ଐତିହ୍ୟ ଗ୍ରାମରେ ନିଆରା ମେଳା

ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଐତିହ୍ୟ ଗ୍ରାମ ମୁହାଁ କରିବା ଉଦ୍ଦେଶ୍ୟ ନେଇ ଇଣ୍ଟରନ୍ୟାସ୍‌ନାଲ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଏକ୍ସଚେଂଜ୍‌ ଏବଂ ଟ୍ରିପ୍‌ ଫର ଫନ୍‌ ପକ୍ଷରୁ ଐତିହ୍ୟ ଗ୍ରାମ ଭ୍ରମଣର ବିଶେଷ ଆୟୋଜନ କରାଯାଇଥିଲା। ଏଥିରେ ୬୦ ଜଣ ପର୍ଯ୍ୟଟକ ଅଂଶଗ୍ରହଣ କରି ସାଂସ୍କୃତିକ ଭାବର ଆଦାନ ପ୍ରଦାନ କରିଥିଲେ। ପର୍ଯ୍ୟଟକଙ୍କୁ ଢୋଲ, ମହୁରି, ଦୀପ, ଫୁଲ, ଚନ୍ଦନ, କୁକୁମ ଲଗାଇ ଗୋଟିପୁଅ ନୃତ୍ୟ ତାଳେତାଳେ ସ୍ୱାଗତ କରାଯାଇଥିଲା। ହାତରେ ରଜନୀଗନ୍ଧାର ମାଳ ପିନ୍ଧାଇ ବିଦେଶୀ ପାଛୋଟି ନେଇଥିଲେ ଦେଶୀୟ ପର୍ଯ୍ୟଟକଙ୍କୁ। ବିଦେଶୀ କଳାକାରମାନେ ନମସ୍କାର, ସ୍ୱାଗତ ଓ ଜୟ ଜଗନ୍ନାଥ ସମ୍ବୋଧନ କରି ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥିଲେ। ରଘୁରାଜପୁର ଗାଁ ଓ ଏହାର ଇତିହାସ ବାବଦରେ ପର୍ଯ୍ୟଟକଙ୍କୁ କୁହାଯିବା ସହ ଶିଳ୍ପୀ ଗାଁର କଳା ଓ କାରିଗରୀକୁ ବର୍ଣ୍ଣର୍ର୍ନା କରିଥିଲେ ବରିଷ୍ଠ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟ ଶିଳ୍ପୀ। ଭୁବନେଶ୍ୱରରୁ ୫ ଜଣ ସାଇକେଲ୍‌ରେ ରଘୁରାଜପୁରରେ ପହଞ୍ଚି ପର୍ଯ୍ୟଟକଙ୍କ ସହ ଏକାଠି ଗାଁ ବୁଲିଥିଲେ। ପାରମ୍ପରିକ ରଙ୍ଗ ପ୍ରସ୍ତୁତି, ପଟ୍ଟଚିତ୍ର, ତାଳପତ୍ର ଲେଖନୀ, ପଟି ପ୍ରସ୍ତୁତି ଭଳି ବିଭିନ୍ନ କର୍ମଶାଳାରେ ଯୋଗ ଦେଇ ଶିଳ୍ପୀମାନଙ୍କର ପାରମ୍ପରିକ କଳା କୌଶଳ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ। ଫ୍ୟାସନ୍‌ ଡିଜାଇନର ଜ୍ୟୋତ୍ସ୍ନା ଦାସ ଏବଂ ପାର୍ଥ ସାମଲ ଏହି ଟ୍ରେଲ୍‌ରେ ସାମିଲ୍‌ ହୋଇ କହିଛନ୍ତି ଯେ, ପ୍ର୍ରତ୍ୟେକ ଶିଳ୍ପୀଙ୍କ ଘର ବୁଲି ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ ଓ ହସ୍ତକଳା ଦେଖିବାର ସୁଯୋଗ ପାଇବା ହିଁ ସବୁଠୁ ବଡ଼କଥା। ମୁକ୍ତାକାଶ ରଙ୍ଗମଂଚରେ ପ୍ରସ୍ତୁତ ଗୋଟିପୁଅ ନୃତ୍ୟ ଓ ପାରମ୍ପରିକ ଓଡ଼ଆ ଖାଦ୍ୟ ସବୁଠାରୁ ଅଧିକ ଆକର୍ଷଣୀୟ ଥିଲା।

’ଟ୍ରିପ୍‌ ଫର୍‌ ଫନ୍‌’ର ମୁଖ୍ୟ ଅନନ୍ତ ବାସୁଦେବ ଏବଂ ରାଇସ୍‌ର ପ୍ରକଳ୍ପ ନିର୍ଦେଶକ କ୍ଷିତିସ ଦାସ କହିଛନ୍ତିି ସବୁବର୍ଷ ରାଇସ୍‌ ସହଯୋଗରେ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟ ଶିଳ୍ପୀ ଆସି ଏକ ମାସ ଧରି ରଘୁରାଜପୁରରେ ରହନ୍ତି। ଏହି ସମୟରେ ସେମାନେ ଓଡ଼ିଶାର ବିଭିନ୍ନ ପ୍ରକାର ହସ୍ତଶିଳ୍ପର କୌଶଳ ଶିଖନ୍ତି। ପ୍ରଥମ ଥର ପାଇଁ ଆମେ ସାଧାରଣ ପର୍ଯ୍ୟଟକଙ୍କ ସହ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇବାର ସୁଯୋଗ ସୃଷ୍ଟି କରିଥିଲୁ। ଯାହାକି ସମସ୍ତଙ୍କୁ ବେଶ ଖୁସି ଦେଇଛି।

ସମ୍ବନ୍ଧିତ ଖବର