ଭୁବନେଶ୍ୱର: ଗତ ୨୨ ତାରିଖର ଦିନ ୧ ନମ୍ବର ହାଟରେ ଘଟିଥିବା ଅଗ୍ନିକାଣ୍ଡ, ୪୦ରୁ ଅଧିକ ଦୋକାନୀଙ୍କୁ ସର୍ବସ୍ବାନ୍ତ କରିଦେଲା। ଆଖି ଆଗରେ କୋଟିକୋଟି ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଗଲା। କ୍ଷତିଗ୍ରସ୍ତ ଦୋକାନୀମାନେ ବୁକୁ ଫଟାଇ କାନ୍ଦିଥିଲେ। ସେମାନଙ୍କୁ ସାନ୍ତ୍ବନା ଦେବା ପାଇଁ ନେତାଙ୍କ ଭିଡ଼ ଲାଗିଲା। ଆଗାମୀ ଦିନରେ ଅଗ୍ନିକାଣ୍ଡକୁ ପ୍ରତିହତ କରିବା ପାଇଁ ଏହି ହାଟକୁ ବ୍ୟବସ୍ଥିତ କରାଯିବ ବୋଲି ମେୟରଙ୍କ ସହ ବିଏମ୍ସିର ଅଧିକାରୀମାନେ ନାନାଦି ସ୍ବପ୍ନ ଦେଖାଇଲେ। କିନ୍ତୁ ଦିନ କେଇଟା ପରେ ନେତା, ଅଧିକାରୀଙ୍କ ଆଉ ମୁହଁ ଦିଶୁନି। ଏହି ଘଟଣାକୁ ସମସ୍ତେ ଭୁଲି ଯାଇଛନ୍ତି। ୨୨ ତାରିଖର ଅଗ୍ନିକାଣ୍ଡ ଏହି ହାଟ ପାଇଁ ପ୍ରଥମ ଅଘଟଣ ନଥିଲା। ଏହା ପୂର୍ବରୁ ଅନେକ ଥର ଅଗ୍ନିକାଣ୍ଡ ଘଟିଛି, ଅନେକ ଦୋକାନୀ ସର୍ବସ୍ବ ହରାଇଛନ୍ତି। ସବୁଥର ନେତା, ଅଧିକାରୀମାନେ ହାଟ ପାଇଁ ନାନାଦି ସ୍ବପ୍ନ ଦେଖାଇଛନ୍ତି। କିନ୍ତୁ ସବୁକିଛି ପ୍ରହେଳିକା ପାଲଟିଛି।

Advertisment

ଏବେ ବି ଜରିପାଲ ତଳେ ଚାଲିଛି ବ୍ୟବସାୟ
ରାସ୍ତାରେ ବେପାର ସାମଗ୍ରୀ, ହଟୁନି ଅବରୋଧ
ପରିବା ଦୋକାନ ଜାଗାରେ ଖୋଲିଛି ହୋଟେଲ
୨୦ ଫୁଟିଆ ରାସ୍ତା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଚିଠି ଲେଖି ଆସୁଛି ବ୍ୟବସାୟୀ ସଂଘ

ସେଦିନ ଅଗ୍ନିକାଣ୍ଡ ପରେ ବିଏମ୍‌ସି ମେୟରଙ୍କ ସହ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମେୟର ସୁଲୋଚନା ଦାସ ଦୋକାନୀମାନଙ୍କୁ ଆଶ୍ବସ୍ତ କରିବାକୁ ଯାଇ କହିଥିଲେ କି ୧ ନମ୍ବର ହାଟରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି ହେବ। କୌଣସି ଦୋକାନୀ ଜରିପାଲ ଟାଣି ପାରିବେନି। ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରିପାରିବେନି। କେବଳ ୧ ନମ୍ବର ହାଟ ନୁହେଁ, ଅନ୍ୟ ହାଟରେ ବି ଏହି ନିୟମ କଡ଼ାକଡ଼ି ଅନୁପାଳନ ହେବ। ରାଜଧାନୀର ବିଭିନ୍ନ ହାଟ ପାଇଁ ସ୍ବତନ୍ତ୍ର ଏସ୍‌ଓପି ଆଣିବ ବିଏମ୍‌ସି। ରାଜଧାନୀର ୨୦ଟି ବଡ଼ ହାଟରେ ଏହି ଏସ୍‌ଓପି ଲାଗୁ ହେବ। ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ହାଟ କମିଟି ନିର୍ବାଚନ ହେବ। ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ୍ ଇନ୍‌ସ୍ୟୁରାନ୍ସ ହେବ। ଶୀଘ୍ର ଦୋକାନୀଙ୍କ ସହ ବୈଠକ କରାଯିବ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ। କିନ୍ତୁ ଏବେ ପୂର୍ବଭଳି ଦୋକାନୀମାନେ ଜରିପାଲ ଟାଣି ବ୍ୟବସାୟ କରୁଛନ୍ତି। ଦୋକାନକୁ ଦୋକାନ ଲାଗିଲାଗି ରହିଛି ଏବଂ ବେପାର ଚାଲିଛି।

ରାସ୍ତା ଅବରୋଧ କରି ବେପାରୀମାନେ ପସରା ମେଲାଇ ବସୁଛନ୍ତି। ଏଣୁ ପୁଣି କୌଣସି ବଡ଼ ଅଘଟଣ ଘଟିଲେ, ସ୍ଥିତି ପୂର୍ବ ଭଳି ଅଣାୟତ୍ତ ହେବ। ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି ଯେ ସଂଘ ବହୁଦିନରୁ ସଂକୁଚିତ ରାସ୍ତା ଓ ଅନ୍ୟାନ୍ୟ ଅବ୍ୟବସ୍ଥା ସଂପର୍କରେ ବିଏମ୍‌ସିକୁ ଅବଗତ କରି ଆସୁଛି। ଦୋକାନୀମାନେ ରାସ୍ତା ଅବରୋଧ କରୁଛନ୍ତି। ଏଣୁ ହାଟର ସବୁ ରାସ୍ତା ୨୦ ଫୁଟିଆ କରିବା ସହ ଦୋକାନ ସାମଗ୍ରୀ ଦୋକାନରେ ରଖିବା ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ଦାବି କରି ଆସୁଛୁ। ୧ ନମ୍ବର ହାଟରେ ଯେଉଁମାନଙ୍କୁ ଯେଉଁ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା, ତାହା ବି ଅନୁପାଳନ କରାଯାଉନି। ପରିବା ଦୋକାନ ଜାଗାରେ ହୋଟେଲ, ଜଳଖିଆ ଦୋକାନ, ହୋଟେଲ ଜାଗାରେ ଗ୍ରୋସରି ଦୋକାନ ଆଦି ଖୋଲିଛି। ପୂର୍ବ ଭଳି ଦୋକାନଗୁଡ଼ିକ ଲାଗିଲାଗି ହୋଇ ରହିଛି। ମେୟର ଏ ସଂପର୍କରେ ଆଲୋଚନା କରିବାକୁ ବୈଠକ ଡାକିବେ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।