ଭୁବନେଶ୍ବର : ଏମ୍ସକୁ ପ୍ରତିଦିନ ୧୦ ହଜାର ରୋଗୀ ଆସୁଛନ୍ତି। ଏତେ ରୋଗୀଙ୍କ ଚିକିତ୍ସା ଡାକ୍ତରଖାନା ପାଇଁ ଚ୍ୟାଲେଞ୍ଜ ହେଉଛି। ଏଥିପାଇଁ ରୋଗୀଙ୍କୁ ମଧ୍ୟ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ପ୍ରାଥମିକ ଏବଂ ଜିଲ୍ଲାସ୍ତରୀୟ ଡାକ୍ତରଖାନାମାନଙ୍କ ସହ ଆଲୋଚନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ (ରାଷ୍ଟ୍ର) ମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର। ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ପାୱାର୍ ଭୁବନେଶ୍ବର ଏମ୍ସର ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି।
ମନ୍ତ୍ରୀ ପାୱାର୍ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଥିଲେ ଯେ ଗତବର୍ଷ କେନ୍ଦ୍ର ସରକାର ଏମ୍ସକୁ ୫୧୦ କୋଟି ଟଙ୍କା ଦେଇଥିଲେ। ଚଳିତ ବର୍ଷ ଏହାକୁ ୬୩୫ କୋଟିକୁ ବୃଦ୍ଧି କରାଯାଇଛି। ରୋଗୀମାନଙ୍କୁ ଉଚ୍ଚମାନର ସେବା ଯୋଗାଇଦେବା ମୁଖ୍ୟ ଲକ୍ଷ୍ୟ ରହିଛି। କିନ୍ତୁ ସମସ୍ୟା ହେଲା, ଏମ୍ସର ଏକ ଟର୍ସିୟାରି କେୟାର ସେଣ୍ଟର୍ ବା ତୃତୀୟସ୍ତରୀୟ ଡାକ୍ତରଖାନା। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ନଥିବା ଜଟିଳ ରୋଗୀଙ୍କ ଚିକିତ୍ସା ସହିତ ଗବେଷଣା ଏହାର ମୁଖ୍ୟ କାର୍ଯ୍ୟ। ପ୍ରତିଦିନ ଏମ୍ସକୁ ଆସୁଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ୨୦ରୁ ୩୦ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ସମ୍ଭବ। କିନ୍ତୁ ସେଭଳି ରୋଗୀ ଏମ୍ସକୁ ଆସୁଥିବାରୁ ହସ୍ପିଟାଲ ଉପରେ ଚାପ ବଢ଼ୁଛି। ତେଣୁ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ନଥିବା ଜଟିଳ ରୋଗୀ ଯେପରି କେବଳ ଏଠାକୁ ଆସିବେ, ବୈଠକରେ ତାହା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ଏହାବ୍ୟତୀତ ୨୦୨୩ ଜାନୁଆରି ୧ ତାରିଖ ସୁଦ୍ଧା ଏମ୍ସକୁ ପେପରଲେସ୍ (କାଗଜବିହୀନ) କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାକୁ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ କରାଯିବାର ମଧ୍ୟ ଲକ୍ଷ୍ୟ ରହିଛି। ତେବେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉନଥିବାରୁ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ।
ମନ୍ତ୍ରୀ ପାୱାର୍ ଏମ୍ସ ପରିସରରେ ଥିବା ବହୁଉପଯୋଗୀ ଭବନର ଉଦ୍ଘାଟନ କରିଥିଲେ। ପେଟ୍ ସିଟି ସ୍କାନ ମେସିନ, ଚିକିତ୍ସା ଏବଂ ଔଷଧ ଉପକରଣ ଯୋଗାଉଥିବା ସେଣ୍ଟ୍ରାଲ ଷ୍ଟେରାଇଲ ସପ୍ଲାଏ ଡିପାର୍ଟମେଣ୍ଟ, ବିନା ସର୍ଜରି ଷ୍ଟୋନ ଚିକିତ୍ସା କରୁଥିବା ମେସିନ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଉପକରଣ ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧୀକ୍ଷକ ଏସ୍.ଏନ୍ ମହାନ୍ତି, ଡିନ୍ ପିଆର ମହାପାତ୍ର, ଡିଡିଏ ରଶ୍ମିରଞ୍ଜନ ସେଠୀ, ବିତ୍ତ ଅଧିକାରୀ ପିକେ ସାହୁ, କୁଳସଚିବ ବିବି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।