ଭୁବନେଶ୍ୱର: ୟୁନିଟ୍-୧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନାଁରେ ପ୍ରଥମେ ୯ଜଣ ଶିକ୍ଷୟିତ୍ରୀ ନିର୍ଯାତନା ଅଭିଯୋଗ ଆଣିଲେ। ଗଣଶିକ୍ଷା ବିଭାଗ ଅଧିକାରୀମାନଙ୍କ ଦସ୍ତକ୍ଷେପ ଲୋଡ଼ିଲେ। ନ୍ୟାୟ ନ ମିଳିବାରୁ ପୁଲିସର ଦ୍ବାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ କରିବା ସହ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା। ମାତ୍ର ଦିନ କେଇଟା ଯାଇନି ଏବେ ପ୍ରଧାନଶିକ୍ଷକଙ୍କ ସପକ୍ଷରେ ବାହାରିଛନ୍ତି ବିଦ୍ୟାଳୟର କିଛି ଛାତ୍ରୀ। ପ୍ରଧାନଶିକ୍ଷକଙ୍କ ଗିରଫଦାରୀକୁ ବିରୋଧ କରି ଛାତ୍ରୀମାନେ ଆଜି ସକାଳୁ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ସକାଳ ୯ଟାରୁ ରାସ୍ତା ଅବରୋଧ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବିଦ୍ୟାଳୟର ୯ଜଣ ଶିକ୍ଷୟିତ୍ରୀ ମିଛ ଅଭିଯୋଗ କରି ପ୍ରଧାନଶିକ୍ଷକଙ୍କୁ ଫସାଇ ଦେଇଛନ୍ତି। ଶିକ୍ଷୟିତ୍ରୀମାନେ ଆମକୁ ମାନସିକ ସ୍ତରରେ ନିର୍ଯାତନା ଦେଉଛନ୍ତି। ଏପରିକି କିଛି ଶିକ୍ଷୟିତ୍ରୀ ଆମକୁ ଘଟଣା କ’ଣ ନ ଜଣାଇ ମିଛ ଦସ୍ତଖତ କରାଇ ନେଇଛନ୍ତି ବୋଲି ଆନ୍ଦୋଳନରତ ଛାତ୍ରୀମାନେ କହିଥିଲେ। ଯଦି ପ୍ରଧାନଶିକ୍ଷକ କିଛି ଭୁଲ କରିଛନ୍ତି ତେବେ ବିଦ୍ୟାଳୟର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉ ବୋଲି ମଧ୍ୟ ଛାତ୍ରୀମାନେ ଦାବି କରିଥିଲେ।

ବିଇଓ, ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ହସ୍ତକ୍ଷେପ ପରେ ଉଠିଲେ

Advertisment

ଏହାକୁ ନେଇ କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗିରହିଥିଲା। ପ୍ରାୟ ୫୦ଜଣ ଛାତ୍ରୀ କ୍ୟାମ୍ପସ୍‌ ବାହାରେ ଧାରଣାରେ ବସିଥିବା ବେଳେ ୫୦୦ରୁ ଅଧିକ ପିଲା କ୍ୟାମ୍ପସ ଭିତରେ କ୍ଲାସ୍‌ କରିଥିଲେ। ପାଖାପାଖି ତିନି ଘଣ୍ଟା ଧରି ଆନ୍ଦୋଳନ ପରେ ଭୁବନେଶ୍ବର ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ବ୍ରହ୍ମାନନ୍ଦ ରାଉତ, ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆକାଂକ୍ଷିତା ପ୍ରିୟଦର୍ଶିନୀ ପ୍ରଧାନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଥିଲେ। ପ୍ରଧାନଶିକ୍ଷକଙ୍କ ସହ କଥା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଛାତ୍ରୀମାନେ ଅଡ଼ି ବସିଥିଲେ। ଏହାପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ, ଗିରଫ ହୋଇ ଜାମିନରେ ଆସିଥିବା ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଫୋନ କରି ତାଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ। ଏସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ଏନେଇ ଅବଗତ କରିବା ପରେ ଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ। ଏହାପରେ ବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ବୈଠକ ଡକାଯାଇଥିଲା। ଯେଉଁଥିରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ, ଅନ୍ୟ ଶିକ୍ଷୟିତ୍ରୀ ଓ ବିଇଓ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଜିର ଘଟଣାକୁ ନେଇ ଛାତ୍ରୀମାନଙ୍କୁ ଆଗକୁ କୌଣସି ପ୍ରଶ୍ନ କିମ୍ୱା ହଇରାଣ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। 

ବିଇଓ ବ୍ରହ୍ମାନନ୍ଦ ରାଉତ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗକୁ ଭିତ୍ତିକରି ଗତ ମାସରେ ପ୍ରଧାନଶିକ୍ଷକ ଗିରଫ ହୋଇଥିଲେ। ବର୍ତ୍ତମାନ ସେ ଜାମିନରେ ଆସିଛନ୍ତି। ଏଯାବତ ତାଙ୍କୁ ନିଲମ୍ବନ କରାଯାଇ ନ ଥିବା ‌ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ବିଦ୍ୟାଳୟର ୯ଜଣ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ ପ୍ରଧାନ ଶିକ୍ଷକ ଦିଲୀପ ବଡ଼ପଣ୍ଡାଙ୍କୁ ଗିରଫ କରିଥିଲା। ଜୁଲାଇ ୨୨ରେ ୟୁନିଟ୍-୯ ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି।