାଲ ଦୁନିଆ ସହିତ ସଂଯୋଗ ହୋଇନାହାନ୍ତି। ପୃଥିବୀର ତିନି ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଜାଣି ଶିଶୁ ଅଛି। ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ଭାରତର ଏକତୃତୀୟାଂଶରୁ କମ୍‌ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରନ୍ତି। ଯାହାକି ଆଦୌ ସନ୍ତୋଷଜନକ ନୁହେଁ। ଏସିଆ, ଆଫ୍ରିକା ଏବଂ ଉପସାଗରୀୟ ଦେଶମାନଙ୍କରେ ପାଖାପାଖି ୧୦ ଜଣରୁ ୯ଜଣ ଯୁବଗୋଷ୍ଠୀ ଇଣ୍ଟରନେଟ୍‌ ଲାଇଭ୍‌ ବ୍ୟବହାର କରନ୍ତି ନାହିଁ । ମାତ୍ର ଏହା ଫଳରେ ସାଧାରଣତଃ ଶିଶୁ ଓ ମହିଳାମାନେ ବର୍ତ୍ତମାନ ସମୟରେ ନାନା ଅସୁବିଧାରେ ପଡ଼ୁଥିବା ୟୁନିସେଫ୍‌ର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱସ୍ତରରେ ଶିଶୁ ଏବଂ ମହିଳାଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବା ୟୁନିସେଫ୍‌ ପକ୍ଷରୁ ଆଜି ତା’ର ବାର୍ଷିକ ରିପୋର୍ଟ ‘ଦି ଷ୍ଟେଟ୍‌ ଅଫ୍‌ ଦି ୱାର୍ଲଡ୍‌ସ ଚିଲଡ୍ରେନ୍‌ ୨୦୧୭ : ଦି ଚିଲଡ୍ରେନ୍‌ ଇନ୍‌ ଏ ଡିଜିଟାଲ ୱାର୍ଲଡ’ର ପ୍ରକାଶ କରିଛି ।

ଏହି ରିପୋର୍ଟରେ ମହିଳା ଓ ଶିଶୁମାନେ କିପରି ଇଣ୍ଟରନେଟ୍‌ ବ୍ୟବହାର କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାର ସମାଧାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ସମ୍ବନ୍ଧରେ ଅଜ୍ଞ ଥିବା ତାହା ପ୍ରକାଶ ପାଇଛି। ପାଖାପାଖି ୫୬ ପ୍ରତିଶତ ୱେବ୍‌ସାଇଟ୍‌ ଇଂରାଜୀ ଭାଷାରେ ଥିବାରୁ ଏହା କିଛି ଯୁବଗୋଷ୍ଠୀଙ୍କ ପକ୍ଷରେ ବୁଝିବା ସମ୍ଭବ ହୋଇ ନଥାଏ । ଶିଶୁମାନେ ନିରାପଦରେ ଇଣ୍ଟରନେଟ୍‌ ବ୍ୟବହାର କରିବା ନେଇ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ସରକାରୀ, ବେସରକାରୀ, ଶିଶୁ ବିକାଶ ସଂସ୍ଥା, ଅନୁଷ୍ଠାନ, ଅଭିଭାବକ ଆଗେଇ ଆସିବାକୁ ରିପୋର୍ଟରେ ପ୍ରକାଶ ପାଇଛି। ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଓଡ଼ିଶା ସାଇବର କ୍ରାଇମ୍‌ ସେଲ୍‌ର ମୁଖ୍ୟ ନିଖିଲ କୁମାର କାନୋଡିଆ (ଆଇପିଏସ୍‌), ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ୟୁମି ବେ’ଙ୍କ ସମେତ ବହୁ ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରତିନିଧି, ଛାତ୍ରଛାତ୍ରୀ ଏହି ରିପୋର୍ଟକୁ ଲୋକାର୍ପଣ କରିଥିଲେ ।

‘ଦି ଷ୍ଟେଟ୍‌ ଅଫ୍‌ ଦି ୱାର୍ଲଡ୍‌ସ ଚିଲଡ୍ରେନ୍‌ ୨୦୧୭ ଏହି ରିପୋର୍ଟରେ ଡିଜିଟାଲ ଦୁନିଆ କିପରି ଶିଶୁମାନଙ୍କ ଜୀବନ ଏବଂ ଜୀବନଶୈଳୀକୁ ଉଭୟ ଭଲ ଏବଂ ଖରାପ ଭାବରେ ପ୍ରଭାବିତ କରିଥାଏ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ସେହିପରି ନିକଟରେ ଭାଇରାଲ୍‌ ହେଉଥିବା ବିଭିନ୍ନ ଆପତ୍ତିଜନକ ଭିଡିଓ କିମ୍ବା ଅନ୍ୟାନ୍ୟ ତଥ୍ୟ ପ୍ରସାରଣ ଉପରେ ରୋକ୍‌ ଲଗାଇବା ସହିତ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ କଠିନ ନିୟମ ପ୍ରଣୟନ ତଥା ପୀଡ଼ିତାଙ୍କୁ କୌଣସି ମାନସିକ ନିର୍ଯାତନା ନଦେଇ ତାଙ୍କ ସମସ୍ୟାର ସମାଧାନ ମାନବିକତା ଆଧାରରେ କରିବା ନିମନ୍ତେ ମତପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର