ସ୍ବାଭାବିକ ହେଲା ୧ ନଂ ମାର୍କେଟ୍

ଭୁବନେଶ୍ବର : ବାତ୍ୟାର ତାଣ୍ଡବ ପରେ ଛାରଖାର ହୋଇଯାଇଥିବା ରାଜଧାନୀର ସର୍ବବୃହତ୍ ମାର୍କେଟ୍ ଅବସ୍ଥା ସୁଧୁରିଛି। ବାତ୍ୟା ଦାଉରେ ଭାଙ୍ଗି ପଡ଼ିଥିବା ମା‌େର୍କଟ୍‌ର ବ୍ୟବସାୟୀମାନେ ଝାଡ଼ିଝୁଡ଼ି ହୋଇ ପୁଣି ପୂର୍ବ ସ୍ଥିତିକୁ ଫେରିଛନ୍ତି। ଗୁରୁବାରଠାରୁ ମାର୍କେଟ ପୂର୍ଣ୍ଣାଙ୍ଗ ଭାବେ ଖୋଲିବା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ବାତ୍ୟା ପରଠୁ ଭାଙ୍ଗି ପଡ଼ିଥିବା ଦୋକାନ ଘର ସଜାଡ଼ିବା ପରେ ରବିବାରଠୁ ବିଦ୍ୟୁତ୍‌ ସରବରାହ ଦିଆଯାଇଥିଲା। ତେବେ ମାର୍କେଟ୍‌ର ୩ହଜାର ୫୦୦ ଦୋକାନ ଗୃହ ଥିଲେ ହେଁ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୫୦୦ବ୍ୟବସାୟୀ ବିଦ୍ୟୁତ ସଂଯୋଗ ପାଇଥିଲେ। ତେବେ ତାହା ମଧ୍ୟ ବେଶି ସମୟ ରହିନଥିଲା। ସୋମବାର ମାର୍କେଟ୍ ବନ୍ଦ ରହିଥିଲା। ତେବେ ସେଇଦିନ ଅନେକ ବ୍ୟବସାୟୀ ନିଜର ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। କିନ୍ତୁ ବୁଧବାର ପର୍ଯ୍ୟନ୍ତ ଲାଇନ୍ କିଛି ସମୟ କଟାଯାଉଥିବାରୁ ମାର୍କେଟ୍ ବ୍ୟବସ୍ଥିତ ଢଙ୍ଗରେ ଚାଲି ପାରିନଥିଲା। ଗୁରୁବାରଠାରୁ ବିିଦ୍ୟୁତ୍‌ ସଂଯୋଗ ସ୍ବାଭାବିକ ହେବା ପରେ ବିଳମ୍ବିତ ରାତି ଯାଏଁ ବିକ୍ରିବଟା ଚାଲିଥିଲା। ପ୍ରାୟ ସମସ୍ତ ଦୋକାନ ଖୋଲା ରହିଥିଲା। କିଛି ବ୍ୟବସାୟୀ ବାତ୍ୟା ବେଳେ ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ ସଂଯୋଗ ନେଇପାରି ନଥିବାରୁ ପଡ଼ୋଶୀ ବ୍ୟବସାୟୀଙ୍କଠୁ ସଂଯୋଗ ଆଣି ବ୍ୟବସାୟ ଚଳାଇଥିଲେ।

ତେବେ ମାର୍କେଟ୍ ବାହାରେ ପାର୍କିଂ ମୁଣ୍ଡବିନ୍ଧା କରାଇଥିଲା। ମାର୍କେଟିଂ କରିବାକୁ ଯାଉନଥିବା ଲୋକେ ଏଜି ଛକ ପାର୍ ହେବାକୁ ଅଧଘଣ୍ଟା ଲାଗି ଯାଉଥିଲା। ଅଧା ରାସ୍ତା ପାର୍କିଂ ହୋଇଥିଲେ ହେଁ ଏହି ସମସ୍ୟାକୁ ଏଡ଼ାଇବାକୁ କେହି ନଥିଲେ। ମନଇଚ୍ଛା ପାର୍କିଂ ହେଉଥିଲା।

୪ ନମ୍ବର ମାର୍କେଟ୍ ସ୍ଥିତି ମଧ୍ୟ ସ୍ବାଭାବିକ ହୋଇଛି। ବିଦ୍ୟୁତ ଖୁଣ୍ଟିରେ ଲାଇନ୍ ଜଳୁ ନଥିଲେ ହେଁ ସମସ୍ତ ବ୍ୟବସାୟୀ ବିଦ୍ୟୁତ ସଂଯୋଗ ପାଇଥିବାରୁ ଢେର୍‌ ଦିନ ପରେ ଲୋକେ ପୁରୁଣା ମାର୍କେଟ୍‌ରେ କିଣାକିଣି କରିଥିଲେ। ମାର୍କେଟ୍‌ ବାହାରେ ରାସ୍ତାରେ ବିଦ୍ୟୁତ ସଂଯୋଗ ହୋଇପାରି ନଥିବାରୁ ବାହାରେ ପାର୍କିଂ ବେଳେ ଏହା ଗ୍ରାହକମାନଙ୍କୁ ଅଡ଼ୁଆରେ ପକାଉଥିଲା। ଅନ୍ଧାରରେ ଗାଡ଼ି ଚୋରି ହେବା ଭୟରେ ଅନେକ ମାର୍କେଟ୍ ଭିତରକୁ ଗାଡ଼ି ନେଇ ମାର୍କେଟିଂ କରୁଥିଲେ। ଫଳରେ ଏହା ଯାତାୟାତରେ ସମସ୍ୟା ସୃଷ୍ଟି କରୁଥିଲା।

ସମ୍ବନ୍ଧିତ ଖବର