ନାକରୁ ବାହାରିଲା ଆଲୁମିନିୟମ୍ ଖଣ୍ଡ, ସମ୍ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ସମ୍ ହସ୍ପିଟାଲ୍‌ରେ ଏକ ବିରଳ ଚିିକିତ୍ସା ପଦ୍ଧତ୍ତି ସହ ଅସ୍ତ୍ରୋପଚାର ଜରିଆରେ ଜଣେ ରୋଗୀର ନାକରୁ ଆଲୁମିନିୟମ୍ ଖଣ୍ଡ କଢ଼ାଯିବାରେ ସଫଳତା ମିଳିଛି। ହସ୍ପିଟାଲ୍‌ର ଇଏନ୍‌ଟି ଓ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରି ବିଭାଗର ବିଶେଷଜ୍ଞମାନେ ଏହି ସଫଳତା ହାସଲ କରିଛନ୍ତି। ସଂପୃକ୍ତ ରୋଗୀ ପ୍ରକାଶ ମଲ୍ଲିକ ସୁରଟର ଏକ ଆଲୁମିନିୟମ୍‌ କାରଖାନାରେ କାର୍ଯ୍ୟ କରୁଥିଲା ବେଳେ ଏକ ଦୁର୍ଘଟଣା ଯୋଗୁଁ ଆଲୁମିନିୟମ୍ ତରଳ ବାଷ୍ପୀୟ ଅବସ୍ଥାରେ ତାଙ୍କ ନାକ ଭିତରକୁ ଚାଲିଯାଇଥିଲା। ଉଚ୍ଚ ତାପମାତ୍ରାର ଏହି ଆଲୁମିନିୟମ୍‌ ନାକକୁ ଯିବା ପରେ ନାକ ଭିତରେ କଠିନ ହୋଇ ନାସା ରନ୍ଧ୍ରକୁ ବନ୍ଦ କରିଦେଇଥିଲା। ଫଳରେ ପ୍ରକାଶ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସମ୍‌ ହସ୍ପିଟାଲ୍‌ର ଜଣାଶୁଣା ସର୍ଜନ୍ ଡାକ୍ତର ରାଧାମାଧବ ସାହୁ ତାଙ୍କର ଚିକିତ୍ସା କରିଥିଲେ। ସଫଳ ଅସ୍ତ୍ରୋପଚାର ଦ୍ବାରା ପ୍ରକାଶଙ୍କ ବାମ ନାକରୁ ସଫଳତାର ସହ ୨୦ ଗ୍ରାମର ଆଲୁମିନିୟମ୍‌ ଖଣ୍ଡ ବାହାରିଥିଲା। ମସ୍ତିଷ୍କକୁ ସଂଯୋଗ କରୁଥିବା ହାଡ଼ ସହିତ ଏହି ଆଲୁମିନିୟମ୍‌ ପଦାର୍ଥଗୁଡ଼ିକ ଲାଗି ରହିଥିଲା, ଯାହାକୁ କି କାଢ଼ିବା କଷ୍ଟକର ଥିଲା। ଆଡ୍‌ଭାନ୍ସଡ୍‌ ଏଣ୍ଡୋସ୍କେ‌ାପିକ୍ ଟେକ୍‌ନିକ୍ ଦ୍ବାରା ଆଲୁମିନିୟମ୍‌ ଖଣ୍ଡଗୁଡ଼ିକୁ ବାହାର କରାଯିବା ସହ ବନ୍ଦ ହୋଇଯାଇଥିବା ନାକର ଦ୍ବାରକୁ ଖୋଲାଯାଇପାରିଥିଲା। ଅସ୍ତ୍ରୋପଚାର ପରେ ସେ ନିଃଶ୍ବାସ ନେବାରେ ସକ୍ଷମ ହୋଇପାରିଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର