ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀର ମୁଖ୍ୟସ୍ଥଳୀ ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ମଧ୍ୟାହ୍ଣ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ ଲାଗି ପ୍ରେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ୍‌ ଅଏଲର ଅଧିକାରୀମାନଙ୍କ ସହ ଅଲୋଚନା କରି ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ମନ୍ତ୍ରାଳୟର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦରୁ ଶୀଘ୍ର ଆରୋଗ୍ୟ କାମନା କରନ୍ତୁ ବୋଲି ସେ ଟୁଇଟ କରିଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲ୍‌ ପମ୍ପରେ ଘଟିଥିବା ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଶୁ ଚିକିତ୍ସା ଦିଆଯାଇ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରଣ କରି ଦିଆଯାଇଛି। ଏହିି ଦୁଇ ଜଣଙ୍କର ଆଖିରେ ଆଘାତ ଲାଗିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍‌ସିକ୍‌ ଟିମ୍‌ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍‌ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯାଇଛି।

ଏହି ଅଗ୍ନିିକାଣ୍ଡରୁ ହୋଇଥିବା ବିସ୍ଫୋରଣର କାରଣ ସଂପର୍କରେ ସୂଚନା ନେଇ ପୁଲିସ୍‌ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଏଲ୍‌ପିଜି ଟାଙ୍କି ଫାଟି ଏହି ଦୁର୍ଘଟଣା ଘଟିଛି। ଏଥିସହ ସେ ଉକ୍ତ ପେଟ୍ରୋଲ୍‌ ଟାଙ୍କିରେ ଗଚ୍ଛିତ ଥିବା ପେଟ୍ରୋଲ୍‌ ଓ ଡିଜେଲ୍‌ ନିଷ୍କାସନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଛନ୍ତି। ଏହି କାର୍ଯ୍ୟଲାଗି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି। ସେମାନେ ଟାଙ୍କିରେ ଥିବା ପେଟ୍ରୋଲ୍‌ ଡିଜେଲ୍‌ କାଢ଼ିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳ ନିବଟବର୍ତ୍ତୀ ଅଞ୍ଚଳର ଲୋକେ (୨ କିଲୋମିଟର ପରିଧି) ସଂଧ୍ୟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଟାଙ୍କିିରେ ତେଲ ଥିବା ପର୍ଯ୍ୟନ୍ତ ବିପଦ ରହିଛି ବୋଲି ଡେପୁଟି ଫାୟାର୍‌ ଅଫିସର୍‌ ରମେଶ ମାଝି ସୂଚନା ଦେଇଛନ୍ତି। ସେହିପରି ଏହି ଦୁର୍ଘଟଣାରେ ରାଜଭବନ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ କେତେକ ଘରର ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ।

ସ୍ଥାନୀୟ ଅଧବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣର ଶବ୍ଦ ପ୍ରଚଣ୍ଡ ଥିଲା। ପେଟ୍ରୋଲ ଟାଙ୍କିକୁ ଲାଗି ରହିଥିବା ଏକ ଆପାର୍ଟମେଣ୍ଟର ଜନୈକ ଅଧିବାସୀ କହନ୍ତି ମୁଁ ଟିଭି ଦେଖୁଥିଲି ହଠାତ୍‌ ବିରାଟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଚ ଆସି ମୋ ଉପରେ ପଡ଼ିଲା। ମୁଁ ଭାବିଲି ଭୂମିକମ୍ପ ହେଲା। କାଚ ଖଣ୍ଡ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର