ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ପୂଜା ମଣ୍ଡପଗୁଡ଼ିକରେ ସାଜସଜ୍ଜା ଆରମ୍ଭ ହୋଇଗଲାଣି। ମା’ଙ୍କ ସୁନ୍ଦର ପ୍ରତିମୂର୍ତ୍ତି ସହିତ ଆକର୍ଷଣୀୟ ତୋରଣ ପାଇଁ ପୂଜା ମଣ୍ଡପ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଏହି ପରିପେକ୍ଷୀରେ ପ୍ରତିବର୍ଷ ନିଜର ସ୍ୱତନ୍ତ୍ର କାଳ୍ପନିକ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ୟୁନିଟ୍‌-୧ସ୍ଥିତ ଶ୍ରୀଶ୍ରୀ ମହାଦେବ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଶଙ୍ଖ ଓ ଶାମୁକାରେ ତୋରଣ ପ୍ରସ୍ତୁତି କରାଯାଉଛି। ଏହି ପୂଜା କମିଟିର ବିଶେଷତ୍ତ୍ବ ଏହି କି ଯେ ପୂଜା ମଣ୍ଡପରେ ଦୁର୍ଗା ମା’ଙ୍କ ବଦଳରେ ହର ଓ ପାର୍ବତୀ ପୂଜା ପାଆନ୍ତି। ଚଳିତ ବର୍ଷ ମଧ୍ୟ ୭୫ ଫୁଟ ଉଚ୍ଚ ଓ ୮୦ ଫୁଟ ଚଉଡ଼ାର ଏକ କାଳ୍ପନିକ ତୋରଣରେ ହର, ପାର୍ବତୀଙ୍କ ସମେତ ଗଣେଶ, କାର୍ତ୍ତିକ, ବୃଷଭ ଓ ସିଂହ ମଧ୍ୟ ପୂଜା ପାଇବେ। 

Advertisment

ତୋରଣରେ ଶଙ୍ଖ, ଶାମୁକା ସମେତ ଅନ୍ୟ ସାମୁଦ୍ରିକ ଜିନିଷ ବ୍ୟବହାର କରାଯିବ। ଏଥିପାଇଁ କୋଲକାତାରୁ ସ୍ୱତନ୍ତ୍ର କାରିଗର ମଧ୍ୟ ଆସିଛନ୍ତି। ସେହିପରି ବାଉଁଶ ତାଟି ଓ ମାଟିରେ ପ୍ରସ୍ତୁତ ହିମାଳୟ ପର୍ବତରେ ସେମାନେ ପୂଜା ପାଇବେ। ଚଳିତ ବର୍ଷ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ ରହିଛି। ପୂଜାର ଅନ୍ୟତମ ଆକର୍ଷଣ ସାଜିବ ହର ଓ ପାର୍ବତୀଙ୍କ ରୁପାର ଅଳଙ୍କାର। ମା’ଙ୍କ ମୁକୁଟ ଠାରୁ ଆରମ୍ଭ କରି ପାଉଁଜି, ଅଣ୍ଟାବିଛା, ଚୁଡ଼ି ସବୁ କିଛି ରୁପାରେ ତିଆରି ହୋଇଛି। ସେହିପରି ଠାକୁରଙ୍କ ତ୍ରିଶୂଳ, ଖଡ଼ୁ ମଧ୍ୟ ରୁପାରେ ଝଲସିବ। ପୂଜା ମଣ୍ଡପ ସମେତ ରାଜମହଲ ଛକରୁ କ୍ୟାପିଟାଲ ଥାନା ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ ହେବ। ଏଥିସହିତ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। କଟକ, ଭୁବନେଶ୍ୱର, ବ୍ରହ୍ମପୁରରୁ ମେଲେଡି ପାର୍ଟି ଆସିବେ। ଅଷ୍ଟମୀ ଦିନ ପାଞ୍ଚ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଦଶମୀ ଦିନ ମା’ଙ୍କ ପାଖରେ ସ୍ୱତନ୍ତ୍ର ଖେଚୁଡ଼ି ଭୋଗ ପ୍ରସ୍ତୁତ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟା ହେବ। 

ଚଳିତ ବର୍ଷ ଆମ ପୂଜା ମଣ୍ଡପ ୬୩ ବର୍ଷରେ ପଦାର୍ପଣ କରିଛି। ସେଥିପାଇଁ ସମ୍ପୂର୍ଣ୍ଣ ପାରମ୍ପରିକ ନୀତିରେ ପୂଜା ସହିତ ଭସାଣି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିରେ ଘୋ଼ଡ଼ା ନାଚ, ଘଣ୍ଟ, ସମ୍ୱଲପୁରୀ ନୃତ୍ୟ ଆଦି ପରିବେଷଣ କରାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହ୍ୱିଲ ଚେୟାର ସହିତ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯିବ। 
-ଅଶୋକ କୁମାର ଦାସ, ସଭାପତି

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ, ସୁରକ୍ଷାକର୍ମୀଙ୍କ ସମେତ ପୁଲିସ କର୍ମଚାରୀ ମଧ୍ୟ ରହିବେ। ସେହିପରି ୧୫ରୁ ଊର୍ଦ୍ଧ୍ୱ ସିସିଟିଭି ସହିତ ପାର୍କିଂ ସମସ୍ୟା ଯେଭଳି ନ ହୁଏ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇଛି। ତେଣୁ ବିପୁଳ ସଂଖ୍ୟାରେ ଭକ୍ତ ଆସି ଦର୍ଶନ କରିବାକୁ ଅନୁରୋଧ। 
- ରଞ୍ଜିତ ମହାରଣା
ସମ୍ପାଦକ