ନିଆରା ସଫଳତା ଭାଇଙ୍କ ପଥରେ ଭାଇ

ଭୁବନେଶ୍ବର: ଭାଇଙ୍କ ପଥରେ ଭାଇ। କଥାଟା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଦୁଇ ଦିନ ତଳେ ପ୍ରକାଶିତ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ‌ (ଓପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଏଭଳି ଏକ ନିଆରା ସଫଳତା ପାଇଥିବା ଦୁଇ ଭାଇଙ୍କ କାହାଣୀ ଏବେ ନଜରକୁ ଆସିଛି। ଭୁବନେଶ୍ବର ୟୁନିଟ୍‌-୧ ନିବାସୀ ପ୍ରଫେସର ସୁଧାଂଶୁ କୁମାର ଲେଙ୍କା ଓ ଉର୍ମିଳା ସୁନ୍ଦରୀ ରାଉତଙ୍କ ବଡ଼ ପୁଅ ଜଗତେନ୍ଦୁ ପ୍ରତାପ ଲେଙ୍କା ୨୦୧୬ରେ ଓପିଏସ୍‌ସି ପରୀକ୍ଷାରେ ୭୦ତମ ରୢାଙ୍କରେ ରହି ସଫଳତା ହାସଲ କରିଥିଲେ। ଆଉ ଏବେ ପ୍ରକାଶିତ ୨୦୧୭ ପରୀକ୍ଷାରେ ସାନ ପୁଅ ବିଭୂତେନ୍ଦୁ ପ୍ରତାପ ଲେଙ୍କା ୩୫ତମ ରୢାଙ୍କରେ ରହି ପରିବାରଙ୍କୁ ଗୌରବାନ୍ବିତ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସାନ ଭଉଣୀ ଏବେ ଭାଇମାନଙ୍କ ପରି ଓଏଏସ୍‌ ପରୀକ୍ଷାରେ ସଫଳତା ପାଇବାଠାରୁ ଆଉ କିଛି ପାଦ ଦୂରରେ। ଚଳିତବର୍ଷ ଅନୁଷ୍ଠିତ ଓପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ସଫଳତା ହାସଲ କରିବା ପରେ ଭାଇ ଭଉଣୀ ତିନି ଜଣ ଏବେ ୟୁନିୟନ ପବ୍ଲିକ ସର୍ଭିସ କମିସନ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଷ୍ଟୁଆର୍ଟ ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା ଦୁଇ ଭାଇଙ୍କ ଶିକ୍ଷା। ପ୍ରାଥମିକ ଶିକ୍ଷା ପରେ ସେମାନେ ବେସିକ୍‌ ସାଇନ୍ସ କଲେଜରେ ଯୁକ୍ତ୨ ପଢ଼ିଥିଲେ। ଏହାପରେ ଜଗତେନ୍ଦୁ ଆଇଜିଆଇଟି ସାରଙ୍ଗରେ ବି. ଟେକ୍‌ ପାଠ୍ୟକ୍ରମରେ ସିଭିଲ୍‌ ଇଞ୍ଜିନିୟରିଂ ପଢ଼ିଥିଲେ। ଚାକିରି କରିଥିବା ବେଳେ ୨୦୧୬ରେ ଓପିଏସ୍‌ସି ପରୀକ୍ଷା ଦେବା ସହ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୦ତମ ରୢାଙ୍କରେ ରହିବା ସହ ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫ୍‌ଏସ୍‌) ପାଇଁ ଏବେ ଟ୍ରେନିଂ ନେଉଛନ୍ତି। ସାନ ଭାଇ ବିଭୂତେନ୍ଦୁ ପ୍ରତାପ ଲେଙ୍କା ଏବେ ସଫଳତା ପାଇଛନ୍ତି। ଯୁକ୍ତ୨ ଶିକ୍ଷା ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଅନର୍ସରେ ଶିକ୍ଷା ଗ୍ରହଣ କରି ପଣ୍ଡିଚେରୀ ବିଶ୍ବବିଦ୍ୟାଳୟ ଅଧୀନରେ ଏମ୍‌ବିଏ କରିଥିଲେ। ୨୦୧୫ରୁ ମାଇକ୍ରୋ ଫାଇନାନ୍ସ ସେକ୍ଟରରେ ଚାକିରି କରିବା ସହ ଓପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିଲେ। ଏବେ ସଫଳତା ହା‌ସଲ କରିଛନ୍ତି। ବିଭୂତେନ୍ଦୁ କହିଛନ୍ତି ଯେ ଲୋକଙ୍କ ସେବା କରିବାକୁ ଚାହେଁ। ତେଣୁ ଆଗକୁ ଓଡ଼ିଶା ପୁଲିସ ସର୍ଭିସ୍‌ (ଓପିଏସ୍‌)ରେ ଯିବାକୁ ଲକ୍ଷ୍ୟ ରଖିଛି। ସିଭିଲ୍‌ ସର୍ଭିସ ପରୀକ୍ଷା ପାଇଁ କୋଚିଂ ‌ଅପେକ୍ଷା ‌ସେଲ୍‌ଫ ଷ୍ଟଡି ଉପରେ ଧ୍ୟାନ ଦେବା  ଆବଶ୍ୟକ। ନିୟମିତ ଭାବେ ପ୍ରତିଦିନ ୪ରୁ ୬ ଘଣ୍ଟା ପଢ଼ିବା ଦରକାର। ସିଭିଲ୍‌ ସର୍ଭିସ୍‌ ପାଇଁ ଓଡ଼ିଶାରେ ପ୍ରତିଭାବାନ ଛାତ୍ରଛାତ୍ରୀ ରହିଛନ୍ତି। ନିଜ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇଲେ ସଫଳତା ମିଳିପାରିବ ବୋଲି ପରୀକ୍ଷା ଦେବାକୁ ଥିବା ଆଶାୟୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ସମ୍ବନ୍ଧିତ ଖବର