ଏଗ୍ରି କନକ୍ଲେଭ-୨୦୨୨‌ରେ କେନ୍ଦ୍ର କୃଷିମନ୍ତ୍ରୀ: ୧୦ ଲକ୍ଷ ହେକ୍ଟରରେ ହେବ ପାମ୍‌ ଅଏଲ୍‌ ଚାଷ

୧୧ ହଜାର କୋଟିର ବ୍ୟୟ ଅଟକଳ

ଭୁବନେଶ୍ୱର: ଦେଶରେ ଖାଇବା ତେଲ ଦରବୃଦ୍ଧି ଉପରେ ରୋକ୍‌ ଲଗାଇବା ଦିଗରେ କେନ୍ଦ୍ର ସରକାର ମିସନ ମୋଡ୍‌ରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିପାଇଁ ପାମ୍‌ ଅଏଲ୍‌ ଚାଷକୁ ପ୍ରାଥମିକତା ଦିଆଯାଇଛି। ଏ ବାବଦରେ ୧୧ ହଜାର କୋଟିର ବ୍ୟୟ ଅଟକଳ ହୋଇଛି। ଅଧିକାଂଶ ରାଜ୍ୟ ଏହି ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଲକ୍ଷ ହେକ୍ଟର ଜମିରେ ପାମ୍‌ ଅଏଲ୍‌ ଚା‌ଷ କରାଯାଇ ଖାଇବା ତେଲ ନିଅଣ୍ଟକୁ ଭରଣା କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।

‘ଅର୍ଗସ’ର ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ଏଗ୍ରି କନକ୍ଲେଭ-୨୦୨୨କୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର କହିଲେ, ୟୁରିଆ ସଂକଟ ଦୂର କରିବାରେ ‌କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ‌ଏଥିସହ ନ୍ୟୁଟ୍ରିସନ୍‌ ବୃଦ୍ଧି ଲାଗି ୨୦୨୩ ସୁଦ୍ଧା ବାଜରା ଉତ୍ପାଦନ ବଢ଼ାଇବା ଦିଗରେ କାର୍ଯ୍ୟ କରାଯାଉଛି। ଜୈବିକ କୃଷି ପଦ୍ଧତି ଆପଣାଇବା କ୍ଷେତ୍ରରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଆଗରେ ରହିଛନ୍ତି। ଏହାକୁ ଆଗକୁ ବଢ଼ାଇବା ଲାଗି ଓଡ଼ିଶାର ଚାଷୀ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ପଶୁସମ୍ପଦ ବିକାଶ ମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍‌ କହିଲେ, ଦେଶରେ ଇଥାନଲ୍ ନୀତିରେ ପରିବର୍ତ୍ତନ ଆସିଛି। ଗତ ୮ବର୍ଷ ମଧ୍ୟରେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ୨%ରୁ ୧୨% ପର୍ଯ୍ୟନ୍ତ ବଢ଼ିଛି। ଗହମ, ଚାଉଳ, ମକାରୁ ଇଥାନଲ୍ ବାହାରିପାରିବ। ଏହାଦ୍ବାରା ଚାଷୀ ଉପକୃତ ହେବେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଯୋଗଦେଇ ଭାଗଚାଷୀଙ୍କର ସ୍ୱାର୍ଥ କିପରି ରକ୍ଷା କରାଯାଇ ପାରିବ, ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଥିଲେ। ଆଇସିଏଆର ମହାନିର୍ଦ୍ଦେଶକ ତ୍ରିଲୋଚନ ମହାପାତ୍ର ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ‌ଉପରେ ଗୁରୁତ୍ବାରୋପ କରିଥିଲେ। ପଦ୍ମଶ୍ରୀ ସାବରମତୀ, ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଓ ଆଇସିଏଆର ନିର୍ଦ୍ଦେଶକ ଅଜିତ ଶାସାନୀ, ନ୍ୟାସନାଲ କୋଅପରେଟିଭ୍ ଡେଭେଲମେଣ୍ଟ କର୍ପୋରେସନର ଏମଡି ସୁନଦୀପ କୁମାର ନାୟକ ପ୍ରମୁଖ ଉତ୍ସବରେ ସାମିଲ ହୋଇଥିଲେ। ‘ଅର୍ଗସ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ଅତିଥି ପରିଚୟ ଓ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର