ଜାତୀୟ ଶିକ୍ଷାନୁଷ୍ଠାନର ସ୍ଥିତି, ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା : ସ୍କୁଲସ୍ତରରୁ ପିଲାଙ୍କୁ ଆଇଆଇଟି ଯୋଗ୍ୟ କରାଅ

ରାଜ୍ୟସ୍ତରୀୟ ଶିକ୍ଷାନୁଷ୍ଠାନ ସହ ମିଶି କାମ କରିବାକୁ ଆହ୍ୱାନ
ଆଇଆଇଟି ଓ ଏନ୍‌ଆଇଟିର ସ୍ଥିତିକୁ ନେଇ ସନ୍ତୋଷ ପ୍ରକାଶ

ଭୁବନେଶ୍ବର : କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଆଇଆଇଆଇଟି, ଏନ୍‌ଆଇଟି, ନାଇଜର ପରି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ଯୋଗ୍ୟ କରାଅ। ସ୍କୁଲସ୍ତରରୁ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଶିକ୍ଷକମାନେ ଗୁରୁତ୍ବ ଦିଅନ୍ତୁ। ଏଥିସହ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ୍‌) ଓ ନବୋଦୟ ବିଦ୍ୟାଳୟ ସଙ୍ଗଠନ(ଏନ୍‌ଭିଏସ୍‌)ର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ସୋଆ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ବର ଆଇଆଇଟି, ରାଉରକେଲା ଏନ୍‌ଆଇଟି, ଭୁବନେଶ୍ବର ନାଇଜର, କେଭିଏସ୍‌, ଏନ୍‌ଭିଏସ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଓଡ଼ିଶାରେ ଥିବା ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି, ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଆଲୋଚନା ସମୟରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିବା ସହ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଥିବା ଆଇଆଇଟି, ଏନ୍‌ଆଇଟିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆଇଆଇଟି ଓ ଏନ୍‌ଆଇଟି ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ଆହୁରି ଉନ୍ନତ କରିବା ପାଇଁ ସମୟ ଲାଗିବ। ଏମିତିକି ୧୦ ବର୍ଷ, ୨୦ ବର୍ଷ ବି ଲାଗିପାରେ। ତେବେ ଏହି ଧାରାକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରନ୍ତୁ। ବିଶ୍ବସ୍ତରୀୟ ହେବାକୁ ହେଲେ ଦକ୍ଷ ପ୍ରଫେସରଙ୍କ ଆବଶ୍ୟକତା ରହିଛି। ଆଇଆଇଟିରେ ଏବେ ୬ ଜଣ ବିଦେଶୀ ପ୍ରଫେସର ରହିଛନ୍ତି। ସଂକ୍ଷିପ୍ତକାଳ ପାଇଁ ବି ବି‌ଦେଶୀ ପ୍ରଫେସରମାନେ ଆସି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି। ଆଇଆଇଟି, ଏନ୍‌ଆଇଟି, ଆଇଜର, ଆଇଏମ୍‌ଏସ୍‌ ପରି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ରାଜ୍ୟର ପ୍ରମୁଖ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ସହ ହାତ ମିଳାଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ସେମାନଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଶିକ୍ଷାନୁଷ୍ଠାନ ମୁଖ୍ୟ କେବେ ବି ଦ୍ବନ୍ଦ୍ବ କିମ୍ବା ଚାପରେ ନ ପଡ଼ିବାକୁ ମନ୍ତ୍ରୀ ଶ୍ରୀ ନିଶାଙ୍କ ପରାମର୍ଶ ଦେଇଥିଲେ। ଭୁବନେଶ୍ବର ଆଇଆଇଟିର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିବା ଖୁବ୍‌ଶୀଘ୍ର ଆଇଆଇଟି ଓ ଏନ୍‌ଆଇଟି ଗସ୍ତରେ ଆସିବେ ବୋଲି ସୂଚନା ଦେଇଥିଲେ। ଆସନ୍ତା ଏକ ମାସ ମଧ୍ୟରେ ଆଇଆଇଟିର ଖେଳ ପଡ଼ିଆ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହାକୁ ଉଦ୍‌ଘାଟନ କରିବାକୁ ମନ୍ତ୍ରୀଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କରାଯିବ ବୋଲି ଆଇଆଇଟି ନିର୍ଦେଶକ ଆର ଭି ରାଜାକୁମାର କହିଛନ୍ତି।

ସମ୍ବନ୍ଧିତ ଖବର