ବେକାବୁ ସଂକ୍ରମଣ: ସିଲ୍‌ ହେବ ୟୁନିଟ୍‌-୧, ୟୁନିଟ୍‌-୪ ହାଟ

ସ୍ଥାନାନ୍ତର ପାଇଁ ଜାଗା ଖୋଜିଲାଣି ବିଏମ୍‌ସି

ଭୁବନେଶ୍ବର : ସିଲ୍‌ ହେବ ୧ ନମ୍ବର ଓ ୪ ନମ୍ବର ସମେତ ରାଜଧାନୀର ପ୍ରମୁଖ ହାଟ। ଦିନକୁ ଦିନ ପ୍ରବଳ ଭିଡ଼ ଜମୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ବିଏମ୍‌ସି ଏଭଳି ନିଷ୍ପତ୍ତି ନେବାକୁ ଯାଉଛି। ହାଟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମ୍‌ସି ଜାଗା ଖୋଜିବା ଆରମ୍ଭ କରିଛି। କେଉଁଠି କଟକଣା ପାଳନ କରିବା ସହ ବ୍ୟବସାୟ ହୋଇପାରିବ ଓ ବେପାରୀ କିମ୍ବା ଗ୍ରାହକ ସମସ୍ୟାରେ ପଡ଼ିବେ ନାହିଁ, ସେଭଳି ଜାଗା ଖୋଜିବାକୁ ଜେଡ୍‌ଡିସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂହ। ଏହି ମର୍ମରେ କମିସନରେଟ୍‌ ପୁଲିସକୁ ମଧ୍ୟ ଚିଠି ଲେଖାଯାଇଛି। କମିସନରେଟ୍‌ ପୁଲିସ ସହାୟତାରେ ବିଏମ୍‌ସି ଜାଗା ଖୋଜିବା ଆରମ୍ଭ କରିଛି। କରୋନାର ପ୍ରଥମ ଲହରରେ ବ୍ୟବହୃତ ହୋଇଥିବା ଜାଗାରେ ଏଥର ହାଟ ଖୋଲିବା ପାଇଁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି।

ଆମିଷ ମାର୍କେଟ୍‌ରେ ମଧ୍ୟ କଟକଣା ପାଳନ ହେଉ ନଥିବାରୁ ଆସନ୍ତାକାଲିଠାରୁ ନିୟମିତ ଚଢ଼ଉ ହେବ। ଭିଡ଼ ପରିଲକ୍ଷିତ ହେଲେ, ହାଟ ସିଲ୍‌ କରାଯିବା ସହ ଅଲଗା ଅଲଗା ଜାଗାରେ ବ୍ୟବସାୟୀଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ବ୍ୟବସାୟୀ ସଂଘ ସହ ବିଏମ୍‌ସି ‌ଜେଡ୍‌ଡିସି ଓ କମିସନରେଟ୍‌ ପୁଲିସ ଆଲୋଚନା କରିବେ। ଆଲୋଚନା ପରେ ଜାଗା ଚିହ୍ନଟ ହେବ। ଗ୍ରାହକମାନେ କିଭଳି ଧାଡ଼ିରେ ଆସବେ, ଭିଡ଼ ହେବ ନାହିଁ, କୋଭିଡ୍‌ କଟକଣା ଯେଭଳି ପୂର୍ଣ୍ଣମାତ୍ରାରେ ପାଳନ ହେବ, ସେ ଦିଗଗୁଡ଼ିକ ପ୍ରତି ପ୍ରାଥମିକତା ଦିଆଯିବ। ଆବଶ୍ୟକ ପଡ଼ିଲେ, ବ୍ୟାରିକେଡ୍‌ ମଧ୍ୟ କରାଯିବ। ଜେଡ୍‌ଡିସିମାନଙ୍କୁ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପରିବା ମାର୍କେଟ୍‌ ସହ ତେଜରାତି ଓ ଅନ୍ୟ ହୋଲ୍‌ସେଲ୍‌ ବ୍ୟବସାୟୀମାନଙ୍କୁ ବ୍ୟବସ୍ଥିତ କରାଯିବ।

କଟକଣା ଉଲ୍ଲଂଘନ ହେଲେ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ। କାର୍ଯ୍ୟାନୁଷ୍ଠାନ ପାଇଁ ବିଏମ୍‌ସି, ବିଡିଏର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ଏହି ଟିମ୍‌ ଘୂରି ବୁଲିବା ସହ ଲୋକ ଓ ବ୍ୟବସାୟୀଙ୍କୁ ସଚେତନ କରାଇବ। ଏକାଧିକବାର ସଚେତନତା ପରେ ଯଦି କେହି ନିୟମ ନ ମାନିବା ନଜରକୁ ଆସିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନର୍‌ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମସ୍ତେ କୋଭିଡ୍‌ କଟକଣା ପାଳନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଉଳ୍ଲେଖଯୋଗ୍ୟ, ୟୁନିଟ୍‌-୧ ହାଟ ସହ ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ଼ ହେଉଥିବା ନଜରକୁ ଆସୁଛି। ହାଟ ଭିତରେ ବ୍ୟବସାୟୀମାନେ ଏମିତି ବସୁଛନ୍ତି ଓ ଜିନିଷପତ୍ର ରାସ୍ତାରେ ଜମା କରୁଛନ୍ତି ଯେ ଗ୍ରାହକଙ୍କୁ ପାଦ ପକାଇବା ପାଇଁ ଜାଗା ରହୁନି। ୟୁନିଟ୍‌-୪ ହାଟରେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଦେଉଛି। ଏ ନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଗତକାଲି ବିଏମ୍‌ସିର ୬ଟି ଦଳ ୬୦ଟି ସ୍ଥାନରେ ଚଢ଼ଉ କରିଥିଲା। ଏକ ସ୍ବତନ୍ତ୍ର ଦଳ ସମସ୍ତ ହାଟରେ ବୁଲି ସ୍ଥିତି ପରଖିଥିଲା।

ସମ୍ବନ୍ଧିତ ଖବର