ନିଆରା ପ୍ରଦର୍ଶନୀ ‘ସାବାସ ଦିଲୀପ’

ଭୁବନେଶ୍ୱର: ହକି ତାରକା ତଥା ଜାତୀୟ ହକି ଫେଡେରେସନର ମୁଖ୍ୟ ଦିଲୀପ ତିର୍କିଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କ ଖେଳ ଜୀବନକୁ ନେଇ ନିଆରା ପ୍ରଦର୍ଶନୀ ‘ସାବାସ ଦିଲୀପ’ ଆଜି ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି। କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କ ପ୍ରୟାସରେ ଆୟୋଜିତ ଏହି ପ୍ରଦର୍ଶନୀରେ ଦିଲୀପ ତିର୍କିଙ୍କ ଖେଳ ଜୀବନ ସମ୍ପର୍କିତ ଅନେକ ଫଟୋ, ପେଣ୍ଟିଂ, କାର୍ଟୁନ, ଦିଲୀପଙ୍କ ଖେଳ ଉପକରଣ ତଥା ସେ ଜିତିଥିବା ବିଶେଷ ପୁରସ୍କାରଗୁଡ଼ିକ ପ୍ରଦର୍ଶିତ ହୋଇଛି। ତାଙ୍କ ପୂରା କ୍ୟାରିୟରର ମ୍ୟାଚ୍‍ ଓ ଗୋଲ ବିବରଣୀ ମଧ୍ୟ ରଖାଯାଇଛି।

ଦିଲୀପଙ୍କ ବାବଦରେ ଅନେକ କବିତା ମଧ୍ୟ ଏହି ପ୍ରଦର୍ଶନୀରେ ସାମିଲ ହୋଇଛି। ଏହି ପ୍ରଦର୍ଶନୀକୁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ନିଜେ ଦିଲୀପ ତିର୍କି, ରେଳବାଇର ବରିଷ୍ଠ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଭାରତୀୟ ଚେସ୍‍ ସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏଭରେଷ୍ଟ ବିଜେତା ଗଣେଶ ଜେନା, କୋଚ୍‍ ହରିପ୍ରସାଦ ପଟ୍ଟନାୟକ, ଅରୁଣ କୁମାର ଦାସ, ବିଶିଷ୍ଟ ଖେଳାଳି ରଶ୍ମି ରଞ୍ଜନ ପରିଡ଼ା ଓ ଏସ୍‍. ସତ୍ୟପ୍ରଜ୍ଞଙ୍କ ସହ ବହୁ ଖେଳାଳି ପ୍ରଶିକ୍ଷକ ଏବଂ କିସ୍‍ର ୧୦ଜଣ ଯୁବ ହକି ତାରକା ସାମିଲ ହୋଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ଏହି ପ୍ରଦର୍ଶନୀ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର